ଚିଲିକାରେ ସ୍ଥିରୀକୃତ ଓ୍ୱାଟର ଏରୋଡ଼୍ରମକୁ ତୀବ୍ର ବିରୋଧ
17/08/2018 at 1:21 PM

ପୁରୀ ୧୭/୮ : କେନ୍ଦ୍ର ବେସାମରିକ ବିମାନ ଚଳାଚଳ ଦ୍ୱାରା ଚିଲିକାରେ ସ୍ଥିରୀକୃତ ଓ୍ୱାଟର ଏରୋଡ଼୍ରମକୁ ତୀବ୍ର ବିରୋଧ କରିଛି ଚିଲିକା ପାରମ୍ପରିକ ମତ୍ସ୍ୟଜୀବି ମିଳିତ ମଞ୍ଚ ଓ ଚିଲିକା ପରିବେଶ ପର୍ଯ୍ୟଟନ ମହାସଂଘ। ଓ୍ୱାଟର ଏରୋଡ଼୍ରମ ପରିକଳ୍ପନା ଏକ ଉଭ୍ଦଟ ଚିନ୍ତାଧାରା। କୌଣସି ପରିସ୍ଥିତିରେ ଏହି ପ୍ରକଳ୍ପ କରାଇଦିଆଯିବ ନାହିଁ ବୋଲି କହିଛି ସଂଘ । ମୁଖ୍ୟମନ୍ତ୍ରୀଙ୍କୁ ପ୍ରଥମେ ସ୍ମାରକପତ୍ର ଦିଆଯିବ। ପ୍ରତିଶୃତି ନମିଳିଲେ ଚିଲିକା ଉପରେ ନିର୍ଭରଶୀଳ ପୁରୀ, ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାର ୪ ଲକ୍ଷ ପାରମ୍ପରିକ ମତ୍ସ୍ୟଜୀବି ମା’ କାଳିଜାଇଙ୍କ ପୀଠରୁ ମହାସଂଗ୍ରାମ ପାଇଁ ସଙ୍କଳ୍ପ ନେବେ। ଚିଲିକା ପ୍ରକୃତିର ଅନବଦ୍ୟ ସୃଷ୍ଟି। ଏହା ଅନେକ ଜୈବ ବିବିଧତାର ସମୋରୋହରେ ପରିପୁର୍ଣ୍ଣ। ଏହା ଏସିଆ ମହାଦେଶର ସର୍ବାଧିକ ଓ ସର୍ବୋତ୍ତମ ଲୁଣା ହ୍ରଦ। ଚିଲିକାରେ ବିଲୁପ୍ତ ପ୍ରାୟ ୧୭୦ ଟି ଇରାଓ୍ୱାଡ଼ି ଡ଼ଲଫିନ୍ ବାସ କରନ୍ତି। ଓ୍ୱାଟର ଏରୋଡ଼୍ରମ୍ ଦ୍ୱାରା ୪ ଲକ୍ଷ ମତ୍ସ୍ୟଜୀବିଙ୍କ ଜୀବନଜୀବିକା, ପରିବେଶ ଓ ଜୈବବିବିଧତା ନଷ୍ଟ ହେବ। ଏଥିପାଇଁ ମତ୍ସ୍ୟଜୀବି ମହାସଂଘ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରସ୍ତାବିତ ଓ୍ୱାଟର ଏରୋଡ଼୍ରମ୍ ନୀତିକୁ ବିରୋଧ କରିଛି। ଏଥିସହ ଚିଲିକାରୁ ବେଆଇନ୍ ଚିଙ୍ଗୁଡ଼ି ଘେରି ଉଛେଦ ନାମରେ ଚିଲିକା ଉନ୍ନୟନ କର୍ତ୍ତୁପକ୍ଷ ଚଳାଇଥିବା ମତ୍ସ୍ୟଜୀବି ମାରଣ ନୀତିକୁ ତୁରନ୍ତ ବନ୍ଦ ପାଇଁ ମହାସଂଘ ଏକ ସାମ୍ୱାଦିକ ସମ୍ମିଳନୀ ମାଧ୍ୟମରେ ଦୃଢ଼ ଦାବୀ କରିଛି।