ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ

Published By : Prameya-News7 Bureau | October 24, 2021 IST

ଟାଙ୍ଗୀ, ୨୪/୧୦: ଚିଲିକାକୁ ଆସିଲେଣି ବିଦେଶାଗତ ପକ୍ଷୀ । ପକ୍ଷୀଙ୍କ କାକଳୀରେ ମରାଳ ମାଳିନୀ ନୀଳାମ୍ବୁ ଚିଲିକା ହୋଇଛି ମୁଖରିତ  ।  ପକ୍ଷୀଙ୍କ ସୁରକ୍ଷା ପାଇଁ ବ୍ୟାପକ ବନ୍ଦୋବସ୍ତ କରିଛି ଚିଲିକା ବନ୍ୟପ୍ରାଣୀ ବିଭାଗ । ପାଟ୍ରୋଲିଂ ବ୍ୟବସ୍ଥା କରାଯାଇଛି । ବିଭିନ୍ନ ସ୍ଥାନରେ ପକ୍ଷୀ ସୁରକ୍ଷା କ୍ୟାମ୍ପ ସାଙ୍ଗକୁ ବନ୍ୟପ୍ରାଣୀ ବିଭାଗ କର୍ମଚାରୀମାନେ ପକ୍ଷୀ ସୁରକ୍ଷା ବାହିନୀ ଗଠନ କରି ସୁରକ୍ଷା ପାଇଁ ସଜାଗ ଅଛନ୍ତି ।

ଚିଲିକା ବନ୍ୟପ୍ରାଣୀ ଡିଭିଜନର ଅଧୀନରେ ଥିବା ୫ ଟି ରେଞ୍ଜ ଯଥା ଟାଙ୍ଗୀ, ରମ୍ଭା, ନୂଆପଡା, ଚିଲିକା [ବାଲୁଗାଁ ] ଓ ସାତପଡା ଆଦି ଅଞ୍ଚଳରେ ପକ୍ଷୀ ଶିକାର ନକରିବା ଲାଗି ବିଭିନ୍ନ ସ୍ଥାନରେ ଜନସଚେତନତା କାର୍ଯ୍ୟକ୍ରମ ମଧ୍ୟ ହେଉଛି । ଚିଲିକାର ଅତିଥି ସାଜିଥିବା ଏହି ଦେଶୀ-ବିଦେଶୀ ପକ୍ଷୀଙ୍କ ସୁରକ୍ଷା ପାଇଁ ପାଟ୍ରୋଲିଂ ବ୍ୟବସ୍ଥା କରାଯାଇଛି । ପକ୍ଷୀଙ୍କ ସୁରକ୍ଷା ବଳୟକୁ ପ୍ରବେଶ ନ କରିବା ଲାଗି ମତ୍ସ୍ୟଜୀବୀମାନଙ୍କୁ ବାରଣ ମଧ୍ୟ କରାଯାଇଛି । ଚିଲିକା ବନ୍ୟପ୍ରାଣୀ ଡିଭିଜନ ପକ୍ଷରୁ  ପକ୍ଷୀଙ୍କ ସୁରକ୍ଷା ବିଭିନ୍ନ ସ୍ଥାନରେ ଅର୍ଥାତ ସର୍ବମୋଟ  ୨୦ ଟି ପକ୍ଷୀ ସୁରକ୍ଷା କ୍ୟାମ୍ପ କରାଯାଇ ଦେଶୀ-ବିଦେଶୀ ପକ୍ଷୀଙ୍କୁ ସୁରକ୍ଷା ଯୋଗାଇ ଦିଆଯାଉଛି ବୋଲି ବାଲୁଗାଁ ଏସିଏଫ କହିଛନ୍ତି ।  

ଟାଙ୍ଗୀ ରେଞ୍ଜରେ ୧୧ ଟି, ବାଲୁଗାଁ ତଥା ଚିଲିକା ରେଞ୍ଜରେ ୪ ଟି, ନୂଆପଡା ରେଞ୍ଜରେ  ଗୋଟିଏ , ସାତପଡା ରେଞ୍ଜରେ ୨  , ରମ୍ଭା ରେଞ୍ଜରେ ୨ଟି ପକ୍ଷୀ ସୁରକ୍ଷା କ୍ୟାମ୍ପ ଗଠନ ହୋଇଛି ବୋଲି ବାଲୁଗାଁ ବନ୍ୟପ୍ରାଣୀ ଡିଭିଜନ  ଏସିଏଫ ଶରତ କୁମାର ମିଶ୍ର କହିଛନ୍ତି  ।

ଗତବର୍ଷ ଚିଲିକାକୁ ୧୯୦ ପ୍ରଜାତିର ପକ୍ଷୀ ଆସିଥିବା ସରକାରୀ ରେକର୍ଡରୁ ଜଣାଯାଏ ଏବଂ ସେମାନଙ୍କର ସଂଖ୍ୟା ୧୨  ଲକ୍ଷ ୪୨ ହଜାର ୮୨୬   ଥିଲା । ଏହି ବିଦେଶାଗତ ପକ୍ଷୀଙ୍କ ମଧ୍ୟରେ ଗଡୱିଲ, ପିଣ୍ଟେଲ, ଫ୍ଲେମିଙ୍ଗୋ  ଗ୍ରେହେରେନ, ପେଲିକାନ , ଗଡୱିଟ, ଗାରଗ୍ରେନ, ୱିଜନ ପ୍ରଭୃତି ରହିଥିଲେ ।   ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଯଦି ପାଗ ଅନୁକୂଳ ରୁହେ ତେବେ ଚିଲିକାରେ ପକ୍ଷୀ ସଂଖ୍ୟା ବଢିବ ବୋଲି ପକ୍ଷୀ ବିଶାରଦମାନେ ଆକଳନ କରିଛନ୍ତି । ପକ୍ଷୀଙ୍କ ସୁରକ୍ଷା ପାଇଁ ଚିଲିକା କୂଳମାନଙ୍କରେ ପକ୍ଷୀ ସୁରକ୍ଷା କ୍ୟାମ୍ପ କରାଯାଇଛି । ପକ୍ଷୀ ସୁରକ୍ଷା ବାହିନୀର କର୍ମଚାରୀମାନେ  ୨୪ ଘଣ୍ଟିଆ ପଇଁତରା ମାରୁଥିବା ଦେଖିବାକୁ ମିଳିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.