କୁନି ମୁଣ୍ଡରେ ବଡ ବୋଝ : ଖାତା ବହି ଧରିବା ବଦଳରେ ମୂଲ ଲାଗୁଛନ୍ତି କୋମଳମତି ପିଲା, କାର୍ଯ୍ୟାନୁଷ୍ଠାନ ନେଇ ପଛଘୁଞ୍ଚା ଦେଉଛନ୍ତି ବିଭାଗୀୟ ଅଧିକାରୀ

Published By : Prameya-News7 Bureau | June 29, 2019 IST

ଯାଜପୁର ୨୯|୬: ଦାଦନ ଦୁଃଖ ଅସରନ୍ତି । ଆହୁରି ଦୁଃଖ  ଓ ଲଜ୍ୟାଜନକ କମ୍ ବୟସର ନାବାଳକଙ୍କ  ଦାଦନ ଖଟଣି  । ସରକାରଙ୍କ ଅନେକ ଯୋଜନା, ସଚେତନତା ଓ ପଦକ୍ଷେପ ପରେ ବି ଯାଜପୁର ଜିଲ୍ଲାରେ କମ୍ ବୟସର  ଅନେକ ପିଲାଏ  ପାଲଟିଛନ୍ତି ଶ୍ରମଜୀବୀ । ବାଳ ଶ୍ରମିକ ଆଇନ ଜିଲ୍ଲାରେ ଫେଲ୍ । ପ୍ରତ୍ୟେକ ଦିନ ଉଦ୍ଧାର ହେଉଛନ୍ତି ନିରୀହ ନିର୍ଯାତିତ ଶିଶୁ । ସ୍କୁଲ ଯିବା ବୟସର ଏହି ପିଲାଙ୍କୁ  ଶ୍ରମିକ ଭାବେ ଖଟାଉଥିବା ବ୍ୟକ୍ତି ବା ସଂସ୍ଥା ବିରୋଧରେ କିନ୍ତୁ କାର୍ଯାନୁଷ୍ଠାନ ନେଇ ପଛଘୁଞ୍ଚା ଦେଉଛନ୍ତି ବିଭାଗୀୟ ଅଧିକାରୀ ।

{"id":128581}

କୁନି ମୁଣ୍ଡରେ ବଡ ବୋଝ । ଖାତା- ବହି ବଦଳରେ ମୂଲ ଲାଗୁଛନ୍ତି ଛୋଟ ପିଲା ।  ଯାଜପୁରରେ ବାଳ ଶ୍ରମିକଙ୍କ ସଂଖ୍ୟା ସାଂଘାତିକ। ନିର୍ମାଣ କ୍ଷେତ୍ରରୁ ବିଭିନ୍ନ ଅନୁଷ୍ଠାନରେ ଖଟୁଛନ୍ତି ନାବାଳକ, ନାବାଳିକା । ଶୋଷଣ ମୁକ୍ତ ଶୈଶବର ଅଧିକାର ଏବଂ ଶିଶୁଶ୍ରମ ଉଛେଦ ଲାଗି ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଜିଲ୍ଲା ଶ୍ରମ   ବିଭାଗ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ,ଜିଲ୍ଲା ଶିଶୁ ମଙ୍ଗଳ କମିଟି ଓ ଜିଲ୍ଲା ପୁଲିସ  ସମସ୍ତେ ଏନେଇ ନଜର ରଖିବା ସହ ପଦକ୍ଷେପ ନେବାକୁ ଉତ୍ତରଦାୟୀ। କିନ୍ତୁ ସବୁ ପରେ  ବି ଜିଲ୍ଲାରେ ଉତ୍କଟ ହେଉଛି ଶିଶୁ ଶ୍ରମିକ ସମସ୍ୟା । ଶ୍ରମିକ ସାଜୁଛନ୍ତି କୋମଳମତି ନାବାଳକ, ନାବାଳିକା ।  ଅଥଚ ସଚେତନତା କାର୍ଯ୍ୟକ୍ରମରେ ବେଶ୍ ସକ୍ରିୟ ଶ୍ରମ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ  ଜଣାନାହିଁ ,  ଜିଲ୍ଲାରେ କେତେ ଶିଶୁ ଶ୍ରମିକ ଚିହ୍ନଟ ହୋଇଛନ୍ତି ଏବଂ ଶିଶୁ ଶ୍ରମିକ ପ୍ରସଙ୍ଗରେ କେତେ ମାମଲା ରୁଜ୍ଜୁ ହୋଇଛି ।  ସେପଟେ ସଂପୃକ୍ତ ବିଭାଗ ସଂପୂର୍ମ୍ମ ତଥ୍ୟ ଦେଉନଥିବାରୁ କାର୍ଯ୍ୟାନୁଷ୍ଠାନ ହୋଇପାରୁ ନଥିବା କହୁଛନ୍ତି  ପୋଲିସ ଅଧିକାରୀ ।

