ଅରୁଣାଚଳ ବାୟୁସେନା ଘାଟି ପରିଦର୍ଶନ କଲେ ସିଡିଏସ୍, କହିଲେ- ଭାରତୀୟ ସେନା ସହ ଲଢ଼ିଲେ ହୋଇଯିବ ବରବାଦ୍
2/01/2021 at 10:35 PM

ନୂଆଦିଲ୍ଲୀ ୦୨/୦୧: ଦେଶର ପ୍ରଥମ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ (ସିଡିଏସ୍) ବିପିନ ରାଓ୍ବତ କାର୍ଯ୍ୟକାଳର ବର୍ଷେ ପୂର୍ତ୍ତି ଅବସରରେ ଅରୁଣାଚଳର ବାୟୁସେନା ଘାଟି ପରିଦର୍ଶନ କରିଛନ୍ତି। ଏହି ସମୟରେ ସିଡିଏସ୍ ରାଓ୍ବତ ମୁତୟନ ହୋଇଥିବା ସେନା, ଆଇଟିବିପି ଓ ଏସ୍ଏଫଏଫ ଯବାନମାନଙ୍କ ସହିତ ଆଲୋଚନା କରିଛନ୍ତି। ଏହା ସହ ସେ ଅରୁଣାଚଳ ପ୍ରଦେଶର ଦିବାଙ୍ଗ ଘାଟି ଓ ଲୋହିତ ସେକ୍ଟର ସ୍ଥିତ ପୋଷ୍ଟକୁ ବି ଭିଜିଟ୍ରେ ଯାଇଛନ୍ତି।
ଯାତ୍ରା ସମୟରେ ଜେନେରାଲ ବିପିନ ରାଓ୍ବତ କହିଛନ୍ତି, ‘ଯବାନଙ୍କ ଦୃଢ଼ ମନୋବଳ ଦେଖି ବିଶ୍ବାସ ହେଉଛି ଭାରତୀୟ ସେନା ସହ ମୁକାବିଲା କଲେ ଭାଙ୍ଗି ଚୁରମାର ହୋଇଯିବେ।’
ଚୀନ ସେନାର ଆକ୍ରମଣାତ୍ମକ ମନୋଭାବକୁ ପ୍ରତିହତ କରିବାକୁ ଭାରତୀୟ ସ୍ଥଳ ସେନା ଓ ବାୟୁ ସେନା ଲଦାଖରେ ଦୃଢ଼ ଭାବେ କାର୍ଯ୍ୟ କରୁଛନ୍ତି। ଠିକ୍ ଏହି ସମୟରେ ସିଡିଏସ୍ ଜେନେରାଲ ବିପିନ ରାଓ୍ବତଙ୍କ ଯାତ୍ରା ସେମାନଙ୍କ ମନୋବଳ ବଢ଼ାଇବ ବୋଲି ମଧ୍ୟ ଚର୍ଚ୍ଚା ହେଉଛି।