ଓଡ଼ିଶା ହକି ପୁରୁଷ ବିଶ୍ବକପ୍ କୁ ଆଉ ରହିଲା ମାତ୍ର ୯୦ଦିନ: ହାର୍ଟବିଟ୍ସ ଫର ହକି କ୍ୟାମ୍ପେନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
29/08/2018 at 3:14 AM

ଭୁବନେଶ୍ବର୨୮|୮: ହକି ବିଶ୍ବକପ୍ ପାଇଁ ଆରମ୍ଭ ହୋଇଛି କାଉଣ୍ଟ ଡାଉନ୍ । ହକି କ୍ୟାଲେଣ୍ଡରର ସର୍ବବୃହତ ଖେଳ ଓଡ଼ିଶା ହକି ପୁରୁଷ ବିଶ୍ବକପ୍ ଆୟୋଜନକୁ ଆଉ ମାତ୍ର ୯୦ ଦିନ ବାକି ରହିଛି । ଆସନ୍ତା ନଭେମ୍ବର ୨୮ ତାରିଖରୁ ଡିସେମ୍ବର ୧୬ ତାରିଖ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ । ମୋଟ୍ ୧୬ଟି ଦେଶର ଖେଳାଳୀ ତାଙ୍କ ଷ୍ଟିକର ଯାଦୁକରୀ ପ୍ରଦର୍ଶନରେ ୩ ସପ୍ତାହ ଧରି ଦର୍ଶକଙ୍କୁ ବାନ୍ଧି ରଖିବେ । ତେବେ ଏହାକୁ ସଫଳ କରିବାକୁ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳିଙ୍ଗ ଷ୍ଟାଡିୟମରେ ଦସ୍ତଖତ କରି ହାର୍ଟବିଟ୍ସ ଫର ହକି କ୍ୟାମ୍ପେନର ଶୁଭାରମ୍ଭ କରିଛନ୍ତି । ତେବେ ଏହି କ୍ରୀଡାର ଅଧିକ ପ୍ରଚାର ପ୍ରସାର ପାଇଁ ପାଖାପାଖି ୧୭ଟି ସହରରେ କ୍ୟାମ୍ପେନ୍ କରାଯିବ । ରୋଡ ସୋ, ଜାତୀୟ ଦଳ ପାଇଂ ବିଶ୍ବକପ୍ ଜର୍ସି ଉନ୍ମୋଚନ, ବିଶ୍ବକପ୍ ମ୍ୟୁଜିକ୍ ଭିଡିଓ ଉନ୍ମୋଚନ କରାଯାଇଛି । ହାର୍ଟ ବିଟ୍ ଫର ହକି ଗାଡି ଜଳନ୍ଧର, ଲକ୍ଷ୍ନୌ, ରାଞ୍ଚି, ଦିଲ୍ଲୀ, ଚେନ୍ନାଇ ପରିଭ୍ରମଣ କରିବ । ସେହିପରି ଚଣ୍ଡିଗଡ, ବେଙ୍ଗାଲୁରୁ, ମୁମ୍ବାଇ, ଭୋପାଳ, ରାଉରକେଲା, ଇମ୍ଫାଲରେ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଥିବା ହକି ଷ୍ଟିକକୁ ପ୍ରଦର୍ଶିତ କରାଯିବ । ଏହା ସହ ଆଜି ଜାତୀୟ କ୍ରୀଡା ଦିବସରେ ସଫଳ କ୍ରୀଡାବିତଙ୍କୁ ବିଭାଗ ତରଫରୁ ସମ୍ମାନିତ କରାଯାଇଛି । ଲାଇଫଟାଇମ ଆଚିଭମେଣ୍ଟ ନାରାୟଣ ସାହୁ, ଶ୍ରେଷ୍ଠ କୋଚ ସଞ୍ଚୟ ଗଡନାୟକ, ଶ୍ରେଷ୍ଠ ଖେଳାଳି ସୁନିତା ଲାକ୍ରା, ଅମିତ ରୋହିତ ଦାସ ଏବଂ ଶ୍ରେଷ୍ଠ ସାମ୍ବାଦିକ ସୁଜିତ ଦାସଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି । ଏହା ସହ ସାହସିକତା ପୁରସ୍କାର ଓ ସ୍ବେଚ୍ଚାସେବୀମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ।