ଅଟା ପେସା ମେସିନରେ ପଡି ୧୬ ବର୍ଷୀୟ ଶିଶୁ ଶ୍ରମିକର ମୃତ୍ୟୁ: ମେସିନ୍ କାଟି ବାହାର କରାଗଲା ମୃତଦେହ

Published By : Prameya-News7 Bureau | January 04, 2021 IST

ଜୟପୁର ୦୪/୦୧ : ରାଜସ୍ଥାନ ରାଜଧାନୀ ଜୟପୁରରେ ଏକ ଆଘାତଜନିତ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ଅଟା ମିଲରେ ଫସି ଯୁବକଙ୍କ ମୃତ୍ୟୁ ହୋଇଛି। ଅଟା ମିଲରେ ଫସିଥିବା ଯୁବକଙ୍କ ଶବ ଦେଖି ଲୋକଙ୍କ ଲୋମଟାଙ୍କୁରୀ ଉଠିଥିଲା। ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯୁବକ ହେଲେ ଅମିତ ଦାସ। ଯୁବକଙ୍କ ମୃତଦେହ ଅଟା ଚକ୍କିର ରୋଲର ଭିତରେ ଏମିତି ଫସି ରହିଥିଲା ଯେ ଶବ ବାହାର କରିବା କଷ୍ଟକର ହୋଇପଡ଼ିଥିଲା। ସିଭିଲ ଡିଫେନ୍ସ ଟିମ ଚକ୍କି କାଟି ଶବ ବାହାର କରିଥିଲେ।

ରିପୋର୍ଟ ଅନୁଯାୟୀ, ଦୁର୍ଘଟଣା ନାହରଗଡ ରୋଡ଼ ସ୍ଥିତ ଗୋବିନ୍ଦ ରାଓ ରାସ୍ତାରେ ଥିବା ଅଟା ମିଲରେ ଘଟିଛି। ୧୬ ବର୍ଷ ବୟସ୍କ ଅମିତ ସେହି ଅଟା ମିଲରେ ଗତ ୨ ମାସ ହେଲା କାମ କରୁଥିଲେ। ଅମିତ ସେଠାରେ ଅଟା ଓଜନ କରିବା କାମ କରୁଥିଲେ। ରବିବାର ସନ୍ଧ୍ୟାରେ ଅଟା ମିଲ ଉପରେ ଥିବା ବାଲକୋନିରେ ରଖାଯାଇଥିବା ଶସ୍ୟ ବସ୍ତା ବାହାର କରୁଥିଲେ। ଅଧିକ ଓଜନ ଯୋଗୁଁ ସେ ନିୟନ୍ତ୍ରଣ ହରାଇ ବସ୍ତା ସହ ମେସିନରେ ପଡି ଯାଇଥିଲେ। ମେସିନରେ ପଡିବ କ୍ଷଣି ସେ ପାଟି କରିଥିଲେ। ଅପରେଟର ମେସିନ ବନ୍ଦ କରିବା ପୂର୍ବରୁ ଅମିତ ମେସିନ ରୋଲରରେ ପଶି ଫସି ଯାଇଥିଲେ। ଫଳରେ ଅମିତଙ୍କ ମୃତ୍ୟୁ ହୋଇଥିଲା। ଘଟଣା ପରେ ସେଠାରେ ହଇଚଇ ସୃଷ୍ଟି ହୋଇଥିଲା।

ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା କ୍ଷଣି ଘଟଣାସ୍ଥଳରେ ଲୋକଙ୍କ ଭିଡ ଜମା ହୋଇଥିଲା। ସ୍ଥାନୀୟ ବିଧାୟକଙ୍କ ସମେତ ଅନ୍ୟ ଜନପ୍ରତିନିଧି ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ। ଲୋକେ ମେସିନରୁ ଶବ ବାହାର କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ବିଫଳ ହୋଇଥିଲେ। ପରେ ସିଭିଲ ଡିଫେନ୍ସ ଟିମ ପହଞ୍ଚି ଚକ୍କି କାଟି ଅମିତଙ୍କ ଶବ ବାହାର କରିଥିଲେ। ଅମିତଙ୍କ ଘର ପଶ୍ଚିମବଙ୍ଗରେ। ସେ ଜୟପୁରରେ ନିଜ ମା' ଓ ସାନ ଭାଇ ସହ ରହୁଥିଲେ। ପୋଲିସ ମାମଲା ରୁଜ୍ଜୁ କରି ଯାଞ୍ଚ ଆରମ୍ଭ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.