ଏହି ରାଜ୍ୟରେ ସରକାରୀ ସାହାଯ୍ୟରେ ପାଠ ପଢିବେ କଏଦୀଙ୍କ ପିଲା, ଅର୍ଥ ରାଶି ମଞ୍ଜୁର କଲେ ସରକାର

Published By : Prameya-News7 Bureau | November 07, 2020 IST

ତିରୁଅନନ୍ତପୁରମ ୦୭।୧୧: କେରଳ ସରକାର ଜେଲ୍‌ରେ ବନ୍ଦୀ କଏଦୀଙ୍କ ପିଲାମାନଙ୍କୁ ଶିକ୍ଷା ପାଇଁ ଆର୍ଥିକ ସହାୟତା ରୂପେ ୨୦ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ଏହାର ଉଦ୍ଦେଶ୍ୟ କଏଦୀଙ୍କ ପିଲାଙ୍କୁ ସମାଜର ମୁଖ୍ୟ ସ୍ରୋତକୁ ଆଣିବା।

ସାମାଜିକ ଆଇନ ମନ୍ତ୍ରୀ କେକେ ଶୈଳଜା ଶନିବାର କହିଛନ୍ତି ସର୍ବାଙ୍ଗୀନ ଶିକ୍ଷା ପାଇଁ ୧୫ ଲକ୍ଷ ଟଙ୍କା ମଞ୍ଜୁରୀ କରାଯାଇଛି। ବାକି ୫ ଲକ୍ଷ ଟଙ୍କାର ସହାୟତା ପେଶାଦାର ଶିକ୍ଷା ପାଇଁ ଉଦ୍ଦିଷ୍ଟ। ଏହାର ଉଦ୍ଦେଶ୍ୟ ପିଲାମାନଙ୍କୁ ସମାଜର ମୁଖ୍ୟାଧାରାରେ ସାମିଲ କରିବା। ମନ୍ତ୍ରୀ କହିଛନ୍ତି, ଯେବେ ପରିବାରରେ ରୋଜଗାର କରୁଥିବା ବ୍ୟକ୍ତି ଜେଲ୍‌ରେ  ଥାଏ ତେବେ ନିଷ୍ପାପ ପିଲାଙ୍କ ପାଠପଢାରେ ଡୋରି ଲାଗିଯାଏ। ତେଣୁ ଏହି ସବୁ ପିଲାଙ୍କୁ ମଧ୍ୟ ଶିକ୍ଷାଦାନ କରିବା ଜରୁରୀ ଅଟେ।

ଯୋଜନା ଅନୁଯାୟୀ ଆଜୀବନ କାରାଦଣ୍ଡ କିମ୍ବା ମୃତ୍ୟୁ ଦଣ୍ଡ ପାଇଥିବା କଏଦୀଙ୍କ ପିଲାଙ୍କୁ ନିୟମିତ ଶିକ୍ଷା ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯିବ। ମନ୍ତ୍ରୀ କହିଛନ୍ତି ଅଲଗା ଅଲଗା ପାଠ୍ୟକ୍ରମର ଫି ଅଲଗା ଅଲଗା ରହିବ। ଏଥିଲାଗି ପ୍ରତ୍ୟେକ ଛାତ୍ରଙ୍କୁ ସର୍ବାଧିକ ଏକ ଲକ୍ଷ ଟଙ୍କାର ସହାୟତା ଦିଆଯିବ।

ପ୍ରତି ମାସରେ ମିଳିବ ୩୦୦ ଟଙ୍କା

ମନ୍ତ୍ରୀ କହିଛନ୍ତି, ପାଞ୍ଚ ବର୍ଷରୁ କମ ବୟସର ପିଲା ଏବଂ ପ୍ରଥମରୁ ପଞ୍ଚମ ମଧ୍ୟରେ ପଢୁଥିବା ପିଲାଙ୍କୁ ମାସିକ ୩୦୦ ଟଙ୍କା ଏବଂ ଷଷ୍ଠରୁ ଦଶମ ଶ୍ରେଣୀ ମଧ୍ୟରେ ପିଲାଙ୍କୁ ୫୦୦ ଟଙ୍କା ଏବଂ ଉଚ୍ଚ ମାଧ୍ୟମିକ ପଢୁଥିବା ପିଲାଙ୍କୁ ମାସିକ ୭୫୦ ଟଙ୍କା ମିଳିବ। ଏଥିସହ ଡିଗ୍ରୀ ପଢୁଥିବା କିମ୍ବା ଅନ୍ୟ ପେଶାଦାର ପାଠ୍ୟକ୍ରମ ପଢୁଥିବା ଛାତ୍ରଙ୍କୁ ମାସିକ ୧୦୦୦ ଟଙ୍କା ମିଳିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.