ହୃଦୟ ବିଦାରକ: ବାଣରେ ନିଆଁ ଲଗାଇ ତା' ଉପରେ ଢାଙ୍କି ଦେଲା ଗ୍ଲାସ୍, ବିସ୍ଫୋରଣରେ ଗ୍ଲାସ୍ ଟୁକୁଡା ଶରୀରରେ ପଶି ଶିଶୁର ମୃତ୍ୟୁ

Published By : Prameya-News7 Bureau | October 31, 2020 IST

ନୂଆଦିଲ୍ଲୀ ୩୧/୧୦ : ଉତ୍ତର ପଶ୍ଚିମ ଦିଲ୍ଲୀରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ବାଣ ଫୁଟି ଏକ ୯ ବର୍ଷ ଶିଶୁର ମୃତ୍ୟୁ ହୋଇଛି। ଶିଶୁଟି ବାଣକୁ ଏକ ଷ୍ଟିଲ ଗ୍ଲାସରେ ଢାଙ୍କି ଦେଇଥିଲା। ଯାହାଫଳରେ ବାଣ ଫୁଟିବା ପରେ ଶିଶୁଟିର ମୃତ୍ୟୁ ହୋଇଛି। ଶୁକ୍ରବାର ଦିନ ପୋଲିସ ଏ ସମ୍ବନ୍ଧରେ ସୂଚନା ଦେଇଛି। ପ୍ରିନ୍ସ ନାମକ ଶିଶୁଟି ଦ୍ୱିତୀୟ ଶ୍ରେଣୀରେ ପଢୁଥିଲା। ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି, ଶିଶୁଟି ଏକ ବାଣ ନେଇ ସେଥିରେ ନିଆଁ ଲଗାଇବା ପରେ ତା ଉପରେ ଏକ ଷ୍ଟିଲ ଗ୍ଲାସ ଢାଙ୍କି ଦେଇଥିଲା। ବାଣ ଫୁଟିବା ପରେ ଷ୍ଟିଲ ଗ୍ଲାସ ଟୁକୁଡା ଟୁକୁଡା ହୋଇ ଛିଟିକି ଗଲା। ଗ୍ଲାସର ଏକ ଟୁକୁଡା ପ୍ରିନ୍ସର ଶରୀରରେ ଭୁସି ହୋଇଗଲା ଓ ତାର ମୃତ୍ୟୁ ହୋଇଗଲା।

ସୂଚନା ଅନୁଯାୟୀ, ମାମଲା ଅଲିପୁର ବଖତାବରପୁର ଅଞ୍ଚଳର। ମୃତକ ପ୍ରିନ୍ସ ଦାସ ନିଜ ମାତାପିତା ସହ ସେହି କଲୋନୀରେ ରହୁଥିଲା। ପ୍ରିନ୍ସର ପିତା ଜଣେ ଘରୋଇ କର୍ମଚାରୀ। ମା କ୍ଷେତରେ କାମ କରନ୍ତି। ପ୍ରିନ୍ସ ଶାନ୍ତି ନିକେତନ ପବ୍ଲିକ ସ୍କୁଲରେ ପଢୁଥିଲା। ଘଟଣା ସମ୍ପର୍କରେ ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପୋଲିସ ପହଞ୍ଚି ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇଥିଲା। ବ୍ୟବଛେଦ ପରେ ଶବ ଘରଲୋକଙ୍କୁ ହସ୍ତାନ୍ତର କରିଛି। ତେବେ ଶିଶୁଟି ବାଣ କେଉଁଠାରୁ ଆଣିଥିଲା ପୋଲିସ ତାହା ପତା କରିବାକୁ ଚେଷ୍ଟା କରୁଛି। ପୋଲିସ ଦୋକାନୀ ସମ୍ବନ୍ଧରେ ପତା କରିବାକୁ ପ୍ରିନ୍ସର ସାଙ୍ଗମାନଙ୍କୁ ପଚରାଉଚୁରା କରୁଛି। ସ୍ଥାନୀୟ ଲୋକେ କହିଛନ୍ତି ଯେ ଦୋକାନମାନଙ୍କରେ ଭୁଲ ତରିକାରେ ବାଣ ବିକ୍ରି ହେଉଛି।

ସ୍ଥାନୀୟ ପୋଲିସ କହିଛି ଯେ, ବୁଧବାର ଦିନ ପ୍ରିନ୍ସର ମାତାପିତା ନିଜ ନିଜ କାମରେ ଚାଲିଯାଇଥିଲେ। ଏହାପରେ ପ୍ରିନ୍ସ ସେହି ଅଞ୍ଚଳର ଏକ ଦୋକାନରୁ ବାଣ କିଣିଥିଲା ଓ ସାଙ୍ଗମାନଙ୍କ ସହ ଏକ ଖାଲି ପଡିଥିବା ଫ୍ଲାଟକୁ ଯାଇଥିଲା। ଏହାପରେ ସେଠାରେ ବାଣ ଫୁଟାଇଥିଲା। ବାଣରେ ନିଆଁ ଲଗାଇ ତା ଉପରେ ଷ୍ଟିଲ ଗ୍ଲାସ ଢାଙ୍କି ଦେଇଥିଲା। କିନ୍ତୁ ବାଣ ତୁରନ୍ତ ନ ଫଟିବାରୁ ସେ ଗ୍ଲାସ କାଢି ଦେଖିବାକୁ ଗଲା। ପାଖକୁ ଯିବା କ୍ଷଣି ହଠାତ ବାଣ ଫୁଟି ଯାଇଥିଲା। ସେତେବେଳେ ଷ୍ଟିଲ ଗ୍ଲାସ କିଛି ଟୁକୁଡା ପ୍ରିନ୍ସ ଶରୀରରେ ପଶିଯାଇଥିଲା। ଯାହାଫଳରେ ତାର ମୃତ୍ୟୁ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.