ଶିଶୁଭବନ : ୫ ମାସରେ ୯ ଶହ ଶିଶୁଙ୍କ ମୃତ୍ୟୁ...

Published By : Prameya-News7 Bureau | August 12, 2020 IST

କଟକ ୧୨।୦୮ : ପାଖାପାଖି ପାଞ୍ଚ ମାସ ହୋଇଯିବ, କରୋନା କଟକଣାରେ ଘାଣ୍ଟି ହେଉଛନ୍ତି ସମସ୍ତେ । ଲକ୍‌ଡାଉନ୍‌, ସଟ୍‌ଡାଉନ୍‌, କରୋନା ସଂକ୍ରମଣର ଭୟ ଆଦି ନାନା କାଇଦା କାନୁନ୍‌ ଓ କଟକଣା ଭିତରେ ଶିଶୁଭବନରେ ବଢିଚାଲିଛି ଶିଶୁରୋଗୀଙ୍କ ମୃତ୍ୟୁହାର । ପୂର୍ବ ଭାରତର ଏହି ପ୍ରମୁଖ ସ୍ନାତକୋତ୍ତର ଶିଶୁ ରୋଗ ଚିକିତ୍ସା ପ୍ରତିଷ୍ଠାନରେ ଗଲା ୫ ମାସ ଭିତରେ ପ୍ରାୟ ୯ଶହରୁ ଅଧିକ ଶିଶୁରୋଗୀଙ୍କର ମୃତ୍ୟୁ ହୋଇ ସାରିଲାଣି । କରୋନା କଟକଣା କାରଣରୁ ଅଧିକାଂଶ ଶିଶୁ-ରୋଗୀ ଅତି ସଂକଟାପନ୍ନ ଅବସ୍ଥାରେ ଶିଶୁଭବନକୁ ଆସୁଛନ୍ତି । ଯେଉଁଥିପାଇଁ ସେମାନଙ୍କ ଜୀବନ ରକ୍ଷା କରିବା କଷ୍ଟକର ହୋଇପଡୁଛି । ଏମିତି ଦେଖିବାକୁ ଗଲେ କରୋନା କାରଣରୁ ହିଁ ଶିଶୁଭବନରେ ଅଣକରୋନା ରୋଗୀଙ୍କ ମୃତ୍ୟୁ ଅତି ଉଦ୍‌ବେଗଜନକ ଭାବେ ବୃଦ୍ଧି ପାଇଛି ।

ଅନ୍‌ଲକ୍‌ ପ୍ରକ୍ରିୟା ଆରମ୍ଭ ହୋଇଥିଲେ ମଧ୍ୟ ଶିଶୁଭବନରେ ରୋଗୀ ମୃତ୍ୟୁ ହ୍ରାସ ପାଇନାହିଁ । ଯଦି ଗତ ମାସର ହିସାବ ଦେଖିବା ତେବେ ଶିଶୁ ଭବନରେ ପାଖାପାଖି ୧୮୦ ଜଣ ଶିଶୁଙ୍କର ମୃତ୍ୟୁ ଘଟିଲାଣି । ହିସାବ ଦେଖିଲେ ଦିନକୁ ହାରାହାରି ୫ରୁ ଅଧିକ ଶିଶୁଙ୍କ ମୃତ୍ୟୁ ଘଟୁଛି । ମାର୍ଚ୍ଚ ଶେଷ ସପ୍ତାହରେ କରୋନା କାରଣରୁ ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିଲା । ସେହିକ୍ରମରେ ଗତ ମାର୍ଚ୍ଚରୁ ଜୁଲାଇ ମାସ ଶେଷ ପର୍ଯ୍ୟନ୍ତ ଶିଶୁଭବନରେ ପାଖାପାଖି ୯୦୦ ଶିଶୁଙ୍କ ମୃତ୍ୟୁ ହୋଇସାରିଲାଣି । ଅଗଷ୍ଟ ୧୦ ତାରିଖ ସୁଦ୍ଧା ଏହି ସଂଖ୍ୟା ଆହୁରି ଅଧିକ ହୋଇଯାଇଛି । ଏଣେ କରୋନା ପାଇଁ ଶିଶୁଭବନର ଉଭୟ ଆଉଟ୍‌ଡୋର୍‌ ଓ ଇନ୍‌ଡୋର୍‌ରେ ରୋଗୀ ସଂଖ୍ୟା ଆଶାତୀତ ଭାବେ ହ୍ରାସ ପାଇଛି । ଏପରିକି ନିହାତି ଆବଶ୍ୟକ ନଥିଲେ ଶିଶୁଭବନକୁ ନ ଆସିବା ପାଇଁ ହସପିଟାଲ୍‌ କର୍ତ୍ତୃପକ୍ଷଙ୍କ ପକ୍ଷରୁ ରୋଗୀମାନଙ୍କୁ ବାର୍ତ୍ତା ଦିଆଯାଇଛି । ଏହା ବାଦ୍‌ ରାଜ୍ୟବ୍ୟାପୀ ଗାଡ଼ିମୋଟର ଚଳାଚଳ ସମସ୍ୟା ଓ କରୋନା ସଂକ୍ରମଣ ଭୟରେ ରୋଗୀମାନେ ମଧ୍ୟ ଆଗ ଭଳି ଅଧିକ ସଂଖ୍ୟାରେ ଆସୁନାହାନ୍ତି । ରୋଗୀ ସଂଖ୍ୟା କମିଲେ ମଧ୍ୟ ମୃତ୍ୟୁହାର କିନ୍ତୁ କମୁନି, ବଢିଚାଲିଛି ।

