କରୋନା ଭୂତାଣୁ ପଛରେ ଚୀନ୍‌ର ହାତ ! ଗବେଷକ କହିଲେ- 'ଯାଞ୍ଚ୍ ହେବା ଜରୁରୀ'

Published By : Prameya-News7 Bureau | May 25, 2021 IST

ନୂଆଦିଲ୍ଲୀ, ୨୫/୦୫: କରୋନା ସଂକ୍ରମଣ ସହ ଚୀନ୍‌ର ସମ୍ପୃକ୍ତି ବାବଦରେ ତଦନ୍ତ ପାଇଁ ଦୀର୍ଘଦିନ ଧରି ଦାବି ଉଠୁଥିବା ବେଳେ ଏବେ ବିଶ୍ୱର ପ୍ରମୁଖ ଗବେଷକମାନେ କରୋନାର ପ୍ରକୃତ ଉତ୍ପତ୍ତି ସ୍ଥଳ କେଉଁଠି ତାହା ଜାଣିବା ପାଇଁ ଅନୁସନ୍ଧାନ ହେବା ଜରୁରି ବୋଲି ମତବ୍ୟକ୍ତ କରିଛନ୍ତି । ସେମାନେ ଚୀନ୍‌ ଉପରେ ସିଧା ଅଙ୍ଗୁଳି ଉଠାଇଛନ୍ତି । ଭୂତାଣୁର ଉତ୍ପତ୍ତିସ୍ଥଳ ଜଣାପଡ଼ିଲେ, ପ୍ରକୃତ ତଥ୍ୟ ସାମ୍ନାକୁ ଆସିପାରିବ ବୋଲି ଦର୍ଶାଇଛନ୍ତି । ବର୍ଷେ ତଳେ କରୋନାର ଉତ୍ପତ୍ତି ସ୍ଥଳ ବାବଦରେ ତଦନ୍ତ ପାଇଁ ବିଭିନ୍ନ ମହଲରୁ ଦାବି ଉଠିଥିଲା । ଚୀନ୍‌ର ୱୁହାନ ଲାବରୁ ଏହି ଘାତକ ଭୂତାଣୁ ଲିକ୍‌ ହୋଇଥିବା ନେଇ ବିଭିନ୍ନ ରିପୋର୍ଟ ପ୍ରକାଶ ପାଇଥିଲା । ବର୍ତ୍ତମାନ ୧୮ ବିଶିଷ୍ଟ ଜୀବ ବିଜ୍ଞାନୀଙ୍କ ପକ୍ଷରୁ ଲେଖାଯାଇଥିବା ଏକ ଚିଠି “ଅନ୍ତର୍ଜାତୀୟ ପତ୍ରିକା ସାଇନ୍ସ’ରେ ପ୍ରକାଶ ପାଇଛି । ଏଥିରେ ସେମାନେ କରୋନା ଭୂତାଣୁର ଉତ୍ପତ୍ତି ସ୍ଥଳର ସନ୍ଧାନ ପାଇଁ ଆହ୍ୱାନ ଦେଇଛନ୍ତି । ଏମାନଙ୍କ ମଧ୍ୟରେ ବିଶ୍ୱର କିଛି ବିଶିଷ୍ଟ କରୋନା ଭୂତାଣୁ ଗବେଷକ ବି ରହିଛନ୍ତି ।