{"id":128582}

ଯାଜପୁର ଶିଳ୍ପ ସମୃଦ୍ଧ ହୋଇଥିବା ବେଳେ , ଏଠାରେ ଅନେକ କ୍ଷେତ୍ରରେ  ଶିଶୁ ଶ୍ରମିକଙ୍କୁ  ନିୟୋଜିତ କରାଯାଉଥିବା ଦେଖାଯାଉଛି  । ଏହାକୁ ରୋକିବାକୁ ସରକାରଙ୍କ ତରଫରୁ ଟାସ୍କ ଫୋର୍ସ ଗଠନ କରାଯାଇଛି । କିନ୍ତୁ ସବୁ ବିଭାଗ ମଧରେ ବୁଝାମଣା ନରହିବାର ଫାଇଦା ନେଇ ନାବାଳକ-ନାବାଳିକାଙ୍କୁ ଶ୍ରମକ୍ଷେତ୍ର୍ରେ ନିୟୋଜୀତ କରି ଫାଇଦା ନେଉଛନ୍ତି  ଅସାଧୁ ବ୍ୟକ୍ତି ଓ ସଂସ୍ଥା ।  ତେବେ ଖୁବଶୀଘ୍ର ଏଥିଲାଗି ଦୃଢ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ । ସେପଟେ ଜିଲ୍ଲାକୁ ଶିଶୁ ଶ୍ରମିକ ମୁକ୍ତ କରାଯିବାକୁ  ସବୁ ସ୍ତରରେ ଉଦ୍ୟମ କରାଯିବ ବୋଲି କହିଛନ୍ତି  ଯାଜପୁର ଜିଲ୍ଲାପରିଷଦ ସଭାପତି । 

{"id":128583}

କେବଳ ଭାଷଣ ଓ ସଚେତନତା କାର୍ଯ୍ୟକ୍ରମରେ ଶିଶୁ ଶ୍ରମିକଙ୍କ ସୁରକ୍ଷା କଥା, ଆଲୋଚନା ଓ  ସମାଲୋଚନା ସୀମାବଦ୍ଧ ରହିଲେ କିଛି ବି ଅର୍ଥ ନାହିଁ । ନୀତି, ନିୟମ ଓ ଆଇନର କାର୍ଯ୍ୟକାରିତା ଏବଂ ବିଭାଗୀୟ ଅଧିକାରୀ ଓ କାର୍ଯ୍ୟକର୍ତ୍ତାଙ୍କ ଉତ୍ତରଦାୟୀତ୍ବ ରହିବା ଜରୁରୀ । ତାହାଲେ ହିଁ ଶିଶୁ ଶ୍ରମିକ ବ୍ୟବସ୍ଥାର ବିଲୋପ ସମ୍ଭବ ହୋଇପାରିବ ।  ଶ୍ରମଜୀବୀ ହେବା ବଦଳରେ ସ୍କୁଲ ଯାଇ ଶିଶୁ ଶିକ୍ଷିତ ହେଲେ ହିଁ ରାଜ୍ୟ ଏବଂ ଦେଶ ସମୃଦ୍ଧିର ପଥରେ ରହିବ ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.