ମିଳିଥିବା ତଥ୍ୟ ଅନୁଯାୟୀ, ମାର୍ଚ୍ଚ ମାସରେ ୨୦୨ ଜଣ ଶିଶୁଙ୍କର ମୃତ୍ୟୁ ଘଟିଥିବା ବେଳେ ଏପ୍ରିଲରେ ୧୭୩, ମେ’ରେ ୧୯୯, ଜୁନ୍‌ରେ ୧୫୨ ଓ ଜୁଲାଇ ୨୦ ତାରିଖ ସୁଦ୍ଧା ୧୩୯ ଜଣ ଶିଶୁଙ୍କର ମୃତ୍ୟୁ ଘଟିଛି । ଯଦି ଜୁଲାଇର ଶେଷ ୧୦ ଦିନ ଓ ଅଗଷ୍ଟ ମାସର ପ୍ରଥମ ୧୦ ଦିନକୁ ମିଶାଇ ଦିଆଯାଏ ତେବେ ଏହି ସଂଖ୍ୟା ୯୦୦ ଅତିକ୍ରମ କରିଯିବ । ତୁଳନାତ୍ମକ ଭାବେ ୨୦୧୯ ଜାନୁଆରୀରୁ ଡିସେମ୍ୱର ମଧ୍ୟରେ ଶିଶୁଭବନରେ ମୋଟ ୨୩୩୪ ଜଣ ଶିଶୁଙ୍କର ମୃତ୍ୟୁ ଘଟିଛି । ତେବେ ସେତେବେଳେ ରୋଗୀ ସଂଖ୍ୟା ମଧ୍ୟ ଯଥେଷ୍ଟ ଅଧିକ ଥିଲା । ୨୦୧୯ରେ ସାଧାରଣ ଭାବେ ଶିଶୁଭବନ ଆଉଟ୍‌ଡୋର୍‌କୁ ଦିନକୁ ୪ଶହରୁ ୫ଶହ ରୋଗୀ ଆସୁଥିଲେ । ଏହି ସଂଖ୍ୟା ଏବେ ଶହେରୁ ଦେଢ ଶହ ଭିତରେ ରହୁଛି । ବେଳେବେଳେ ଶହେ ତଳକୁ ବି ଖସି ଆସୁଛି । ତେଣୁ ସେତେବେଳର ରୋଗୀ ସଂଖ୍ୟା ଅନୁସାରେ ମୃତ୍ୟୁ ଓ ବର୍ତ୍ତମାନର ରୋଗୀ ସଂଖ୍ୟା ଓ ମୃତ୍ୟୁର ତୁଳନା କଲେ ଯଥେଷ୍ଟ ଅଧିକ ଜଣାପଡୁଛି ।