ଏହି ବିଶିଷ୍ଟ ଗବେଷକମାନେ କହିଛନ୍ତି ଯେ, ଚୀନ୍‌ର ବିଭିନ୍ନ ପରୀକ୍ଷାଗାର (ୱୁହାନ ସମେତ) ସେମାନଙ୍କ ରେକର୍ଡଗୁଡ଼ିକୁ ଖୋଲିବା ଦରକାର । ଅତଃ ସେମାନେ ନିଜ ଦାବିକୁ ସ୍ୱଚ୍ଛ ପ୍ରମାଣିତ କରିବା ପାଇଁ ଏହି ରେକର୍ଡଗୁଡ଼ିକ ଉପରେ ଖୋଲାଖୋଲି ବିତର୍କକୁ ଅନୁମତି ଦେବା ଜରୁରି । ଏହା ଦ୍ୱାରା ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ । ଏମିତି କି ଭୂତାଣୁ ପଛରେ ଚୀନ୍‌ର ହାତ ରହିଛି ବୋଲି ବିଶ୍ୱରେ ଯେଉଁ ସନ୍ଦେହ ପ୍ରକାଶ ପାଉଛି, ତାହା ବି ଦୂର ହୋଇପାରିବ । ଷ୍ଟାନଫୋର୍ଡ ୟୁନିଭର୍ସିଟି ମାଇକ୍ରୋବାୟୋଲୋଜିଷ୍ଟ ଡେଭିଡ ରେଲମ୍ୟାନ ଏବଂ ୟୁନିଭର୍ସିଟି ଅଫ ୱାଶିଂଟନର ଭାଇରୋଲୋଜିଷ୍ଟ ଜେସ ବ୍ଲୁମଙ୍କ ଦ୍ୱାରା ଗବେଷକଙ୍କ ଚିଠିଗୁଡ଼ିକୁ ସଂଗଠିତ କରାଯାଇଛି । କୋଭିଡର ଉତ୍ପତ୍ତି ସ୍ଥଳ ବାବଦରେ ଉଭୟ ଡବ୍ଲ୍ୟୁଏଚଓ ଏବଂ ଚୀନ ଦ୍ୱାରା ହୋଇଥିବା ଅଧ୍ୟୟନଗୁଡ଼ିକ ଉପରେ ଯାଞ୍ଚ ହେବା ଆବଶ୍ୟକ ବୋଲି ସେମାନେ ଦାବି କରିଛନ୍ତି ।

ଡବ୍ଲ୍ୟୁଏଚଓ ଏବଂ ଚୀନ୍‌ ପକ୍ଷରୁ ହୋଇଥିବା ଅଧ୍ୟୟନ ମୁତାବକ କୌଣସି ଲାବରୁ କରୋନା ଭୂତାଣୁ ଲିକ ହୋଇନାହିଁ । ବରଂ ବାଦୁଡ଼ିରୁ ଭୂତାଣୁ ବାହାରି ପଶୁ ଜରିଆରେ ମଣିଷଙ୍କ ନିକଟରେ ପହଞ୍ଚିଛି । ଦାବି ଉଠାଇଥିବା ଗବେଷକଙ୍କ ମଧ୍ୟରେ ଥିବା ହାର୍ଭାର୍ଡ ୟୁନିଭର୍ସିଟି ମହାମାରୀ ବିଶେଷଜ୍ଞ ମାର୍କ ଲିପଷ୍ଟିକ କହିଛନ୍ତି, କୋଭିଡର ମୁକାବିଲା ପାଇଁ ସମସ୍ତେ ଟିକା ଗବେଷଣାରେ ମାତିଥିଲେ । ଏହା ପରିବର୍ତ୍ତେ ଭୂତାଣୁର ଉତ୍ପତ୍ତି ସ୍ଥଳ କଥା ଚିନ୍ତା କରିଥିଲେ ହୁଏତ ଶୀଘ୍ର ପ୍ରତିକାର ବାହାରିଥାନ୍ତା । ମୁଁ ପ୍ରଥମେ କରୋନା ଭୂତାଣୁର ପରିଣତି କ’ଣ ହେବ, ତାହା ଉପରେ ଗବେଷଣା କରୁଥିଲି । ତେଣୁ ଏହାର ସୃଷ୍ଟି କେମିତି ହେଲା ତାହା ଉପରେ ମୋର ଫୋକସ ନ ଥିଲା । କିନ୍ତୁ ଡବ୍ଲ୍ୟୁଏଚଓ ଯେତେବେଳେ ଏ ନେଇ ଅଧ୍ୟୟନ ରିପୋର୍ଟ ଦେଲା, ତାହା ଉପରେ ଆଲୋଚନା କରିବାର ସମୟ ଆସିଛି ବୋଲି ମୁଁ ଭାବୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.