ଭୟଙ୍କର ଶିଶୁ ଚୋରି ରାକେଟ୍, ମେଡିକାଲରୁ ଗାଏବ ପରେ ୮ ଲକ୍ଷରେ ବିକ୍ରି ହୁଅନ୍ତି ନବଜାତକ

Published By : Prameya-News7 Bureau | June 21, 2020 IST

ଆଗ୍ରା, ୨୧|୦୬:   ଲକ୍ଷ ଲକ୍ଷ ଟଙ୍କାରେ ବିକ୍ରି ହୁଅନ୍ତି ନବଜାତକ । ଦେଶ ବାହାରେ କରାଯାଏ ବିକ୍ରି । ଏଥିପାଇଁ କାମ କରୁଛି ଏକ ବଡ ଧରଣର ରାକେଟ୍ । ଦୁଇ ମହିଳାଙ୍କ ସମେତ ୫ଜଣଙ୍କୁ ଗିରଫ କରାଯିବା ପରେ ଏହି ରାକେଟ୍ ଉପରୁ ପରଦା ଉଠାଇଛି ଆଗ୍ରା ପୋଲିସ । ଏହାସହ ତିନୋଟି ନବଜାତକଙ୍କୁ ଉଦ୍ଧାର କରାଯାଇ ସେମାନଙ୍କୁ ଶିଶୁ କଲ୍ୟାଣ ସମିତିକୁ ହସ୍ତାନ୍ତର କରାଯାଇଛି ।

ଆଗରା ପୋଲିସ ଏଏସପି କହିଛନ୍ତି ଯେ, ଶିଶୁଙ୍କୁ ୮ ଲକ୍ଷ ଟଙ୍କାରେ ବିକ୍ରି କରାଯାଇଥାନ୍ତା । ତଦନ୍ତ ଜାରି ରହିଛି । ଶିଶୁଙ୍କର ଜନ୍ମ ପ୍ରମାଣପତ୍ର ଜାରି କରିଥିବା ଦୁଇଟି ମେଡିକାଲକୁ ଚିହ୍ନଟ କରାଯାଇଛି । ଫରିଦାବାଦରେ ଏହି ଦୁଇଟି ମେଡିକାଲକୁ ଚିହ୍ନଟ କରାଯାଇଛି । ପତେହବାଦ ଟୋଲ ପ୍ଲାଜାରେ ପୋଲିସ ଗାଡି ଯାଂଚ କରୁଥିବା ବେଳେ ଏହି ରାକେଟ୍ ଜଣାପଡିଥିଲା । ଏକ କାରରେ ଦୁଇ ମହିଳା ଓ ତିନିଜଣ ପୁରୁଷ ନବଜାତକଙ୍କୁ ନେଉଥିଲେ । ପୋଲିସ ସୂଚନା ପାଇ ଗାଡି ଅଟକାଇଥିଲା । ଏମାନେ ନିସନ୍ତାନ ଦମ୍ପତିଙ୍କୁ ଶିଶୁ ବିକ୍ରି କରିଥାନ୍ତି । ସେମାନେ ଆର୍ଥିକ ଶ୍ରେଣୀ ଦୁର୍ବଳ ଏବଂ ପତିଙ୍କ ଠାରୁ ଅଲଗା ରହୁଥିବା ମହିଳାଙ୍କୁ ଜାଲରେ ଫଶାଇଥାନ୍ତି । ଡେଲିଭରି ପରେ ଶିଶୁଙ୍କୁ ନେପାଳ ପଠାଯାଉଥିଲା । ନେପାଳରେ ଶିଶୁ କନ୍ୟାଙ୍କ ଚାହିଦା ଅଧିକ ।

ଗିରଫ ହୋଇଥିବା ଦୁଇ ମହିଳା ଅଭିଯୁକ୍ତ ହେଲେ ରୁବି ଓ ଅସ୍ମିତା । ପୁରୁଷ ଅଭିଯୁକ୍ତମାନେ ହେଲେ ଅମିତ, ରାହୁଲ ଓ ପ୍ରଦୀପ  । ପଚରାଉଚରା ବେଳେ ରୁବି କହିଛି ଯେ, ସେମାନେ ଏଜେଣ୍ଟ ନିଜେ ଠିକ କରୁଥିଲେ । ସେମାନେ ଅସହାୟ ମହିଳାଙ୍କୁ ଜାଲରେ ଫସାଉଥିଲେ । ଯେଉଁ ମହିଳାମାନେ ସ୍ୱାମୀଙ୍କଠାରୁ ଅଲଗା ରୁହନ୍ତି ସେମାନଙ୍କୁ ଡାକ୍ତରଙ୍କ ସହାୟତାରେ ଗର୍ଭଧାରଣ କରାଯାଏ । ସେହି ପୁରୁଷଙ୍କଠାରୁ ଶୁକ୍ରାଣୁ ନିଆଯାଏ ଯେଉଁମାନଙ୍କର କୌଣସି ସନ୍ତାନ ହୁଏନାହିଁ । ସେମାନେ ମହିଳାଙ୍କ ଗର୍ଭଧାରଣାଠୁ ଆରମ୍ଭ କରି ପ୍ରସବ ଓ ପ୍ରସବ ପରବର୍ତ୍ତୀ ସମୟରେ ମହିଳାଙ୍କୁ ଦେଖରଖା କରନ୍ତି । ଏପରିକି ଟଙ୍କା ମଧ୍ୟ ଦିଅନ୍ତି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.