ବହିଷ୍କୃତ ବିଜେପି ନେତାଙ୍କ ଲାପ୍‌ଟପରୁ ମିଳିଲା ଅଶ୍ଳୀଳ ଓ ଆପତ୍ତିଜନକ ଭିଡିଓ, ଶିଶୁ ଯୌନ ଶୋଷଣ ମାମଲାରେ ଗିରଫ ପରେ ଦୂରେଇଥିଲା ଦଳ

Published By : Prameya-News7 Bureau | January 14, 2021 IST

ଜାଲୌନ ୧୪/୦୧: ଉତ୍ତରପ୍ରଦେଶର ଜାଲୌନ ଜିଲ୍ଲାରେ ଶିଶୁ ଯୌନ ଶୋଷଣ ମାମଲାରେ ବହିଷ୍କୃତ ବିଜେପି ନେତାଙ୍କୁ ବୁଧବାର ଗିରଫ କରିଛି ପୋଲିସ। ତାଙ୍କ ପାଖରୁ ଜବତ ହୋଇଥିବା ଲାପଟପ, ଡିଭିଡି ଓ ହାର୍ଡ ଡିସ୍କରୁ ଅନେକ ଗୁଡ଼ିଏ ଅଶ୍ଳୀଳ ଭିଡିଓ ମିଳିଛି । ଭଗତ ସିଂହ ନଗରରୁ ଶିଶୁ ଯୌନ ଶୋଷଣ ମାମଲାରେ ଗିରଫ ହୋଇଥିବା ରାମବିହାରୀ ରାଠୋର ଘରୁ ଜବତ ହୋଇଥିବା ଲାପଟପ୍‌, ଡିଭିଡି ଓ ହାର୍ଡ ଡିସ୍କରୁ ୧୫ର-୨୦ ଅଶ୍ଳୀଳ ଭିଡିଓ ମିଳିଛି। ଏହି ସବୁ ଭିଡିଓରେ ଭିନ୍ନ ଭିନ୍ନ ଶିଶୁଙ୍କ ସହ ଅଭିଯୁକ୍ତ କରିଥିବା ଦୁଷ୍କର୍ମର ଚିତ୍ର ଦେଖିବାକୁ ମିଳିଛି ବୋଲି କୋଞ୍ଚ କୋତବାଲି ଏସଏଚଓ ଇମରାନ ଖାନ କହିଛନ୍ତି।

ରାଠୋର ପ୍ରଥମେ ଛୋଟ ଛୋଟ ଝିଅଙ୍କୁ ଟଙ୍କା ଲୋଭ ଦେଖାଇ ନିଜ ଆଡ଼କୁ ଆକୃଷ୍ଟ କରାଉଥିଲା। ପରେ ସେମାନଙ୍କର ଯୌନ ଶୋଷଣ କରି ଭିଡିଓ କରୁଥିଲା । ଏପରିକି ସେ ଛୋଟ ଝିଅମାନଙ୍କୁ ଧମକାଇ ଦୁଷ୍କର୍ମ କରୁଥିବା ମଧ୍ୟ ଏସଏଚଓ କହିଛନ୍ତି। ରାଠୋରକୁ ବୁଧବାର ଜେଲ ପଠାଯାଇଥିବା ବେଳେ ପୋଲିସ ମାମଲାର ଅଧିକ ଯାଞ୍ଚ କରୁଛି।

ତେବେ ଗିରଫ ଅଭିଯୁକ୍ତ ରାମବିହାରୀ ରାଠୋର କୋଞ୍ଚର ବିଜେପି ନଗର ପାଳିକା ଅଧ୍ୟକ୍ଷ ଥିଲା ବୋଲି ଜାଲୌନ ବିଜେପି ଜିଲ୍ଲାଧ୍ୟକ୍ଷ କହିଛନ୍ତି। କିନ୍ତୁ ଶିଶୁ ଯୌନ ଶୋଷଣ ମାମଲାରେ ଗିରଫ କରାଯିବା ପରେ ତାକୁ ପାର୍ଟିର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରାଯାଇଛି ବୋଲି ସେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.