ଚିଲିକା ଡିଏଫ୍‌ଓ କୋର୍ଟ ଚାଲାଣ ; ଦେଇପାରିଲେନି ୧ କୋଟି ୩୨ ଲକ୍ଷ ଟଙ୍କା ସମ୍ପତ୍ତିର ହିସାବ, ଗିରଫ କରିଛି ଭିଜିଲାନ୍ସ

Published By : Prameya-News7 Bureau | August 11, 2020 IST

ଭୁବନେଶ୍ବର ୧୧।୮: ଗିରଫ ହେଲେ କୋଟିପତି ଡିଏଫ୍ଓ । ଚିଲିକା ୱାଇଲ୍ଡ ଲାଇଫ୍ ଡିଏଫ୍‌ଓ ଆଲୋକ ରଞ୍ଜନ ହୋତାଙ୍କୁ ଗିରଫ କଲା ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତି ଠୁଳ ମାମଲାରେ ଡିଏଫ୍‌ଓ ଗିରଫ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ୧ କୋଟି ୩୨ ଲକ୍ଷ ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଜବତ କରାଯାଇଛି । ଡିଏଫ୍‌ଓଙ୍କ ସମ୍ପତ୍ତି ନେଇ ଅଧିକ ଅନୁସନ୍ଧାନ ଚଳାଇଛି ଭିଜିଲାନ୍ସ ।

ସୋମବାର ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚିଲିକା ୱାଇଲ୍ଡ ଲାଇଫ୍‌ ଡିଭିଜନ୍‌ର ଡିଏଫ୍‌ଓ ଆଲୋକ ରଞ୍ଜନ ହୋତାଙ୍କ ଘରେ ଭିଜିଲାନ୍ସ ଚଢାଉ କରିଥିଲା । ଭୁବନେଶ୍ବର ଭିଜିଲାନ୍ସ ଟିମ୍‌ ଜଗତସିଂହପୁର ଚାଷୀଖଣ୍ଡ ଗାଁ ସ୍ଥିତ ପୈତୃକ ଘର, ଚନ୍ଦ୍ରଶେଖରପୁର ଘର, ବରମୁଣ୍ଡାରେ ସମ୍ପର୍କୀୟଙ୍କ ଘର, ବାଲୁଗାଁ ଅଫିସ୍‌କୁ ମିଶାଇ ମୋଟ ୬ଟି ସ୍ଥାନରେ ଚଢ଼ଉ କରିଥିଲା । ଚଢ଼ଉ ସମୟରେ ୧ କୋଟି ୩୨ ଲକ୍ଷ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଜବତ କରିଥିଲା ଭିଜିଲାନ୍ସ ।

ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ମଧ୍ୟରେ ରହିଛି, ଭୁବନେଶ୍ବର ଚନ୍ଦ୍ରଶେଖରପୁରରେ ୫୦ ଲକ୍ଷ  ୩୭ ହଜାର ଟଙ୍କା ମୂଲ୍ୟର ୩ ମହଲା କୋଠା, ୭ ଲକ୍ଷ ୫୦ ହଜାର ଟଙ୍କା ମୂଲ୍ୟର ଏକ ମହଲା କୋଠା, ସର୍ବକ୍ଷମାରେ ବିଡିଏକୁ ଦିଆଯାଇଛି ୯୧ ହଜାର ୮୧୯ ଟଙ୍କା, ୬ ଲକ୍ଷ ୫୨ ହଜାର ୫୭୦ ଟଙ୍କା ମୂଲ୍ୟର ଏକ କାର, ବିଭିନ୍ନ ବ୍ୟାଙ୍କ୍‌ରେ ରହିଛି ୫ ଲକ୍ଷ ୫୪ ହଜାର ୨୧୦ ଟଙ୍କା, ୧୧ ଲକ୍ଷ ୭୮ ହଜାର ୪୯୯ ଟଙ୍କାର ସ୍ବାସ୍ଥ୍ୟ ଓ ଗାଡ଼ି ବୀମା, ୪ ଲକ୍ଷ ୧୩ ହଜାର ଟଙ୍କାର ମ୍ୟୁଚୁଆଲ୍‌ ଫଣ୍ଡ, ୯୫ ହଜାର ଟଙ୍କାର ୨ ଟି ବାଇକ୍‌, ୧ ଲକ୍ଷ ୮୦ ହଜାର ୫୦୦ ଟଙ୍କାର ସୁନା ଓ ରୁପା ଅଳଙ୍କାର, ନଗଦ ୧ ଲକ୍ଷ ୭ ହଜାର ୩୦୦ ଟଙ୍କା, ୯ ଲକ୍ଷ ୩୫ ହଜାର ୭୬୯ ଟଙ୍କାର ଦାମୀ ଗୃହ ଉପକରଣ । ତାଙ୍କର ମୋଟ ସ୍ଥାବର ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୧ କୋଟି ୩୨ ଲକ୍ଷ ୫୫୧ ଟଙ୍କା ।

ତାଛଡା ବରମୁଣ୍ଡା ଓ ପଦ୍ମପୁରରେ ଥିବା ତାଙ୍କ ସମ୍ପର୍କୀୟଙ୍କ ଘରେ ମଧ୍ୟ ଚଢ଼ଉ କରାଯାଇଥିଲା । କାରଣ ସେ ତାଙ୍କ ସମ୍ପର୍କୀୟଙ୍କ ନାଁରେ ମଧ୍ୟ କିଛି ସମ୍ପତ୍ତି କରି ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.