ଚିଲିକାରେ ଏବେ ଆନ୍ଧ୍ର ମାଛ ମାଫିଆଙ୍କ ଦୌରାତ୍ମ୍ୟ - ଦଲାଲଙ୍କ ସହାୟତାରେ ଚାଲିଛି ମାଛ ଚାଷ

Published By : Prameya-News7 Bureau | November 22, 2019 IST

ଭୁବନେଶ୍ୱର ୨୨।୧୧ -   ଚିଲିକାରେ ଏବେ ଆନ୍ଧ୍ର ମାଛ ମାଫିଆଙ୍କ ଦୌରାତ୍ମ୍ୟ । ଚିଲିକା ଉପକୂଳବର୍ତ୍ତୀ ଅଂଚଳର କିଛି ମୁଷ୍ଟିମେୟ ବ୍ୟକ୍ତି ଏବଂ କିଛି ମାଛ ବ୍ୟବସାୟୀଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ  ହଜାର ହଜାର ଏକର ଜମିକୁ ଜବରଦଖଲ କରି ସେଥିରେ ପୋଖରୀ କୋଳି ମାଛ ଚାଷ କରୁଛନ୍ତି ଆନ୍ଧ୍ର ମାଛ ମାଫିଆ । ନ୍ୟାସନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲଙ୍କ ନିର୍ଦେଶ ପରେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଚିଲିକାର ପାଖରେ ଉଚ୍ଛେଦ କାମ ଆରମ୍ଭ କରିଥିଲେ ମଧ୍ୟ ଆଖପାଖରେ ଲୋକଙ୍କ ଚାଷ ଜମିକୁ ବନ୍ଧକ ସୂତ୍ରରେ ନେଇ କାରବାର ଜାରି ରଖିଛନ୍ତି ଆନ୍ଧ୍ର ମାଛ ମାଫିଆମାନେ ।

ଚିଲିକା ସୀମାରେ ମାତିଛନ୍ତି ଆନ୍ଧ୍ର ମାଛ ମାଫିଆ । ହଜାର ହଜାର ଏକ ଜମିକୁ ଜବରଦଖଲ କରି ସେଥିରେ ପୋଖରୀ ଖୋଳି ମାଛ ଚାଷ କରୁଛନ୍ତି । ଆଉ ଓଡ଼ିଶାରେ ସେମାନଙ୍କ ଏହି କାରବାରର ସୂତ୍ରଧର ସାଜିଛନ୍ତି କିଛି ମୁଷ୍ଟିମେୟ ବ୍ୟକ୍ତି ଏବଂ କିଛି ମାଛ ବ୍ୟବସାୟୀ । ଆନ୍ଧ୍ର ମାଫିଆଙ୍କ ଠାରୁ ମୋଟା ଅଙ୍କର ବଟି ନେଇ ସେମାନଙ୍କୁ ମାଛ ଚାଷ ପାଇଁ ସୁଯୋଗ ଦେଇଛନ୍ତି । ଓଡ଼ିଶାର ମତ୍ସ୍ୟଜୀବୀ ଜୀବିକା ହରାଇ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବା ବେଳେ ଆନ୍ଧ୍ରର ମାଛ ମାଫିଆ ମାନେ ଓଡ଼ିଶାକୁ ଆସି କୋଟି କୋଟି ଟଙ୍କା ମୁନାଫା କମାଉଛନ୍ତି । ନ୍ୟାସନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲଙ୍କ ନିର୍ଦେଶ ପରେ ଏବେ ଚିଲିକାର  ପାଖରେ ଜବରଦଖଲ ଉଚ୍ଛେଦ କାମ ଆରମ୍ଭ କରିଛି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ।

ପ୍ରଶାସନର ଏଭଳି କାର୍ଯ୍ୟକୁ ଦେଖି ଆନ୍ଧ୍ର ମାଛ ମାଫିଆ ମାନେ ସ୍ଥାନୀୟ ଅଂଚଳର କିଛି ଦଲାଲଙ୍କ ସହଯୋଗରେ ଚିଲିକା ଉପକୂଳରେ ଧାନ ଚାଷ ପାଇଁ ଲୋକଙ୍କୁ ଲିଜ୍‌ ଦିଆଯାଇଥିବା ଜମିକୁ ବନ୍ଧକ ସୂତ୍ରରେ ହାତେଇ ସେଥିରେ ପୋଖରୀ ଖୋଳି ମାଛ ଚାଷ କରୁଛନ୍ତି । ଏଥି ପାଇଁ ସେମାନେ ଖୋଳିଥିବା ପୋଖରୀକୁ ଚିଲିକା ପାଣି ଆସିବା ଏବଂ ପୋଖରୀରୁ ବର୍ଯ୍ୟଜଳ ଚିଲିକାକୁ ଛାଡ଼ିବା ବ୍ୟବସ୍ଥା ମଧ୍ୟ କରିଛନ୍ତି । ଫଳରେ ଚିଲିକା ପାଣି ଦୂଷିତ ହେବାରେ ଲାଗିଛି । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ତହସିଲ ଅଂଳରରେ ଥିବା ଭୁଷଣ୍ଡପୁର ପାଖରେ ଏଭଳି ବେଆଇନ୍‌ ପୋଖରୀ ଖୋଳି ମାଛ ଚାଷ ଚାଲିଥିବା ବେଳେ ସ୍ଥାନୀୟ ଲୋକେ ଏଥି ପାଇଁ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.