ପଥରକୁ ପଥରରେ କାଉଣ୍ଟର: ଲଦ୍ଦାଖରେ ଉଖୁରାଇଲା ଚୀନ ସେନା, ପାଲଟା ଜବାବ ଦେଲେ ଭାରତୀୟ ଯବାନ
26/05/2020 at 5:44 PM

ଲଦ୍ଦାଖ, ୨୬|୦୫: ଲଦ୍ଦାଖରେ ଭାରତ ଓ ଚୀନ ସେନା ମଧ୍ୟରେ ସୀମାରେ ଉତ୍ତେଜନାମୂଳକ ପରିସ୍ଥିତି ଜାରି ରହିଛି । ପାଙ୍ଗଙ୍ଗ୍ ହ୍ରଦ ପାଖରେ ଚୀନ ସୈନିକ ଓ ଭାରତୀୟ ସୈନିକଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ଉପୁଜିଛି । ଏପରିକି ଚୀନ ସେନା ଭାରତୀୟ ଯବାନଙ୍କୁ ଲକ୍ଷ୍ୟ କରି କଣ୍ଟା ଓ ପଥର ମାଡ କରିଛନ୍ତି ।
ସେନାର ସୂତ୍ରାନସାରେ, ଚୀନ ସେନା ବେଆଇନ ଭାବେ ଭାରତୀୟ ସେନାର କାର୍ଯ୍ୟରେ ହସ୍ତକ୍ଷେପ କରୁଛି । ସେମାନେ ଭାରତୀୟ ଯବାନଙ୍କୁ ଟାର୍ଗେଟ୍ କରି ପଥର ଓ କଣ୍ଟା ଗୁଡା ଯାଇଥିବା କାଠ ମାଡ କରୁଛନ୍ତି । ଭାରତୀୟ ସୈନିକଙ୍କୁ ଆହତ କରିବା ପାଇଁ ଚୀନ ଏପରି ପନ୍ଥା ଆପଣାଉଛି । ଭାରତ ମଧ୍ୟ ସମାନ ଭାବେ ଏହାର ଜବାବ ଦେଇଥିଲା । ତେବେ ଚୀନ ସୈନିକଙ୍କ ସଂଖ୍ୟା ଅଧିକ ରହିଥିଲା ।

ଚୀନ ଅଧିକ ସଂଖ୍ୟକ ସୈନିକଙ୍କୁ ବ୍ୟବହାର କରିଥିଲା । ଯାହା ସେ ପୂର୍ବରୁ କରିଆସୁଛି । ଏହା ପଛରେ ପିପୁଲ୍ସ୍ ଲିବରେସନ ଆର୍ମୀର ହାତ ଥିବା ସ୍ପଷ୍ଟ ହୋଇଯାଇଛି । ଭାରତୀୟ ଯବାନମାନେ କେବେବି ଚୀନ ସୈନିକଙ୍କୁ ଘଉଡାଇବା ପାଇଁ ଏପରି ପନ୍ଥା ଅବଲମ୍ବନ କରିନଥାନ୍ତି । ତେବେ ପରସ୍ପର ସହ ମୁହାଁମୁହିଁ ଓ ଠେଲାପେଲାର ଅନେକ ନଜିର ରହିଛି ।
ବର୍ତ୍ତମାନର ସ୍ଥିତିରେ ୫୦୦୦ରୁ ଅଧିକ ଚୀନ ସୈନିକ ବାସ୍ତବ ନିୟନ୍ତ୍ରଣ ରେଖରେ ଏକାଠି ହୋଇଛନ୍ତି । ଦୁଇ ପକ୍ଷ ମଧ୍ୟରେ ମେ ୫ରୁ ହିଁ ଉତ୍ତେଜନା ଲାଗି ରହିଛି । ଏହି ସ୍ଥିତି ଏବେବି ସୁଧୁରୁ ନାହିଁ ।