ଇଂଲଣ୍ଡରେ ୧୦ ଲକ୍ଷ ପିଲାଙ୍କ ପାଖରେ ଅନଲାଇନ ପାଠପଢା ପାଇଁ ନାହିଁ ଉପକରଣ, ଲକ୍ଡାଉନ୍ରେ ବି ସ୍କୁଲ ଆସିବାକୁ କରାଯାଉଛି ବାଧ୍ୟ
10/01/2021 at 7:45 PM

ଲଣ୍ଡନ ୧୦।୦୧: କରୋନା ମହାମାରୀ କାରଣରୁ ଦୀର୍ଘ ଅନେକ ମାସ ଧରି ସମଗ୍ର ବିଶ୍ଵର ଶିକ୍ଷା ବ୍ୟବସ୍ଥା ଗୁରୁତର ଭାବେ ପ୍ରଭାବିତ ହୋଇଛି। ସଂକ୍ରମଣ କମିବା ପରେ ଅନେକ ଦେଶରେ ସ୍କୁଲ ଖୋଲିବା ଆରମ୍ଭ ହୋଇଛି। କରୋନା ଲକ୍ଡାଉନ୍ ସମୟରେ ଅନଲାଇନ୍ ପାଠ୍ୟକ୍ରମ ଜାରି ରହିଥିଲା ଯାହା ଆଜି ପର୍ଯ୍ୟନ୍ତ ଚାଲିଛି। ଯାହାଙ୍କ ପାଖରେ ଲ୍ୟାପଟପ୍ କି ମୋବାଇଲ ନାହିଁ ସେମାନେ ଏଥିରୁ ବଞ୍ଚିତ ହୋଇଛନ୍ତି। ଦ ଗୁଡ୍ ଲ ପ୍ରୋଜେକ୍ଟ ଅନୁଯାୟୀ ଇଂଲଣ୍ଡରେ କରୋନା ମହାମାରୀ ଉଚ୍ଚସ୍ତରରେ ପହଞ୍ଚିଥିବା ବେଳେ ଲ୍ୟାପଟପ୍ ଏବଂ ଟ୍ୟାବଲେଟ୍ ଅଭାବ କାରଣରୁ ଗରିବ ପିଲାଙ୍କୁ ସ୍କୁଲ ଯିବାକୁ ବାଧ୍ୟ କରାଯାଉଛି।
ଇଂଲଣ୍ଡରେ ସ୍କୁଲ ଓ କଲେଜରେ ଶ୍ରମିକ ଶ୍ରେଣୀ ଏବଂ ଆର୍ଥିକ ଭାବେ ଦୁର୍ବଳ ଛାତ୍ର-ଛାତ୍ରୀଙ୍କୁ ବାଦ୍ ଦେଇ ଅନ୍ୟ ପିଲାଙ୍କୁ ଫେବୃଆରୀ ପର୍ଯ୍ୟନ୍ତ ଘରୁ ଅନଲାଇନ୍ ମାଧ୍ୟମରେ ପଢିବାକୁ କୁହାଯାଇଛି। ଶିକ୍ଷା ସଚିବ ଗୋଭିନ ଓ୍ଵିଲିୟମସନ ବୁଧବାର ସାଂସଦଙ୍କୁ କହିଛନ୍ତି ଯେ, ଯେଉଁ ପିଲାଙ୍କ ପାଖରେ ଅନଲାଇନ ପାଠ୍ୟକ୍ରମ ପାଇଁ ଆବଶ୍ୟକ ସରଞ୍ଜାମ ନାହିଁ ସେମାନେ ଲକ୍ଡାଉନ୍ ସମୟରେ ମଧ୍ୟ ସ୍କୁଲ ଆସିପାରିବେ।
