ମୁଖ୍ୟମନ୍ତ୍ରୀଙ୍କ କରୋନା ସମୀକ୍ଷା: ରାଜ୍ୟରେ ଚାଲିବ ୧୦ ଦିନ ସ୍ପେଶାଲ ଡ୍ରାଇଭ୍, ଫୋକସ୍‌ରେ ରହିବ ପଶ୍ଚିମ ଓଡ଼ିଶା

Published By : Prameya-News7 Bureau | April 06, 2021 IST

ଭୁବନେଶ୍ଵର ୦୬।୦୪:  ରାଜ୍ୟରେ ଦିନକୁ ଦିନ ବଢୁଥିବା କରୋନା ସ୍ଥିତିକୁ ନେଇ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ଉଚ୍ଚଅଧିକାରୀଙ୍କ ସହ ସମୀକ୍ଷା ବୈଠକ କରିଛନ୍ତି।  ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟରେ ୧୦ ଦିନ ସ୍ପେଶାଲ ଡ୍ରାଇଭ୍ କରିବାକୁ ପୋଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏପରିକି ସଂକ୍ରମଣ ହ୍ରାସ  କରିବାକୁ ଅଧିକ ପୋଲିସ ମୁତୟନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବିଶେଷ କରି ସଂକ୍ରମଣ ବ୍ୟାପୁଥିବା ପଶ୍ଚିମ ଓଡିଶା ପ୍ରତି ସ୍ଵତନ୍ତ୍ର ନଜର ରଖିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି।

ସମୀକ୍ଷା ବୈଠକରେ ସାରା ରାଜ୍ୟରେ ପୋଲିସ ମୁତୟନ କରି ସ୍ପେଶାଲ ଡ୍ରାଇଭ୍ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହି ସମୟରେ ସୁରକ୍ଷା ନିୟମ କଡାକଡି କରାଯିବ।  ଲୋକଙ୍କୁ ମାସ୍କ ଏବଂ ସାମାଜିକ ଦୂରତ୍ଵ ନେଇ ସୂଚନା ଓ ଲୋକ ସଂପର୍କ ବିଭାଗ ସଚେତନ କରାଇବ। ଉଲ୍ଲେଖନୀୟ ରାଜ୍ୟର ଛତିଶଗଡ ସୀମାନ୍ତ ଜିଲ୍ଲାଗୁଡିକରେ କରୋନା ସଂକ୍ରମଣ ଅଧିକ ବ୍ୟାପିବାରେ  ଲାଗିଛି। ତେଣୁ ସୀମାନ୍ତ ଜିଲ୍ଲା ଗସ୍ତ କରି ସ୍ଥିତି ପରଖିବାକୁ ମୁଖ୍ୟମନ୍ତ୍ରୀ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ସ୍ଵାସ୍ଥ୍ୟ ବିଭାଗ ଏସିଏସ ଏବଂ ଅନ୍ୟ ବରିଷ୍ଠ ଅଧିକାରୀ କରୋନାପ୍ରବଣ ଜିଲ୍ଲା ଗସ୍ତ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।

ପଶ୍ଚିମ ଓଡିଶାରେ ଅଧିକ ସ୍ଵାସ୍ଥ୍ୟ କର୍ମୀ, ଡାକ୍ତର, ପାରାମେଡିକ୍, ଲ୍ୟାବ୍ ଟେକ୍ନିସିଆନ ତୁରନ୍ତ ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଅକ୍ସିଜେନ ସୁବିଧା ଥିବା ଯଥେଷ୍ଟ ଆମ୍ବୁଲାନ୍ସ ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ସ୍ଵାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଏଥିପ୍ରତି ବିଶେଷ ଧ୍ୟାନ ଦେବାକୁ ଚେତାବନୀ ଦିଆଯାଇଛି। ସ୍ଥିତି ଦେଖି ତୁରନ୍ତ ନିଷ୍ପତ୍ତି ନେବାକୁ ଅଧିକାରୀଙ୍କୁ କୁହାଯାଇଛି।

ମୁଖ୍ୟମନ୍ତ୍ରୀଙ୍କ ଏହି ଗୁରୁତ୍ବପୂର୍ଣ୍ଣ ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଉନ୍ନୟନ କମିଶନର ପ୍ରଦୀପ ଜେନା, ସ୍ଵାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାାପାତ୍ର, ରାଜ୍ୟର ସବୁ ଜିଲ୍ଲାପାଳ ଓ ବରିଷ୍ଠ ପ୍ରଶାସନିକ ଓ ପୁଲିସ ଅଧିକାରୀ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, କରୋନା ସଂକ୍ରମଣ କାରଣରୁ ଛତିଶଗଡ ସୀମାରେ ଥିବା ରାଜ୍ୟର ୧୦ ଜିଲ୍ଲାରେ ଏପ୍ରିଲ ୫ ତାରିଖରୁ ରାତ୍ରକାଳୀନ କର୍ଫ୍ୟୁ ଲାଗୁ ହୋଇଛି। ରାତି ୧୦ଟାରୁ ସକାଳ ୫ଟା ଯାଏଁ ଏହି କର୍ଫ୍ୟୁ ବଳବତ୍ତର ରହିବ। ଏହି ସମୟରେ ଅତ୍ୟାବଶ୍ୟକ ସେବାକୁ ବାଦ୍‌ ଦେଲେ ବାକି ସମସ୍ତ ଗତିବିଧି ବନ୍ଦ ରହିବ। ଅନ୍ୟ ଆଦେଶ ନ ଆସିବା ପର୍ଯ୍ୟନ୍ତ ଏହି ରାତ୍ରକାଳୀନ କର୍ଫ୍ୟୁ ସୀମାନ୍ତ ୧୦ ଜିଲ୍ଲା ମାଲକାନଗିରି, କୋରାପୁଟ, ନୂଆପଡା, ନବରଙ୍ଗପୁର, କଳାହାଣ୍ଡି, ବଲାଙ୍ଗୀର, ବରଗଡ, ସମ୍ବଲପୁର, ଝାରସୁଗୁଡା ସୁନ୍ଦରଗଡରେ ଲାଗୁ ରହିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.