Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କରୋନାରୁ ବର୍ତ୍ତିବାକୁ ଖେଳଖେଳରେ ପିଲାଙ୍କ ଶିକ୍ଷା ଭିଡିଓ ସେୟାର କଲେ ପ୍ରଧାନ ମନ୍ତ୍ରୀ, ସୋସିଆଲ ମିଡିଆରେ ଭାଇରାଲ

16/04/2020 at 4:02 PM

ନୂଆଦିଲ୍ଲୀ ୧୬।୪:  କରୋନା ମହାମାରୀ ଏବେ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି। ଦୈନିକ ହଜାର ହଜାର ଲୋକେ ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ଅନେକ ପ୍ରାଣ ହରାଇଲେଣି। ତେବେ ଏଥିରେ ସଂକ୍ରମଣରୁ ବର୍ତ୍ତିବା ଲାଗି ଖେଳଖେଳରେ ପିଲାଙ୍କ ଏକ ଭିଡିଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଟ୍ୱିଟରରେ ପୋଷ୍ଟ କରିଥିବା ବେଳେ ତାହା ଏବେ ଭାଇରାଲ ହେବାରେ ଲାଗିଛି।

ପ୍ରଧାନମନ୍ତ୍ରୀ ଭିଡିଓ ପୋଷ୍ଟ କରି ପିଲାମାନେ ଖେଳଖେଳରେ କରୋନାରୁ ବର୍ତ୍ତିବା ଲାଗି ଏକ ବଡ ଶିକ୍ଷା ଦେଇଛନ୍ତି ବୋଲି ଉଲ୍ଲେଖ କରିଛନ୍ତି। ଏଥିରେ ପିଲାମାନେ ହାତରେ ବହି ଖାତା ଧରି ଏକ ପଡିଆରେ ଛିଡା ହୋଇଥିବା ଦେଖାଯାଉଛନ୍ତି। ଏଥିରେ ଗୋଟିଏ ପିଲା ଇଟା ଧାଡିରେ ରଖି ସେମାନଙ୍କୁ ଜଣେ ଜଣେ ବ୍ୟକ୍ତି ଭାବେ ପରିକଳ୍ପନା କରିବାକୁ କହୁଛି। ଏଥିରେ ଗୋଟିଏ ଲୋକ ସଂକ୍ରମିତ ହେଲେ କିପରି ସମ୍ପୂର୍ଣ୍ଣ ଶୃଙ୍ଖଳା ସଂକ୍ରମିତ ହେଉଛି ତାହା ପିଲାଟି ତା ସାଙ୍ଗମାନଙ୍କୁ ବୁଝାଉଛି।

ସେହିପରି ସଂକ୍ରମଣ ଶୃଙ୍ଖଳା ଛିନ୍ନ କରିବା ଲାଗି ସାଥୀଙ୍କୁ ଧାଡିରୁ ଗୋଟିଏ ଇଟାକୁ ପୃଥକ କରିବାକୁ କହୁଛି। ସେହି ଅନୁସାରେ ସାଙ୍ଗଟି ଗୋଟିଏ ଇଟାକୁ ଧାଡିରୁ କାଢି ଦେବାରୁ ଶୃଙ୍ଖଳ  ଅଟକି ଯାଉଥିବା ଦେଖାଇ ପିଲାଟି ସାଙ୍ଗମାନଙ୍କୁ ସାମାଜିକ ଦୂରତ୍ୱର ମହତ୍ୱ ବୁଝାଉଛି। ଯାହା ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ବେଶ ପ୍ରଭାବିତ କରିଛି। ଏଣୁ ପିଲାଙ୍କ ଖେଳରୁ ଶିଖି ନିଜକୁ ନିଜେ ଲୋକେ ସାମାଜିକ ଦୂରତା ରକ୍ଷା କରନ୍ତୁ ଓ କରୋନା ସଂକ୍ରମଣରୁ ମୁକ୍ତ ରହନ୍ତୁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ସେହିପରି କରୋନା ସଂକ୍ରମଣରେ ଲୋକଙ୍କୁ ସଚେତନ କରିବା ଲାଗି ସାଇବା ଓ ସାଇସା ଗୁପ୍ତାଙ୍କ ଭିଡିଓ ମଧ୍ୟ ବେଶ ଉଲ୍ଲେଖନୀୟ କହିଛନ୍ତି ପ୍ରଧାନମନ୍ତ୍ରୀ। ଦୁଇ ଭଉଣୀଙ୍କ ଗୀତର ଏକ ଭିଡିଓ ମଧ୍ୟ ପ୍ରଧାନମନ୍ତ୍ରୀ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ପୋଷ୍ଟ କରିଛନ୍ତି। କରୋନାକୁ ଦେଶରେ ହରାଇବାକୁ ସାଇବା ଓ ସାଇସାଙ୍କ ଭଳି ଯୁବବର୍ଗଙ୍କ ସଚେତନତା କାର୍ଯ୍ୟକ୍ରମ ଦେଶକୁ ନିଶ୍ଚିତ କରୋନା ମୁକାବିଲାରେ ସଫଳ କରିବ ବୋଲି ପ୍ରଧାନମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି।

   Related Posts