ଧୋନୀଙ୍କ ଖେଳ ଖତମ, ଏମିତି ମନ୍ତବ୍ୟ ଦେଲେ ମୁଖ୍ୟ ଚୟନକର୍ତ୍ତା ଏମଏସକେ ପ୍ରସାଦ
25/10/2019 at 5:53 PM

ନୂଆଦିଲ୍ଲୀ୨୫|୧୦: ଟିମ୍ ଇଣ୍ଡିଆର ପୂର୍ବତନ କପ୍ତାନ ମହେନ୍ଦ୍ର ସିଂ ଧୋନୀଙ୍କ ଖେଳ ଖତମ୍ ! ଆଉ ଭାରତୀୟ ଡ୍ରେସିଂ ରୁମରେ ଦେଖିବାକୁ ମିଳିବେନି କ୍ୟାପଟେନ କୁଲ ମହେନ୍ଦ୍ର ସିଂ ଧୋନୀ। ବାଂଲାଦେଶ ବିପକ୍ଷ ସିରଜ ପାଇଁ ଖେଳାଳି ପାଇଁ ଘୋଷଣା ବେଳେ କିଛି ଏମିତି ସଙ୍କେତ ଦେଇଛନ୍ତି ଜାତୀୟ ଚୟନକର୍ତ୍ତା।

ଚୟନକର୍ତ୍ତାଙ୍କ ଟି ଟ୍ବେଣ୍ଟି ଓ ୫୦ ଓଭର ଫର୍ମାଟ ପାଇଁ ସ୍କିମରେ ଆଉ ଧୋନୀ ଫିଟ୍ ହେଉନାହାନ୍ତି। ଏମିତି ସ୍ପଷ୍ଟଭାବେ କହିଛନ୍ତି ମୁଖ୍ୟ ଚୟନକର୍ତ୍ତା ଏମ ଏସ କେ ପ୍ରସାଦ। ଦଳ ଘୋଷଣାବେଳେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି,ଅଧିନାୟକ ବିରାଟ କୋହଲି,ଉପ ଅଧିନାୟକ ରୋହିତ ଶର୍ମାଙ୍କ ଉପସ୍ଥିତିରେ ଜାତୀୟ ଚୟନକର୍ତ୍ତା ସେମାନଙ୍କର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ଏଣିକି ଧୋନୀଙ୍କ ଜାଗାରେ ଯୁବ ୱିକେଟ କିପର ରିଷଭ ପନ୍ତଙ୍କ ଉପରେ ଚୟନକର୍ତ୍ତା ରଖିଛନ୍ତି ଭରସା।

ଯଦିଓ ନିକଟରେ ଖରାପ ଫର୍ମ ଦେଇ ଗତି କରୁଛନ୍ତି ରିଷଭ। ବିଶ୍ବକପରେ ସେମିରେ ଭାରତର ବିଦାୟ ପରେ ଚୟନକର୍ତ୍ତା ଧୋନୀଙ୍କ ସମ୍ପର୍କରେ ବଡ ଫଇସଲା ନେବା ପାଇଁ ନିଷ୍ପତ୍ତି ନେଇ ସାରିଥିଲେ। ଆଗାମୀ ଟି ଟ୍ବେଣ୍ଟି ବିଶ୍ବକପ ଓ ୫୦ ଓଭର ଫର୍ମାଟ ବିଶ୍ବକପ ପାଇଁ ଏବେଠୁ ଦଳ ନିର୍ମାଣର ଆବଶ୍ୟକତା ରହିଛି। ଏଥିପାଇଁ ଯୁବ ଖେଳାଳିଙ୍କୁ ଦଳରେ ସାମିଲ କରିବା ପାଇଁ ଚୟନକର୍ତ୍ତା ଗୁରୁତ୍ବ ଦେଉଛନ୍ତି।

ଯୁବ ଖେଳାଳିଙ୍କୁ ଦଳରେ ସାମିଲ କରିବା ନେଇ ଚୟନକର୍ତ୍ତାଙ୍କ ସହ ଧୋନୀ ଏକମତ ବୋଲି କହିଛନ୍ତି ମୁଖ୍ୟ ଚୟନକର୍ତ୍ତା ଏମଏସକେ ପ୍ରସାଦ। ଧୋନୀଙ୍କ ପାଇଁ ଏବେ ଦୁଇଟି ବିକଳ୍ପ। ଦଳକୁ ଫେରିବାକୁ ହେଲେ ୩୮ ବର୍ଷ ବୟସ୍କ ଧୋନୀଙ୍କୁ ଘରୋଇ କ୍ରିକେଟରେ ଜୋରଦାର ପ୍ରଦର୍ଶନ କରିବାକୁ ହେବ ନହେଲେ କ୍ରିକେଟରୁ ସନ୍ୟାସ ଘୋଷଣା କରିବାକୁ ହେବ।