ଶିଶୁ ଦୁଷ୍କର୍ମ ଓ ହତ୍ୟା ଉଦ୍ୟମ ଘଟଣା ନେଇ ବିଧାନସଭାରେ ମୁଲତବୀ ଆଲୋଚନା : ସରକାର କହିଲେ ୧୨୬୩ କେଶ୍‌କୁ ରେଡ୍‌ଫ୍ଲାଗ୍ ମାନ୍ୟତା ଦିଆଯାଇଛି, ଜିଲ୍ଲାପାଳଙ୍କ ଅଫିସ ଘେରିଲା କଂଗ୍ରେସ

Published By : Prameya-News7 Bureau | July 24, 2019 IST

ଭୁବନେଶ୍ବର ୨୪|୭: ଅନୁଗୁଳରେ ଶିଶୁକୁ ଦୁଷ୍କର୍ମ ଓ ହତ୍ୟା ଉଦ୍ୟମ ଘଟଣା, ସୁନ୍ଦରଗଡ଼ରେ ଜଣେ ନାବାଳିକଙ୍କୁ ଦୁଷ୍କର୍ମ ପରେ ହତ୍ୟା ଏବଂ ରାଜ୍ୟର ବିଭିନ୍ନ ସ୍ଥାନରୁ ନାବାଳିକା ଗାୟବ ହୋଇଯିବା ଘଟଣାକୁ ନେଇ ଆଜି ପୁଣି ବିଧାନସଭାକୁ ହୁଲସ୍ତୁଲ କରିଛନ୍ତି ବିରୋଧୀ । ସେପଟେ କଂଗ୍ରେସ ଆଜି ବିଭିନ୍ନ ଜିଲ୍ଲାରେ ଧାରଣା ଦେଇଛି। 

ଆଇନ ଶୃଙ୍ଖଳା ପରିସ୍ଥିତିକୁ ସରକାରଙ୍କୁ ଘେରିଲେ ବିରୋଧୀ । ଗୃହ ଓ ଗୃହ ବାହାରେ ଏହି ପ୍ରସଙ୍ଗରେ ହଲ୍ଲାବୋଲ କରିଛନ୍ତି। ବିରୋଧୀଙ୍କ ସିଧାସଳଖ ଆକ୍ଷେପ, ସରକାର ଏକ୍ଷେତ୍ରରେ ପୂରାପୂରି ବିଫଳ । ରାଜ୍ୟରେ ଯେଭଳି ଦୁଷ୍କର୍ମ ଘଟଣାମାନ ବଢୁଛି ତାହା ସାମାଜିକ ଜୀବନକୁ ପ୍ରଭାବିତ କରିଛି । ଆଇନ ତାବାଟରେ ଯାଉନଥିବାରୁ ଏଭଳି ସ୍ଥିତି ଉପୁଜିଛି, ପୋଲିସକୁ ଗୁଣ୍ଡାମାନେ ଭୟ କରୁନାହାଁନ୍ତି । ରାଜ୍ୟରୁ ଯେଉଁ ଶିଶୁକନ୍ୟାମାନେ ନିଖୋଜ ହେଉଛନ୍ତି ସେମାନେ କୁଆଡେ ଯାଉଛନ୍ତି ତାଙ୍କୁ କିଏ ନେଉଛି ତା ଉପରେ ସରକାର କାହିଁକି ନିରବ ଅଛନ୍ତି ବୋଲି ବିରୋଧୀ ପ୍ରଶ୍ନ କରିଛନ୍ତି ।

ଅନୁଗୁଳ ଓ ସୁନ୍ଦରଗଡରେ ନାବାଳିକା ଶିଶୁଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ପାଇଁ ଲଗାତର ଦୁଇଦିନ ଧରି ଗୃହକାର୍ଯ୍ୟ ଅଚଳ ହେବାପରେ ଆଜି ବିଧାନସଭାରେ ଏପ୍ରସଙ୍ଗରେ ମୁତଲବୀ ପ୍ରସ୍ତାବ ଉପରେ ଆଲୋଚନା ହୋଇଛି । ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ରାଜ୍ୟରେ ଆଇନ ଶୃଙ୍ଖଳା ଠିକ୍ ଅଛି । ପ୍ରତି ଥାନାରେ ଶିଶୁ ଓ ମହିଳା ଡେସ୍କ କରାଯିବା ସହ ୧ ହଜାର ୨୬୩ ସମ୍ବେଦନଶୀଳ କେଶ୍ କୁ ରେଡଫ୍ଲାଗ ମାନ୍ୟତା ଦିଆଯାଇଛି ।

ସେପଟେ ନାବାଳିକାଙ୍କ ପ୍ରତି ବଢୁଥିବା ଦୁଷ୍କର୍ମ ପ୍ରତିବାଦରେ ସାରା ରାଜ୍ୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ କଂଗ୍ରେସ ପକ୍ଷରୁ ଧାରଣା ଦିଆଯାଇଛି । ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କ ନିକଟକୁ ଦାବି ପତ୍ର ଦେଇଛି କଂଗ୍ରେସ । ସେପଟେ ଅନୁଗୁଳରେ ନାବାଳିକା ଦୁଷ୍କର୍ମ ଘଟଣାରେ ବିଜେପି ମଧ୍ୟ ରାଜରାସ୍ତାକୁ ଓହ୍ଲାଇଛି । ଏପରିକି ଶବରୁ ଆଖି ତାଡ଼ି ନିଆଯିବା ଘଟଣାରେ ମଧ୍ୟ ପ୍ରତିବାଦ କରିଛି ବିଜେପି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.