ତଥ୍ୟ ଲୁଚାଉଛି ଚୀନ୍, ପ୍ରକୃତ କରୋନା ସଂକ୍ରମିତଙ୍କ ସଂଖ୍ୟା ବେଜିଂ ହିସାବ ଠାରୁ ୪ଗୁଣ ଅଧିକ: ରିସର୍ଚ୍ଚ ରିପୋର୍ଟ
23/04/2020 at 4:12 PM

ହଙ୍ଗକଙ୍ଗ: କୋଭିଡ-୧୯ ସଂକ୍ରମଣ ପ୍ରଥମ ପର୍ଯ୍ୟାୟରେ ଚୀନ ମୁଖ୍ୟ ଭୂ-ଭାଗରେ ହୁଏତ ୨ଲକ୍ଷ ୩୨ ହଜାରରୁ ବି ଅଧିକ ଲୋକେ ସଂକ୍ରମିତ ହୋଇଥାଇ ପାରନ୍ତି। ହଙ୍ଗକଙ୍ଗ ଗବେଷକମାନେ ଏକ ଅଧ୍ୟୟନରେ ଏହି ଆକଳନ କରିଛନ୍ତି। ଯଦି ଗବେଷକଙ୍କ ଆକଳନ ସତ୍ୟ ହୁଏ ତେବେ ଚୀନ ସରକାରୀ ଆକଳନର ସଂକ୍ରମଣ ସଂଖ୍ୟାଠାରୁପ୍ରକୃତ ସଂଖ୍ୟା ପ୍ରାୟ ୪ ଗୁଣାରୁ ଅଧିକ ହେବ ।
ଫେବୃଆରୀ ୨୦ ତାରିଖ ବେଳକୁ ଚୀନ ମେନଲ୍ୟାଣ୍ଡରେ ସଂକ୍ରମିତଙ୍କ ସଂଖ୍ୟା ପ୍ରାୟ ୫୫ ହଜାର ଆକଳନ କରାଯାଇଥିଲା। ତେବେ ପରବର୍ତ୍ତୀ କାଳରେ କୋଭିଡ-୧୯ ଲାଗି ଯେଉଁ ସଂଜ୍ଞା ନିର୍ଦ୍ଧାରିତ ହୋଇଥିଲା, ତାର ଯଦି ଅନୁଧ୍ୟାନ କରାଯାଏ ତେବେ ଏହି ସଂଖ୍ୟା ଆହୁରି ଅଧିକ ହୋଇପାରେ ବୋଲି ହଙ୍ଗକଙ୍ଗ ୟୁନିଭର୍ସିଟିର ସ୍କୁଲ ଅଫ ପବ୍ଲିକ୍ ହେଲଥ୍ ଏକାଡେମିକ ଗବେଷକମାନେ କହିଛନ୍ତି, ଯାହା ଲାନସେଟ୍ରେ ପ୍ରକାଶିତ ହୋଇଛି।
ଏବେ ସାରା ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୧ଲକ୍ଷ ୮୩ ହଜାର ପାର ହୋଇଥିବା ବେଳେ ଚୀନ ୮୩ ହଜାର ମାମଲା ପୁଷ୍ଟି କଲାଣି। ସେହି ଅନୁସାରେ ସାରା ପୃଥିବୀରେ ଏପର୍ଯ୍ୟନ୍ତ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨.୬ନିୟୁତ ଆକଳନ କରାଯାଉଛି। ତେବେ ଦେଶରେ କରୋନା ସଂକ୍ରମଣ ସମ୍ପର୍କିତ ଚୀନ ହେଲଥ୍ କମିଶନ ୧୫ ଜାନୁୟାରୀରୁ ୩ମାର୍ଚ୍ଚ ପର୍ଯ୍ୟନ୍ତ ୭ଟି ଭର୍ସନରେ କୋଭିଡ-୧୯ର କେସ୍ ଡେଫିନେସନ ରିପୋର୍ଟ କରିଛନ୍ତି। ଯେଉଁଥିରୁ ସଂକ୍ରମଣର ପର୍ଯ୍ୟାପ୍ତ ପ୍ରଭାବ ସହଜରେ ଅନୁମାନ କରାଯାଇପାରେ ବୋଲି ଗବେଷକମାନେ କହିଛନ୍ତି। ଯାହା ଏବେ ଚୀନ ଓ ଆମେରିକା ସମ୍ପର୍କ ଲାଗି ନୂଆ ଆହ୍ୱାନ ସୃଷ୍ଟି କରିଛି।
ଉହାନରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ମିସନଙ୍କ ଫେବୃଆରୀ ୨୦ ତାରିଖ ପର୍ଯ୍ୟନ୍ତ ତଥ୍ୟକୁ ନେଇ ହଙ୍ଗକଙ୍ଗ ୟୁନିଭର୍ସିଟି ଏହି ଅଧ୍ୟୟନରେ ଉପନୀତି ହୋଇଥିବା ଦାବି କରୁଛନ୍ତି। ଏଥିରେ ଚୀନ ହେଲଥ୍ କମିଶନଙ୍କ କୋଭିଡ-୧୯ ସଜ୍ଞା ନିର୍ଦ୍ଧାରଣ କରୁଥିବା ୭ଟି ଭର୍ସନରୁ ଯଦି କେବଳ ୫ମ ଭର୍ସନର ସଂଜ୍ଞାକୁ ସମୀକ୍ଷା କରାଯାଏ ତେବେ ସମ୍ପୂର୍ଣ୍ଣ ପରୀକ୍ଷା କ୍ଷମତା ଥାଇ ସଂକ୍ରମଣ ବେଳେ (୨୦ ଫେବୃଆରୀ ୨୦୨୦ ସୁଦ୍ଧା) ଚୀନ ମୁଖ୍ୟ ଭୂ-ଭାଗରେ ୨ଲକ୍ଷ ୩୨ ହଜାରଟି ମାମଲା ସ୍ପଷ୍ଟ ଥିଲା ବୋଲି ସହଜରେ ଜଣାପଡୁଥିବା ବେଳେ ଚୀନ ରିପୋର୍ଟରେ ୫୫ ହଜାର ୫୦୮ଟି ଦର୍ଶାଇଛି।
ଏଣୁ ଚୀନ କରୋନା ସଂକ୍ରମଣକୁ ନେଇ ପ୍ରଥମରୁ ସନ୍ଦେହରେ ଥିବା ବେଳେ ବୁଧବାର ଆମେରିକା ସେକ୍ରେଟାରୀ ଅଫ ଷ୍ଟେଟ୍ ମାଇକ୍ ପମ୍ପେଓ ସମୟାନୁସାରେ ଚୀନର କମ୍ୟୁନିଷ୍ଟ ଶାସକ ମହାମାରୀ ବ୍ୟାପିବାର ତଥ୍ୟ ଦେବାରେ ଅବହେଳା କରିଥିବା ଯୁକ୍ତରାଷ୍ଟ୍ର ଭାବୁଛି ବୋଲି କହିଛନ୍ତି। ଏବେ ଆମେରିକା ଓ ଅଷ୍ଟ୍ରେଲିଆ ମହାମାରୀ ମୁକାବିଲାର ତଦନ୍ତ ଲାଗି ବିଚାର କରୁଥିବା ବେଳେ ଆମେରିକାରେ ଅବସ୍ଥାପିତ ଚୀନ ରାଷ୍ଟ୍ରଦୂତ କୁଇ ତିଆନକାଇ ‘ଦୁଇ ଦେଶଙ୍କ ଲାଗି ଏବେ ସେମାନଙ୍କ ସମ୍ପର୍କ ସମୀକ୍ଷା ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି। କାରଣ ଯେଉଁ ଆଧାରରେ ଏବେ ଚୀନ ଉପରେ ଏହି ଆରୋପ ଲଗାଯାଉଛି ତାହା ସମ୍ପୂର୍ଣ୍ଣ ଭିତ୍ତିହୀନ ଓ କପୋଳ କଳ୍ପିତ। ଏପରିକି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ବିନା କୌଣସି ବୈଜ୍ଞାନିକ ପ୍ରମାଣରେ ଚୀନ ଗବେଷଣାଗାରରୁ ଭୂତାଣୁ ଖସି ପଳାଇଥିବା’ କହୁଥିବା କହିଛନ୍ତି ।