ଅନ୍ତିମ ସଂସ୍କାର ପୂର୍ବରୁ ଉଠିଗଲା ମୃତ ଶିଶୁ, ହସ୍ପିଟାଲ ନେବା ବାଟରେ ଚାଲିଗଲା ଜୀବନ, କମ୍ପାଉଣ୍ଡର ଗିରଫ

Published By : Prameya-News7 Bureau | November 10, 2020 IST

ଦିବ୍ରୁଗଡ ୧୦/୧୧ : ଆସାମ ଦିବ୍ରୁଗଡ ମୁଟୁକ ଚା' ବଗିଚାରେ ରବିବାର ଦିନ ଏକ ଶିଶୁ ମୃତ ଘୋଷିତ ହେବାପରେ ଏକ ଡ୍ରାମା ହୋଇଥିଲା। ଶିଶୁଟି ଅନ୍ତିମ ସଂସ୍କାରର କିଛି ମିନିଟ ପୂର୍ବରୁ ପୁଣି ଉଠିଯାଇଥିଲା। ତେବେ ଉଠିବାର କିଛି ଘଣ୍ଟା ପରେ ଶିଶୁଟିର ପୁଣି ମୃତ୍ୟୁ ହୋଇଥିଲା। ମାମଲାରେ ପୋଲିସ ଜଣେ କମ୍ପାଉଣ୍ଡରକୁ ଗିରଫ କରିଛି। ଡାକ୍ତରଙ୍କ ଅନୁପସ୍ଥିତିରେ ସଠିକ ଯାଞ୍ଚ ନ କରି ଶିଶୁକୁ ମୃତ ଘୋଷିତ କରିଥିବା ଅଭିଯୋଗରେ ସୋମବାର ପୋଲିସ ଦିନ ଚା' ବଗିଚା ହସ୍ପିଟାଲର ଜଣେ କମ୍ପାଉଣ୍ଡରକୁ ଗିରଫ କରିଛି।

ବର୍ଷେରୁ କମ ବୟସ ଶିଶୁଟିର ସ୍ୱାସ୍ଥ୍ୟବସ୍ଥା ଭଲ ନଥିଲା। ତାକୁ ଚିକିତ୍ସା ପାଇଁ ହସ୍ପିଟାଲକୁ ନିଆଯାଇଥିଲା ଯେଉଁଠାରେ ଜଣେ କମ୍ପାଉଣ୍ଡର ଶିଶୁକୁ ମୃତ ଘୋଷଣା କରିଥିଲେ। ସେତେବେଳେ ହସ୍ପିଟାଲରେ ଡାକ୍ତର ନଥିଲେ। ପୋଲିସ ଅଧିକାରୀ ହୃଷିକେଶ ହଜାରିକା ଏନେଇ ସୂଚନା ଦେଇଛନ୍ତି।

ଶିଶୁକୁ ମୃତ ଘୋଷଣା କରିବା ପରେ ପରିବାର ଲୋକେ ତାର ଅନ୍ତିମ ସଂସ୍କାର ପାଇଁ ନେଇଯାଇଥିଲେ। ଶିଶୁକୁ ପୋତିବା ସମୟରେ ସେ ଏପଟସେପଟ ହୋଇଥିଲା। ପରିବାର ଲୋକ ତୁରନ୍ତ ଶିଶୁକୁ ନେଇ ଆସାମ ମେଡିକାଲ କଲେଜ ଓ ହସ୍ପିଟାଲକୁ ଯାଇଥିଲେ। କିନ୍ତୁ ଶିଶୁଟି ହସ୍ପିଟାଲରେ ପହଞ୍ଚିବାବେଳେ ତାର ମୃତ୍ୟୁ ହୋଇସାରିଥିବ ଘୋଷଣା କରାଯାଇଥିଲା।

ଘଟଣା ସମ୍ପର୍କରେ ଜାଣିବା ପରେ ଚା' ବଗିଚା କର୍ମଚାରୀ ହସ୍ପିଟାଲ ବିରୋଧରେ ପ୍ରଦର୍ଶନ କରିଥିଲେ ଏବଂ କମ୍ପାଉଣ୍ଡର ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ।

ପୋଲିସ ଅଧିକାରୀ ହୃଷିକେଶ ହଜାରିକା କହିଛନ୍ତି, କମ୍ପାଉଣ୍ଡର ଶିଶୁକୁ ମୃତ ଘୋଷଣା ନ କରିଥିଲେ ପରିବାର ଲୋକ ତାକୁ ନେଇ କୌଣସି ବଡ ହସ୍ପିଟାଲ ଯାଇପାରିଥାନ୍ତେ, ଯେଉଁଠାରେ ତାର ସଠିକ ଚିକିତ୍ସା ହୋଇପାରିଥାନ୍ତା ଓ ଶିଶୁର ଜୀବନ ବଞ୍ଚିଯାଇଥାନ୍ତା। କିନ୍ତୁ କମ୍ପାଉଣ୍ଡର ତାକୁ ମୃତ ଘୋଷଣା କରିବା ପରେ ପରିବାର ଲୋକ ଭାଙ୍ଗି ପଡ଼ିଥିଲେ ଓ ଅନ୍ତିମ ସଂସ୍କାର ପାଇଁ ନେଇଯାଇଥିଲେ। ପୋଲିସ ଘଟଣାରେ କମ୍ପାଉଣ୍ଡର ଗୌତମ ମିତ୍ର ବିରୋଧରେ ଏକ ମାମଲା ରୁଜ୍ଜୁ କରି ଗିରଫ କରିଛି।

ତେବେ ଶିଶୁର ମୃତ୍ୟୁ ପରେ ପରିବାର ଲୋକ ରବିବାର ରାତିରେ ହସ୍ପିଟାଲରେ ଜଳାପୋଡ଼ା କରିଥିଲେ ଯାହାଫଳରେ ହସ୍ପିଟାଲର ମହିଳା ଓ ପ୍ରସୂତି ବିଭାଗରେ ଉତ୍ତେଜନା ଦେଖା ଦେଇଥିଲା। ପୋଡାଜଳା ଯୋଗୁଁ ହସ୍ପିଟାଲର କିଛି ବିଭାଗରେ କିଛି ଘଣ୍ଟା ପାଇଁ ବିଜୁଳି ସେବା ବାଧାପ୍ରାପ୍ତ ହୋଇଥିଲା ଏବଂ ରୋଗୀଙ୍କୁ ଅନ୍ୟ ବିଭାଗକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ବିଜୁଳି ସେବା ବ୍ୟାଘାତ ହେବାରୁ ଆଇସିୟୁରେ ଭର୍ତ୍ତି ହୋଇଥିବା ଏକ ନବଜାତ ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଅଗ୍ନିକାଣ୍ଡ ପରେ ବିଦ୍ୟୁତ ସେବା ବ୍ୟାଘାତ ହେବା ଯୋଗୁଁ ଶିଶୁର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ। କିନ୍ତୁ ରେକର୍ଡ ଯାଞ୍ଚ ପରେ ଜଣାପଡିଥିଲା ଯେ ଅଗ୍ନିକାଣ୍ଡ ପୂର୍ବରୁ ଶିଶୁଟିର ମୃତ୍ୟୁ ହୋଇସାରିଥିଲା ବୋଲି କହିଛନ୍ତି ଦିବ୍ରୁଗଡ ପୋଲିସ ସୁପରିଟେଣ୍ଡେଣ୍ଟ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.