‘ଶିଶୁ ଦିବସ’ ରାଜନୀତି : ନଭେମ୍ବର ୧୪ ରେ ନପାଳିବାକୁ ଯୁକ୍ତି ରଖିଲେ ବିଜେପି ନେତା ମନୋଜ ତିୱାରି, ପ୍ରଧାନମନ୍ତ୍ରୀଙ୍କୁ ଚିଠି
26/12/2019 at 8:33 PM

ନୂଆଦିଲ୍ଲୀ ତା ୨୬.୧୨- ଆମ ରାଜନେତାଙ୍କ କଥା, କାମ ଆଉ ଚିନ୍ତାଧାରାକୁ ନେଇ ଯେତିକି ବିସ୍ମୟ ସେତିକି ବିବାଦ ।ଏମିତି ଏକ ବିବାଦକୁ ଏବେ ଉସକାଇଛନ୍ତି ଦିଲ୍ଲୀ ବିଜେପି ସଭାପତି ତଥା ସାଂସଦ ମନୋଜ ତିୱାରି । ତାଙ୍କର ଏକ ଦାବି ବିଜେପିର ଗାନ୍ଧି- ନେହେରୁ ପରିବାର ପ୍ରତି ଥିବା ବିରୋଧି ଆଭିମୁଖ୍ୟକୁ ପୁଣି ପଦାରେ ପକାଇଛି । କଥାଟି ହେଲା , ନଭେମ୍ବର ୧୪ ରେ ଶିଶୁ ଦିବସ ପାଳନକୁ ବିରୋଧ କରିଛନ୍ତି ଆକ୍ଟର ଟର୍ଣ୍ଣଡ୍ ପଲିଟିସିଆନ ମନୋଜ ତିୱାରି ।ସେ କହିଛନ୍ତି , ଡିସେମ୍ବର ୨୬ ରେ ଶିଶୁ ଦିବସ ପାଳନ କରାଯିବା ଅଧିକ ଯଥାର୍ଥ ହେବ ।

ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜାବାହାର ଲାଲ୍ ନେହେରୁଙ୍କ ଜନ୍ମଦିନ, ନଭେମ୍ବର ୧୪ ରେ ସାରା ଦେଶରେ ଶିଶୁ ଦିବସ ପାଳିତ ହୁଏ । ଜବାହାରଲାଲ୍ ଶିଶୁ ମାନଙ୍କୁ ଅଧିକ ଭଲ ପାଉଥିଲେ । ସେଥିଲାଗି ୧୯୫୬ ମସିହାରୁ ନଭେମ୍ବର ୧୪କୁ ସାରା ଦେଶ ଶିଶୁ ଦିବସ ରୂପେ ପାଳି ଆସୁଛି । କିନ୍ତୁ ଏହାକୁ ନାପସନ୍ଦ କରିଛନ୍ତି ମନୋଜ ତିୱାରି । ଭେମ୍ବର ୧୪ ବଦଳରେ ଡିସେମ୍ବର ୨୬ ରେ ଶିଶୁ ଦିବସ ପାଳନ ଲାଗି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି । ସେଥିରେ ତାଙ୍କ ଯୁକ୍ତି ହେଲା, ଶିଶୁ ମାନଙ୍କର ମଧ୍ୟ ଦେଶ ଲାଗି ଅନେକ ଅବଦାନ ରହିଛି । ଦେଶ ଲାଗି ଅନେକ ଶିଶୁ ବଳିଦାନ ମଧ୍ୟ ଦେଇଛନ୍ତି ।

ଏହି କ୍ରମରେ ସେ ଶିଖ ମାନଙ୍କର ଦଶମ ଗୁରୁ , ଗୁରୁ ଗୋବିନ୍ଦ ସିଂହଙ୍କ ଦୁଇ ପୁତ୍ରଙ୍କ ସମ୍ମାନରେ ପାଳନ ଲାଗି ଯୁକ୍ତି ରଖିଛନ୍ତି ମନୋଜ ତିୱାରି । ସେ କହିଚନ୍ତି , ଦେଶ ପାଇଁ ବଳିଦାନ ଦେଇଥିବା ଶିଶୁଙ୍କ ମଧ୍ୟରେ ଗୁରୁ ଗୋବିନ୍ଦ ସିଂହଙ୍କ ଦୁଇ ପୁଅ ସାହେବଜାଦେ ଜୋରୱାର ସିଂହ ଏବଂ ସାହେବଜେଦେ ଫତେହ ସିଂହଙ୍କ ବଳିଦାନ ସର୍ବଶ୍ରେଷ୍ଠ ।୧୭୦୫ ଡିସେମ୍ବର ୨୬ ତାରିଖରେ ଗୁରୁ ଗୋବିନ୍ଦ ସିଂହଙ୍କ ଦୁଇ ଶିଶୁ ପୁତ୍ର ପଞ୍ଜାବର ଶ୍ରୀହିନ୍ଦଠାରେ ଧର୍ମର ସୁରକ୍ଷା ପାଇଁ ବଳିଦାନ ଦେଇଥିଲେ । ସେମାନଙ୍କ ସେହି ତ୍ୟାଗ ଲାଗି ଡିସେମ୍ବର ୨୬ ରେ ଶିଶୁ ଦିବସ ପାଳନ କରିବାକୁ ମନୋଜ ତିୱାରି ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।

ଦିଲ୍ଲୀ ବିଧାନସଭା ନିର୍ବାଚନ ପ୍ରଚାର ଗମାଘୋଟ ହେବା ପୂର୍ବରୁ ମନୋଜ ତିୱାରିଙ୍କ ଏହି ଶିସୁ ଦିବସ ରାଜନୀତି ବିରୋଧି କ୍ୟାମ୍ପ ସହ ରାଜନୈତୀକ ବିଶ୍ଲେଷକଙ୍କ ଲାଗି ବି ଆଲୋଚନାର ଖୋରାକ । ଏନଆରସି ଏବଂ ସିଏବି ପ୍ରସଙ୍ଗରେ ଦେଶ ବ୍ୟାପି ଆନ୍ଦୋଳନ ଯୋଗୁଁ ବିଜେପିର ଅଡୁଆ । ସେପଟେ ପ଼ଞ୍ଜାବରେ ସହଯୋଗୀ ଅକାଳି ଦଳ ବି ଏହି ପ୍ରସଙ୍ଗରେ ବିଜେପି ବିରୋଧରେ । ତେଣୁ ଦିଲ୍ଲୀରେ ଏହାର ପ୍ରଭାବ ଆଶଙ୍କାରେ ମନୋଜ ତିୱାରି ଖେଳିଛନ୍ତି ଧର୍ମ, ବଳିଦାନର କାର୍ଡ । ତେବେ ଏହା ବୁମେରାଂ ହେବ କି ବିଜେପିକୁ ସୁହାଇବ ତାହା ଭବିଷ୍ୟତ କହିବ । କିନ୍ତୁ ଏହା ସତ ଯେ, ରାଜନୀତି ଜମିବ।