ସରକାରୀ ମାର୍ଗଦର୍ଶିକାରେ କୁହାଯାଇଛି ଯେ, ଦୁର୍ବଳ ପିଲାଙ୍କ ମଧ୍ୟରେ ଅସୁରକ୍ଷିତ ବିଦ୍ୟାର୍ଥୀଙ୍କୁ ମଧ୍ୟ ସାମିଲ କରାଯାଇ ପାରିବ। ଯେଉଁମାନଙ୍କ ପାଖରେ ଉପକରଣ ନାହିଁ କିମ୍ଵା ପଢିବା ପାଇଁ ଅନୁକୂଳ ପରିବେଶ ନାହିଁ ଏବଂ ଘରେ ପଢି ପାରୁ ନାହାନ୍ତି ସେମାନେ ସ୍କୁଲ ଆସି ପାରିବେ।
ହେଲେ ଗୁଡ୍ ଲ ପ୍ରୋଜେକ୍ଟ ଅନୁଯାୟୀ, ବାପା-ମାଙ୍କୁ ପିଲାଙ୍କ ପାଠପଢା ଏବଂ ସ୍ଵାସ୍ଥ୍ୟ ଉପରେ ଉଚିତ୍ ନିଷ୍ପତ୍ତି ନେବାକୁ ସୁଯୋଗ ଦିଆଯାଉ ନାହିଁ। କିନ୍ତୁ ମାର୍ଗଦର୍ଶିକାରେ କୁହାଯାଇଛି ଯେ, ଦୁର୍ବଳ ପିଲାଙ୍କୁ ଲକ୍ଡାଉନ୍ ସମୟରେ ସ୍କୁଲ ଯିବା ପାଇଁ ପ୍ରୋତ୍ସାହିତ କରାଯିବା ଉଚିତ୍। ମାତ୍ର ଯେଉଁ ବାପା-ମା ପିଲାଙ୍କୁ ସ୍କୁଲ ଛାଡିବାକୁ ଚାହୁଁ ନାହାନ୍ତି ସେମାନଙ୍କୁ ଦଣ୍ଡିତ କରାଯିବ ନାହିଁ।
ଅନଲାଇନ୍ ଶିକ୍ଷାକୁ ନେଇ ହେଉଥିବା ସମସ୍ୟା ଉପରେ ସରକାର କହିଛନ୍ତି ଶିକ୍ଷା ବିଭାଗ ଚଳିତ ସପ୍ତାହରେ ଛାତ୍ର-ଛାତ୍ରୀଙ୍କୁ ଏକ ଲକ୍ଷ ଲ୍ୟାପଟପ୍ ବିତରଣ କରିବ। ସୋମବାର ଏଥିରୁ ୫୦ ହଜାର ଛାତ୍ର-ଛାତ୍ରୀଙ୍କୁ ବିତରଣ କରାଯିବ।
ଚଳିତ ଶିକ୍ଷା ବର୍ଷର ଶେଷ ସୁଦ୍ଧା ବିଦ୍ୟାର୍ଥୀଙ୍କୁ ୧୦ ଲକ୍ଷ ଡିଭାଇସ ବିପରୀତ କରାଯିବାର ଯୋଜନା ରହିଛି। ୨୦୨୦ ଶେଷ ସୁଦ୍ଧା ଏଥିରୁ ୫,୬୦,୦୦୦ ପିଲାଙ୍କୁ ଲ୍ୟାପଟପ୍ ବିତରଣ କରାଗଲାଣି। ତଥ୍ୟ ଅନୁଯାୟୀ ୟୁକେରେ ୧.୧୪ ମିଲିୟନରୁ ୧.୭୮ ମିଲିୟନ(୧୦ ଲକ୍ଷ ୧୪ ହଜାରରୁ ୧୦ ଲକ୍ଷ ୭୮ ହଜାର) ମଧ୍ୟରେ ପିଲାଙ୍କ ଘରେ ଅନଲାଇନ ପାଠପଢା ପାଇଁ ଲ୍ୟାପଟପ୍ କି ଟ୍ୟାବଲେଟ୍ ନାହିଁ। କୁହାଯାଇଛି ଯେ, ୮ ଲକ୍ଷରୁ ଅଧିକ ପିଲାଙ୍କ ପାଖରେ ହିଁ ଇଣ୍ଟରନେଟ୍ ଯୁକ୍ତ ମୋବାଇଲ ରହିଛି।