ଜଗତସିଂହପୁର ଶିଶୁ ଚାଲାଣ ପ୍ରସଂଗ ; ବଡ ରାକେଟ୍ କାମ କରୁଥିବା ସଂଦେହ

Published By : Prameya-News7 Bureau | July 28, 2018 IST

ଜଗତସିଂହପୁର ୨୮/୭ : ଜଗତସିଂହପୁର ମେଡିକାଲ ଛକରେ ଥିବା ଆଚାର୍ଯ୍ୟ ନର୍ସିଂହୋମରୁ ୨ ଶିଶୁ ଉଦ୍ଧାର ଘଟଣା ଦିନକୁ ଦିନ ଜଟିଳ ହେବାରେ ଲାଗିଛି । କୌଣସି ଲାଇସେନ୍ସ୍ ନଥାଇ ବେଆଇନ ଭାବେ ନର୍ସିଂହୋମ ଚଳାଇଥିବା ପରମାନନ୍ଦ ଆଚାର୍ଯ୍ୟଙ୍କୁ ପୋଲିସ ଗିରଫ କରିନଥିଲେ ମଧ୍ୟ ନର୍ସିଂହୋମକୁ ସିଲ୍ କରିଛି । ସେପଟେ ଦୁଇ ଦିନ ପରେ ହଠାତ୍ ଜଣେ ମହିଳା ଆସି ଉଦ୍ଧାର ହୋଇଥିବା ଦୁଇ ଶିଶୁଙ୍କ ମଧ୍ୟରୁ ଜଣକର ମାଆ ବୋଲି ଦାବି କରୁଥିବା ବେଳେ ତଦନ୍ତର ଦ୍ବାହି ଦେଇ ବସିଛି ପୂରା ପ୍ରଶାସନ । ଆଚାର୍ଯ୍ୟ ନର୍ସିଂହୋମରୁ ଉଦ୍ଧାର ହୋଇଥିବା ୨ ଶିଶୁଙ୍କ ବାପାମାଆ କିଏ ? ବିନା ଲାଇସେନ୍ସ୍ରେ କିଭଳି ଚାଲିଥିଲା ଏହି ନର୍ସିଂହୋମ ? ଦୀର୍ଘ ଦିନ ଧରି ଜଗତସିଂହପୁର କଲେଜ ଛକ ନିକଟରେ ଏହି ନର୍ସିଂହୋମ ଚାଲୁଥିବା ବେଳେ କେମିତି ଚୁପ୍ ବସିଥିଲା ଜିଲ୍ଲା ପ୍ରଶାସନ ? ଏସବୁ ପ୍ରଶ୍ନ ଏତିକି ବେଳେ ଉଠିଛି ଯେତେବେଳେ ଖୋଦ୍ ଆଚାର୍ଯ୍ୟ ନର୍ସିଂହୋମ ମାଲିକ ଗଣମାଧ୍ୟମର କ୍ୟାମେରା ଆଗରେ ଏମିତି କିଛି ବୟାନ ଦେବାକୁ ପଛାଇ ନାହାନ୍ତି ।ନର୍ସିଂହୋମରୁ ଗଲା ଗୁରୁବାର ଦୁଇ ଦୁଇଟି ନବଯାତ ଶିଶୁଙ୍କୁ ଉଦ୍ଧାର କରାଯାଇଥିଲା । ଏହି ଦୁଇ ଶିଶୁଙ୍କୁ ବିଦେଶକୁ ଚାଲାଣ ପାଇଁ ଯୋଜନା କରାଯାଉଥିବା ଖବର ପାଇ ସଂପୃକ୍ତ ନର୍ସିଂହୋମ ଉପରେ ଚଢ଼ଉ କରିଥିଲେ ସିଡବ୍ଲୁସି, ସ୍ବାସ୍ଥ୍ୟ ବିଭାଗ ଅଧିକାରୀ ଓ ସ୍ଥାନୀୟ ପୋଲିସ । ଦୁଇ ଶିଶୁଙ୍କ କୌଣସି ସଠିକ ଦାବିଦାର ମିଳିନଥିବାରୁ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ପରେ ଜଗତସିଂହପୁର ଶିଶୁ ଆଶ୍ରମରେ ରଖାଯାଇଛି । ଏହି ଘଟଣା ସାରା ଜଗତସିଂହପୁର ଅଂଚଳରେ ଚହଳ ସୃଷ୍ଟି କରିଥିବା ବେଳେ ଶୁକ୍ରବାର ଆଚାର୍ଯ୍ୟ ନର୍ସିଂହୋମକୁ ସିଲ୍ କରିଛି ପ୍ରଶାସନ । ସେପଟେ ଘଟଣାକୁ ନେଇ ହଇଚଇ ସୃଷ୍ଟି ହୋଇଥିବା ବେଳେ ଶୁକ୍ରବାର ହଠାତ୍ ଜଣେ ମହିଳା ଆସି ଉଦ୍ଧାର ହୋଇଥିବା ୨ଶିଶୁଙ୍କ ମଧ୍ୟରୁ ଜଣେ ଶିଶୁର ମାଆ ବୋଲି ନିଜକୁ ପରିଚୟ ଦେବା ଏବଂ ତାଙ୍କ କଥାରେ କୌଣସି ତାଳମେଳ ନଥିବା ଘଟଣାକୁ ଆହୁରି ଜଟିଳ କରିଛି । ଗୋଟେ ପଟେ ବେଆଇନ ଭାବେ ନର୍ସିଂହୋମ ଚଳାଇଥିବା କଥାକୁ କ୍ୟାମେରା ଆଗରେ ସ୍ବିକାର କରୁଛନ୍ତି ସଂପୃକ୍ତ ନର୍ସିଂହୋମ ମାଲିକ । ଅନ୍ୟପଟେ ଘଟଣାର ଦୁଇ ଦିନ ପରେ ଜଣେ ମହିଳା ଆସି ନିଜକୁ ଜଣେ ଶିଶୁର ମାଆ ବୋଲି କହୁଛନ୍ତି । ଏମିତିରେ ପୋଲିସ ତଦନ୍ତର ଦ୍ବାହି ଦେଇ କାହାରିକୁ ଗିରଫ ନକରିବା ପୂରା ମାମଲାରେ ସଂଦେହ ସୃଷ୍ଟି କରିଛି । ପୂରା ଘଟଣାକୁ ଦେଖିଲେ ଲାଗୁଛି କେଉଁଠି ନା କେଉଁଠି ଏହା ପଛରେ ବହୁତ ବଡ଼ ଗୁମର ଲୁଚି ରହିଛି । ଶିଶୁ ଚାଲାଣର ଗୋଟେ ବଡ଼ ରାକେଟ୍ ଏଠି କାମ କରୁଛି । ଆଉ ସବୁ ଜାଣିଶୁଣି ବି ଜିଲ୍ଲା ପ୍ରଶାସନ ଆଖିବୁଜି ବସିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.