ବିଶ୍ୱାସଘାତକ ଚୀନ: ଏପଟେ କଥାବାର୍ତ୍ତା ସେପଟେ ସମରସଜ୍ଜା, ଏଲଏସିରେ ୨୦ ହଜାର ପିଏଲଏ ସେନା, ପଛରେ ଅଛନ୍ତି ଆହୁରି ୧୦ ହଜାର

Published By : Prameya-News7 Bureau | July 01, 2020 IST

ନୂଆଦିଲ୍ଲୀ, ୦୧|୦୭:   ଲଦାଖ ସୀମାରେ ଚୀନ ପୁଣି ବିଶ୍ୱାସ ଭାଙ୍ଗିବା ପରି କାମ କରିଛି । ଗୋଟିଏ ପଟେ ଡ୍ରାଗନ୍ ଭାରତ ସହ କଥାବାର୍ତ୍ତା କରୁଥିବା ବେଳେ ଏବେ ଏଲଏସି ନିକଟରେ ୨୦ ହଜାର ଯବାନଙ୍କୁ ମୁତୟନ କରିଛି । କେବଳ ଏତିକି ନୁହେଁ ସିନଜିୟାଙ୍ଗରେ ଅତିରିକ୍ତ ୧୦ରୁ ୧୨ ହଜାର ଯବାନଙ୍କୁ କ୍ୟାମ୍ପ୍ କରି ରଖିଛି । ସେମାନେ ଅତିଶୀଘ୍ର ସୀମାରେ ପହଁଚିବେ ବୋଲି କୁହାଯାଉଛି । ଏହାପୂର୍ବରୁ ପାକିସ୍ତାନ ମଧ୍ୟ ଗିଲଗିଟ୍-ବାଲଟିସ୍ଥାନ ସୀମାରେ ୨୦ ହଜାର ସୈନ୍ୟଙ୍କୁ ମୁତୟନ କରିଥିଲା ।

ସରକାରୀ ସୂତ୍ରାନୁସାରେ, ଚୀନ ନିଜ ସୈନ୍ୟର ୨ ଡିଭିଜନକୁ ଏଲଏସି ଇଷର୍ଣ୍ଣ ଲଦାଖ ଲେକ୍ଟରରେ ମୁତୟନ କରିଛି । ଆଉ ଏକ ଡିଭିଜିନ ସିନଜିୟାଙ୍ଗରେ ରହିଛନ୍ତି । ଏହା ଏଲଏସିଠାରୁ ୧ ହଜାର କିମି ଦୂର ହେଲେ ମଧ୍ୟ ୪୮ ଘଣ୍ଟାରେ ସୀମାରେ ପହଁଚିପାରିବେ । ଭାରତ ଏହା ଉପରେ କଡା ନଜର ରଖିଛି । ଚୀନ ସାଧାରଣ ଭାବେ ତିବ୍ବତ ଅଞ୍ଚଳରେ ପୂର୍ବରୁ ଦୁଇଟି ଡିଭିଜନ୍ ମୁତୟନ କରିଥିବା ବେଳେ ଆଉ ୨ ଡିଭିଜିନ ମୁତୟନ କରିଛି ।

ଗଲଓ୍ୱାନରେ ପେଟ୍ରୋଲ ପଏଣ୍ଟ ୧୪ ବ୍ୟତୀତ ପାଙ୍ଗଙ୍ଗ ହ୍ରଦ, ସିଙ୍ଗର୍ ଏରିଆରେ ମଧ୍ୟ ଚୀନ ସୈନ୍ୟ ସଂଖ୍ୟାରେ ବୃଦ୍ଧି କରିଛି । ଫିଙ୍ଗର ୮ରେ ସେ ନିଜର ପ୍ରଶାସନିକ ବେସ୍ କ୍ୟାମ୍ପ୍ ପ୍ରସ୍ତୁତ କରିଛି । ଏହାସହ ଫିଙ୍ଗର ୪ ଯାଏଁ ଭାରତର ମୁକାବିଲା କରିବା ପାଇଁ ଚୀନ ରଣନୀତି ପ୍ରସ୍ତୁତ କରିଛି ।

ପୂର୍ବରୁ ମେ ୧୮ ଓ ୧୯ରେ ଏହି ଫିଙ୍ଗର୍ ଏରିଆରେ ଚୀନ ସୈନ୍ୟ ସଂଖ୍ୟାରେ ବୃଦ୍ଧି କରିଥିଲା । ଏଠାରେ ପ୍ରାୟ ୨୫୦୦ ଚୀନା ସୈନିକ ପହଁଚିଥିଲେ । ଭାରତର ୨୦୦ ଯବାନ ସେଠାରେ ଉପସ୍ଥିତ ଥିଲେ । ଏଠାରେ ଭାରତୀୟ ଯବାନଙ୍କୁ ପେଟ୍ରୋଲିଂ କରୁଥିବା ବେଳେ ଚୀନ ସୈନ୍ୟ ରୋକିବାକୁ ଚେଷ୍ଟା କରୁଥିଲେ ।

ସୂଚନାଯୋଗ୍ୟ, ଭାରତ ଓ ଚୀନ ମଧ୍ୟରେ ଲଦାଖରେ ଲାଗିରହିଥିବା ବିବାଦ ମଧ୍ୟରେ ପାକିସ୍ତାନ ଗିଲଗିଟ-ବାଲଟିସ୍ଥାନରେ ୨୦ ହଜାର ସୈନ୍ୟଙ୍କୁ ମୁତୟନ କରିଛି । ପାକିସ୍ତାନ ଚୀନର କହିବାନୁସାରେ ଏପରି କରିଥିବା କୁହାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.