ନାବାଳିକାର ବିବାହ କରୁଥିଲେ ଘରଲୋକ, ଭୋଜିକୁ ଥିଲା ହଜାରେ ଲୋକଙ୍କୁ ନିମନ୍ତ୍ରଣ : ଖବର ପାଇ ବନ୍ଦ କଲା ପ୍ରଶାସନ
3/12/2020 at 9:36 AM

ଦିଗପହଣ୍ଡି ୦୩।୧୨: ନାବାଳିକାର ବାହାଘର ବନ୍ଦକଲା ପ୍ରଶାସନ । ଗଞ୍ଜାମ ଜିଲ୍ଲା କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ମହୁଡ଼ା ପଞ୍ଚାୟତର କୁମାରପୁର ଗ୍ରାମରେ ଜଣେ ନାବାଳିକାର ବାହାଘର ଉପରେ ରୋକ ଲଗାଇଛି ପ୍ରଶାସନ I
ଖବର ଅନୁଯାୟୀ, ବୁଧବାର ରାତିରେ କୁମାରପୁର ଗାଁର ଜଣେ ୧୩ ବର୍ଷୀୟ ନାବାଳିକାର ବାହାଘର ସେହି ଗାଁ ଜଣେ ଯୁବକ ସହିତ ଆୟୋଜିତ ହେବାର କାର୍ଯ୍ୟକ୍ରମ ଥିଲା I ପାଖାପାଖି ୧୦୦୦ ଲୋକଙ୍କ ନିମନ୍ତେ ଭୋଜିର ମଧ୍ୟ ଆୟୋଜନ କରିଥିଲେ ପରିବାର ବର୍ଗ । ତେବେ କୌଣସି ସୂତ୍ରରୁ ଖବର ପାଇଁ ସଦରଥାନା ପୋଲିସ ସହାୟତାରେ କୁକୁଡାଖଣ୍ଡି ସମନ୍ୱିତ ଶିଶୁ ବିକାଶ ଯୋଜନା ଅତିରିକ୍ତ ଦାୟିତ୍ୱରେ ଥିବା କୁକୁଡାଖଣ୍ଡି ତହସିଲଦାର ଡ଼ଃ.ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର ଚଢ଼ାଉ କରିଥିଲେ । ନାବାଳିକା ଜଣଙ୍କୁ ଉକ୍ତ ସ୍ଥାନରୁ ଉଦ୍ଧାର କରିଥିଲେ I
ସେହିପରି କରୋନା କଟକଣାକୁ ଅବମାନନା କରି ଭୋଜି ଆୟୋଜନ କରାଯାଇଥିବା କାରଣରୁ ଭୋଜି ବନ୍ଧ କରାଯାଇଛି । ପୋଲିସ ଓ ପ୍ରଶାସନିକ ଅଧିକାରୀଙ୍କୁ ଦେଖି ଘଟଣା ସ୍ଥଳରୁ ବର ଓ ତାଙ୍କ ପରିବାର ବର୍ଗ ଫେରାର ହୋଇଯାଇଥିବା ସୂଚନା ମିଳିଛି I