ଚୀନ୍ କମ୍ପାନୀ ବ୍ୟାନ୍ ବୟକଟ୍: ୫ଜି ରେସ୍‌ରୁ ବାଦ୍ ପରିପାରେ ଚୀନ୍ କମ୍ପାନୀ ହୁଏଇ, ମନ୍ତ୍ରୀସ୍ତରୀୟ ବୈଠକରେ ବିଚାରବିମର୍ଶ

Published By : Prameya-News7 Bureau | June 30, 2020 IST

ନୂଆଦିଲ୍ଲୀ, ୩୦|୦୬: ଭାରତ ଓ ଚୀନ ମଧ୍ୟରେ ବିବାଦ ଥମିବାର ନା ନେଉନାହିଁ । ସୋମବାର ଭାରତ ସରକାର ଚୀନର ୫୯ ଆପ୍ ଉପରେ ପ୍ରତିବନ୍ଦକ ଲଗାଇବା ସହ ଡିଜିଟାଲ ଷ୍ଟ୍ରାଇକ୍ କରିଛନ୍ତି । ଏବେ ଚୀନ୍ କମ୍ପାନୀ ହୁଏଇ ପାଇଁ ଟେନସନ୍ ବଡିବାରେ ଲାଗିଛି । ହୁଏଇ ଭାରତରେ ୫ଜି ସେବା ଆରମ୍ଭ କରିବା ପାଇଁ ପ୍ରମୁଖ ଦାବିଦାର ବୋଲି କୁହାଯାଉଥିଲା । କିନ୍ତୁ ଏବେ ୫ଜି ନିଲାମକୁ ଗୋଟିଏ ବର୍ଷ ପାଇଁ ସ୍ଥଗିତ ରଖାଯାଇଛି । ତେବେ ଗତ ବର୍ଷ ହୁଏଇକୁ ନିଲାମ ପ୍ରକ୍ରିୟାରେ ଭାଗ ନେବା ପାଇଁ ଅନୁମତି ପ୍ରଦାନ କରାଯାଇଥିଲା ।

ହୁଏଇକୁ ସମସ୍ତ ଦେଶ କାରବାରରୁ ବାହାରେ ରଖନ୍ତୁ ବୋଲି ଆମେରିକା ଚାପ ପ୍ରୟୋଗ କରିଆସୁଛି । ଆମେରିକାରେ ଏହି କମ୍ପାନୀ ଉପରେ ମେ ୨୦୨୧ ଯାଏଁ କଟକଣା ଲାଗିଛି । ସୂତ୍ରାନୁସାରେ, ସୋମବାର ମୋଦୀ ସରକାରଙ୍କ ବରିଷ୍ଠ ମନ୍ତ୍ରୀ ୫ଜି ଉପରେ ଆଲୋଚନା କରିଥିଲେ । ଏହି ଆଲୋଚନାରେଗ ଗୃହମନ୍ତ୍ରୀ ଅମିତ ଶାହ, ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ, ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଓ ବାଣିଜ୍ୟ ମନ୍ତ୍ରୀ ପିୟୁଷ ଗୋଏଲ ଭାଗ ନେଇଥିଲେ ।

ଭାରତରେ ହୁଏଇକୁ ବିରୋଧ କରାଯାଉଛି କାରଣ ଏହାର ମୁଖ୍ୟ ଚୀନ୍ ଆର୍ମି ସହ ଜଡିତ । ସୀମା ବିବାଦ ପରେ ହୁଏଇ ପାଇଁ ଭାରତରେ କାରବାର କରିବା ରାସ୍ତା ସହଜ ହେବ ନାହିଁ । ଦେଶରେ ସୁରକ୍ଷା କାରଣରୁ ମଧ୍ୟ ହୁଏଇକୁ ବିରୋଧ କରାଯାଉଛି ।

ସିଙ୍ଗାପୁରରେ ହେବାକୁ ଥିବା ୫ଜି ନିଲାମ ପ୍ରକ୍ରିୟାରେ ହୁଏଇ ରେସ୍‌ରୁ ବାହାରି ସାରିଛି । ଏଠାରେ ନୋକିଆ ଓ ଏରିକ୍ସନକୁ ସୁଯୋଗ ମିଳିଛି । ଆମେରିକା ଓ ଅଷ୍ଟ୍ରେଲିଆରେ ସୁରକ୍ଷା କାରଣରୁ ହୁଏଇକୁ ବାଦ୍ ଦିଆଯାଇଛି । ଭାରତ ସରକାର ମଧ୍ୟ ହୁଏଇ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କୁହାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.