ଆମେରିକାରେ ବର୍ଣ୍ଣବିଦ୍ୱେଷ ଆନ୍ଦୋଳନ ବେଳେ ଏପରି ପରାମର୍ଶ ଦେଲା ଚୀନ୍, ଭୁଲିଗଲା ୱିଗୁର ପ୍ରସଙ୍ଗ
1/06/2020 at 6:09 PM

ବେଜିଂ ୧।୬: ପୋଲିସ ହାଜତରେ ଅଶ୍ୱେତ ନାଗରିକ ଜର୍ଜ ଫ୍ଲାୟର୍ଡଙ୍କ ମୃତ୍ୟୁକୁ ନେଇ ଆମେରିକାରେ ଜନ ଆନ୍ଦୋଳନ ବଢିବାରେ ଲାଗିଛି। ସୋମବାର ନିୟୁୟର୍କ ସମେତ ଲସଏଞ୍ଜେଲସ୍, ଫିଲାଡେଲାଫିଆ ଓ ଅନ୍ୟ ସହରାଞ୍ଚଳରେ ଲୋକେ ହିଂସକ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏଣୁ ପୋଲିସ ବ୍ୟାପକ ଗିରଫଦାରୀ କରିଥିବା ବେଳେ ଗୋଟିଏ ଦିନରେ ବିଭିନ୍ନ ସ୍ଥାନରୁ ୪୦୦ ଲୋକେ ଗିରଫ ହୋଇଥିବା ଜଣାପଡିଛି। ଗୋଟିଏ ପଟେ କରୋନା ସଂକ୍ରମଣ ହେଉଥିବା ବେଳେ ଅନ୍ୟପଟେ ଅଶ୍ୱେତ ବିକ୍ଷୋଭ ଯୁକ୍ତରାଷ୍ଟ୍ରକୁ ବ୍ୟତିବ୍ୟସ୍ତ କରିପକାଇଛି। ଏଥିରେ ଚୀନର ପରାମର୍ଶ ଏବେ ବିଶ୍ୱବ୍ୟାପୀ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି।

ବେଜିଂରେ ଚୀନ୍ ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ଝାଓ ଲିଜିଆନ କହିଛନ୍ତି ଯେ ଆମେରିକାରେ ଜର୍ଜ ଫ୍ଲାୟର୍ଡଙ୍କ ମୃତ୍ୟୁପରେ ପରିସ୍ଥିତି ଉପରେ ଆମେ ବରାବର ନଜରରେ ରଖିଛୁ। ଅଶ୍ୱେତ ଲୋକଙ୍କ ଜୀବନର ମଧ୍ୟ ମୂଲ୍ୟ ଅଛି ଏଣୁ ସେଠାରେ ମାନବାଧିକାରର ସୁରକ୍ଷା ଜରୁରି ହୋଇପଡିଛି। ଆମେରିକାରେ ଅଳ୍ପ ସଂଖ୍ୟକଙ୍କ ପ୍ରତି ବର୍ଣ୍ଣବିଦ୍ୱେଷ ରହିଛି। ସେମାନଙ୍କ ସହ ଭେଦଭାବ କରାଯାଏ ବୋଲି ମୁଖପାତ୍ର କହିଛନ୍ତି। ଏଥିରେ ଏବେ ଯାହା ହୋଇଛି ଗୁରୁତର ସାମାଜିକ ସମସ୍ୟା ପଦାକୁ ଆସିଛି। ଯାହାର ତତ୍କାଳ ସମାଧାନ ହେବା ଦରକାର ବୋଲି କହିଛନ୍ତି ଲିଜିୟାନ। ଏଣୁ ଆମେ ଆଶାକରୁଛୁ ଆମେରିକା ସରକାର ଅନ୍ତର୍ଜାତୀୟ ଦାୟିତ୍ୱ ଅନୁରୂପ ଜାତୀୟ ସଂଖ୍ୟାଲଘୁଙ୍କୁ ଆଇନଗତ ଅଧିକାର, ସୁରକ୍ଷା ଓ ବର୍ଣ୍ଣବିଦ୍ୱେଷରୁ ମୁକ୍ତ ରଖିବା ଲାଗି ମଜଭୁତ ପଦକ୍ଷେପନେବେ ବୋଲି ଲିଜିୟାନ କହିଛନ୍ତି।

ସୂଚନା ଯୋଗ୍ୟଯେ ଚୀନ ଉଇଗୁର ମୁସଲମାନ ସମ୍ପ୍ରଦାୟଙ୍କ ଉପରେ ଚଳାଇଥିବା ଅମାନବୀୟ ଅତ୍ୟାଚାର ଲାଗି ସାରା ବିଶ୍ୱରେ ଚର୍ଚ୍ଚିତ ହେଉଥିବା ବେଳେ ଆମେରିକା ବର୍ଣ୍ଣବିଦ୍ୱେଷକୁ ନେଇ ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ଏପରି ବିବୃତ୍ତି ଦେଇଛନ୍ତି। ହେଲେ ଉଇଗୁରଙ୍କ ପ୍ରତି ନିଜର ନୀତି କୋହଳ କରିଥିବାର କେଉଁଠାରେ ବି ସ୍ପଷ୍ଟ କରି ନାହଁ। ଦେଶର ଏହି ସମ୍ପ୍ରଦାୟ ଧାର୍ମିକ ଅଧିକାର ହରାଇଥିବା ବେଳେ ମୌଳିକ ଅଧିକାରରୁ ମଧ୍ୟ ବଞ୍ଚିତ। ହେଲେ ଦେଶର କମ୍ୟୁନିଷ୍ଟ ସରକାର ଏଥିପ୍ରତି ଆଖିମୁଜି ଦେଇଛନ୍ତି।