ପାକିସ୍ତାନକୁ ବି ଧୋକା ଦେଲା ଚୀନ୍, ପାଣିରେ ପଡ଼ିଲା ୪୭୦୦ କୋଟି ଟଙ୍କା
5/04/2021 at 4:57 PM

ନୂଆଦିଲ୍ଲୀ ୫/୪: ଭ୍ୟାକସିନ୍ ହେଉ କି ଯୁଦ୍ଧାସ୍ତ୍ର ସବୁ କିଛି ପାଇଁ ପାକିସ୍ତାନ ଚୀନ ଉପରେ ନିର୍ଭର କରେ। କିନ୍ତୁ ଧୋକାବାଜ୍ ଚୀନ ପାଖରୁ ଆସିଥିବା ସମସ୍ତ ଜିନିଷ ପାଇଁ ଏବେ ଚିନ୍ତାରେ ପାକିସ୍ତାନ। କାରଣ ଚୀନ ନକଲି ଏବଂ ଖରାପ ଜିନିଷ ପାକିସ୍ତାନକୁ ଦେଇଛି। ପାକିସ୍ତାନ ଚୀନ ପାଖରୁ ୯ଟି LY 80 ଏୟାର ଡିଫେନ୍ସ ସିଷ୍ଟମ କ୍ରୟ କରିଥିଲା ଯାହା ନକଲି ବୋଲି ଜଣାପଡ଼ିଛି। ଏବେ ଏହାକୁ ତିଆରି କରିବାକୁ ଚୀନକୁ ଗୁହାରି କରୁଛି ପାକିସ୍ତାନ।
ଭାରତର ଶକ୍ତିଶାଳୀ ବାୟୁସେନାକୁ ଦେଖି ଭୟରେ ପାକିସ୍ତାନ ଚୀନ ପାଖରୁ ୨୦୧୪ରେ ୯ଟି ଏୟାର ଡିଫେନ୍ସ ସିଷ୍ଟମ କ୍ରୟ କରିବାକୁ ବୁଝାମଣା କରିଥିଲା। ଚୀନ ଏହାକୁ ଅଲମାଜ୍ ଆନ୍ତେ ସହଯୋଗରେ ୨୦୧୧ରେ ବିକଶିତ କରିଥିଲା। ଯାହା ପାଖରୁ ଭାରତ ସବୁଠୁ ଗୁରୁତ୍ବପୂର୍ଣ୍ଣ ଏସ-୪୦୦ କିଣିଛି। ମିଡିୟମ୍ ରେଞ୍ଜ ଏହି ଏୟାର ଡିଫେନ୍ସ ସିଷ୍ଟମକୁ ଚୀନ HQ 16 ନାଁରେ ପାକିସ୍ତାନକୁ ଏହାର ଏକ୍ସପୋର୍ଟ ଭର୍ଜନ LY 80 LOMAD ବିକ୍ରି କରିଥିଲା।
ଏଥିମଧ୍ୟରୁ ୩ ସିଷ୍ଟମକୁ ୨୦୧୬ରେ ଏବଂ ବାକି ୬କୁ ୨୦୧୯ରେ ପାକିସ୍ତାନକୁ ହସ୍ତାନ୍ତର କରିଥିଲା ଚୀନ। ପାଖାପାଖି ୪୭୦୦ କୋଟି ଟଙ୍କାର ଏହି ସିଷ୍ଟମକୁ ୨୦୧୯ର ଭାରତୀୟ ବାୟୁସେନାର ବାଲାକୋଟ ଷ୍ଟ୍ରାଇକ୍ ପରେ ପାକିସ୍ତାନ ଭାରତୀୟ ସୀମା ନିକଟରେ ମୁତୟନ କରିଥିଲା। ଅନ୍ୟପଟେ ଏହାକୁ ମିଡିୟମ ରେଞ୍ଜର ସବୁଠୁ ସୁଦୃଢ଼ ଡିଫେନ୍ସ ସିଷ୍ଟମ ବୋଲି ଚୀନ ଦାବି କରୁଥିବା ବେଳେ ପାକିସ୍ତାନ ଏବେ ମୁଣ୍ଡରେ ହାତ ଦେଇ ବସିଛି। ଡିଫେନ୍ସ ସିଷ୍ଟମରେ ପାଖାପାଖି ୩୮୮ ପ୍ରକାର ତ୍ରୁଟି ଥିବା ନେଇ ଲିଷ୍ଟ ଚୀନକୁ ଦେଇଛି ପାକିସ୍ତାନ।