ଏନେଇ ଶିଶୁଭବନ ଅଧୀକ୍ଷକ ପ୍ରଫେସର ଡାକ୍ତର ସରୋଜ କୁମାର ଶତପଥୀଙ୍କ କହିବା କଥା, ବର୍ତ୍ତମାନ କରୋନା କାରଣରୁ ଉଭୟ ଆଉଟ୍‌ଡୋର୍‌ ଓ ଇନ୍‌ଡୋର୍‌ରେ ରୋଗୀ ସଂଖ୍ୟା କମିଛି ସତ । କିନ୍ତୁ ଯେଉଁ ରୋଗୀ ଏହି ସମୟରେ ଶିଶୁଭବନକୁ ଆସୁଛନ୍ତି ସେମାନଙ୍କ ମଧ୍ୟରୁ ଶତକଡା ୯୦ ପ୍ରତିଶତ ଗୁରୁତର ରୋଗୀ ଅଛନ୍ତି । ଶେଷ ମୁହୂର୍ତ୍ତରେ ଶିଶୁଭବନକୁ ଆସୁଥିବାରୁ ସେମାନଙ୍କୁ ବଞ୍ଚାଇବା ସମ୍ଭବ ହେଉନାହିଁ ବୋଲି ଡାକ୍ତର ଶତପଥୀ କହିଛନ୍ତି । ଶିଶୁଭବନର ସର୍ଜରୀ ବିଭାଗର ବରିଷ୍ଠ ପ୍ରଫେସର ଡାକ୍ତର ପି.କେ. ଜେନାଙ୍କର ମଧ୍ୟ ଅନୁରୂପ ମତ ରହିଛି । ତାଙ୍କ କହିବା ଅନୁସାରେ, ଅତି ଆବଶ୍ୟକ ନଥିଲେ ଶିଶୁଭବନକୁ ରୋଗୀ ଆସୁନାହାନ୍ତି । ତେଣୁ କେବଳ ଗୁରୁତର ରୋଗୀ ହିଁ ଶିଶୁଭବନ ଆସୁଥିଲା ବେଳେ ସେମାନଙ୍କ ମଧ୍ୟରୁ ଅନେକଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟୁଛି । ସେପ୍ଟେମ୍ୱର ମାସରୁ ଶିଶୁଭବନର ନିୟମିତ ଓଟି ଆରମ୍ଭ କରାଯିବ ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ, ୨୦୧୫ ଅଗଷ୍ଟ ମାସରେ କଟକ ଶିଶୁଭବନର ଶିଶୁ ମୃତ୍ୟୁ ଘଟଣା ଜାତୀୟ ସ୍ତରରେ ଚହଳ ପକାଇଥିଲା । ୧୧ ଦିନରେ ୫୫ଜଣ ଶିଶୁଙ୍କ ମୃତ୍ୟୁକୁ ନେଇ ଏହି ଅନୁଷ୍ଠାନର ଚିକିତ୍ସା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଥିଲା । ସେ ସମୟରେ ଶିଶୁ ମୃତ୍ୟୁହାର କମାଇବା ପାଇଁ ଅନେକ ବ୍ୟବସ୍ଥା ଗ୍ରହଣ ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଯାହା ଆଜି ପର୍ଯ୍ୟନ୍ତ ଠିକରେ କାର୍ଯ୍ୟକାରୀ ହୋଇପାରିନାହିଁ । ମୁଖ୍ୟତଃ ଗୋଟିଏ ଛାତ ତଳେ ସମସ୍ତ ଶିଶୁ ରୋଗୀଙ୍କୁ ଚିକିତ୍ସା କରିବା ପାଇଁ ନିର୍ମାଣ ହେବାକୁ ଥିବା ୭ ମହଲା କୋଠା ଅଦ୍ୟାବଧି ନିର୍ମାଣ କରାଯାଇ ନାହିଁ । ଫଳରେ ୪୧୬ ବେଡ୍‌ ବିଶିଷ୍ଟ ଏହି ମେଡିକାଲ୍‌ ଏବେ କରୋନା ମହାମାରୀ ସମୟରେ ପୁଣିଥରେ ଶିଶୁ ମୃତ୍ୟୁକୁ ନେଇ ଚର୍ଚ୍ଚାକୁ ଆସିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.