ଅଜବ ପରମ୍ପରା: ବାହାଘର ପୂର୍ବରୁ ଯୁବତୀ ଗର୍ଭବତୀ ହେବା ଶୁଭ, ଲିଭ୍‌ଇନ୍‌ରେ ରହିବାକୁ ଘରଲୋକ ନିଜେ ଦିଅନ୍ତି ଅନୁମତି

Published By : Prameya-News7 Bureau | November 29, 2020 IST

ଜୟପୁର ୨୯/୧୧ : ବାହାଘର ପୂର୍ବରୁ ଲିଭଇନରେ ରହିବା ଆଜିକାଲିର ଫ୍ୟାସନ ହୋଇଗଲାଣି। ଲିଭଇନରେ ରହି ଯୁବକ ଯୁବତୀ ପରସ୍ପରକୁ ଭଲ ଭାବେ ବୁଝିବାକୁ ଚେଷ୍ଟା କରନ୍ତି। ବିବାହ ପୂର୍ବରୁ ଯୁବକ ଯୁବତୀ ଲିଭଇନରେ ରହିବା ଭାରତରେ ଠିକ ନୁହେଁ ବୋଲି ବିଶ୍ୱାସ କରାଯାଏ। ପରିବାରଲୋକେ ଲିଭଇନ ସମ୍ପର୍କକୁ ବିରୋଧ କରିଥାନ୍ତି। ବିଶେଷକରି ଗାଁମାନଙ୍କରେ ଲିଭଇନ ସମ୍ପର୍କକୁ ପାପ ବୋଲି କୁହାଯାଏ। ଲିଭଇନରେ ରହୁଥିଲେ ଯୁବକ ଯୁବତୀଙ୍କୁ ଖରାପ ନଜରରେ ଦେଖାଯାଇଥାଏ। 

ଭାରତରେ ଲିଭଇନ ସମ୍ପର୍କ ପାଇଁ କିଛି ଆଇନ ରହିଛି। ଏହି ନିୟମ ପାଲା କରି ଦମ୍ପତ୍ତି ଲିଭଇନରେ ରହିପାରିବେ। ଏହାକୁ ଭାରତୀୟ ସମାଜରେ ଏବେ ସୁଦ୍ଧା ମାନ୍ୟତା ମିଳିନାହିଁ। ସେଥିପାଇଁ ଲିଭଇନରେ ରହୁଥିବା ଦମ୍ପତ୍ତିଙ୍କୁ ଲୋକେ ଖରାପ ନଜରରେ ଦେଖିଥାନ୍ତି। କିନ୍ତୁ ଭାରତରେ ଏମିତି ଏକ ରାଜ୍ୟ ଅଛି ଯେଉଁଠାରେ ଯୁବତୀ ବାହାଘର ପୂର୍ବରୁ ଯୁବକ ସହ ରହିବା ଅନିବାର୍ଯ୍ୟ।

ଶୁଣିବାକୁ ଅଡୁଆ ଲାଗୁଥିଲେ ମଧ୍ୟ କଥାଟି ସତ। ରାଜସ୍ଥାନର ଏକ ଅଞ୍ଚଳରେ ଏହି ନିୟମ ରହିଛି। ରାଜସ୍ଥାନରେ ଏମିତି ଏକ ସମ୍ପ୍ରଦାୟ ଅଛି ଯେଉଁଠାରେ ବାହାଘର ପୂର୍ବରୁ ଶିଶୁ ଜନ୍ମ ଦେବା ଶୁଭ ବୋଲି କୁହାଯାଏ। ଗରାସିୟା ସମ୍ପ୍ରଦାୟ ଅନୁସାରେ ସେଠାରେ ଦାପା ପରମ୍ପରା ରହିଛି ଯାହା ବହୁତ ଲୋକପ୍ରିୟ। ଏହି ପରମ୍ପରା ବହୁତ ଆଗରୁ ଆରମ୍ଭ ହୋଇଥିଲା। ଏଠାରେ ରହୁଥିବା ଗୋଟିଏ ପରିବାରର ୪ ଭାଇ ବାହାରକୁ ଯାଇଥିଲେ। ସେଠାରେ ୩ ଭାଇ ବାହା ହୋଇଗଲେ କିନ୍ତୁ ଜଣେ ବାହା ନ ହୋଇ ଜଣେ ଯୁବତୀଙ୍କ ସହ ରହୁଥିଲେ।

ବାହା ନ ହୋଇ ଯୁବତୀଙ୍କ ସହ ରହୁଥିବା ଭାଇର ଶିଶୁ ଜନ୍ମ ହେଲା କିନ୍ତୁ ଅନ୍ୟ ୩ ଭାଇଙ୍କର ସନ୍ତାନ ପ୍ରାପ୍ତି ହେଲାନାହିଁ। ଏହି ଘଟଣା ପରେ ଏହି ସମ୍ପ୍ରଦାୟର ଲୋକେ ଏହି ପରମ୍ପରା ଆପଣେଇଲେ। ଗରାସିୟା ସମ୍ପ୍ରଦାୟରେ ୨ ଦିନିଆ ସ୍ପେଶାଲ ବିବାହ ମେଳା ହୋଇଥାଏ। ଏହି ମେଳାରେ ଯୁବକ ଯୁବତୀ ପରସ୍ପରକୁ ପସନ୍ଦ କରନ୍ତି। ପସନ୍ଦ କରିବ ପରେ ବିବାହ ନ କରି ଲିଭଇନରେ ରୁହନ୍ତି। ସନ୍ତାନ ପ୍ରାପ୍ତି ପରେ ପରସ୍ପରକୁ ବିବାହ କରିଥାନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.