ଏସୀୟ କ୍ରୀଡା : ମହିଳା ହକିରେ ରୌପ୍ୟ ଜିତିଥିବା ୪ ଓଡିଆ ଖେଳାଳୀଙ୍କୁ କୋଟିଏ ଲେଖାଏଁ ଟଙ୍କା ପୁରସ୍କାର ଘୋଷଣା କଲେ ରାଜ୍ୟ ସରକାର
1/09/2018 at 4:52 PM

ଭୁବନେଶ୍ବର ୧|୯ : ଏସୀୟ କ୍ରୀଡାରେ ହକିରେ ରୌପ୍ୟ ପଦକ ଜିତିଥିବା ୪ ଓଡିଆ ଖେଳାଳୀଙ୍କ ପାଇଁ ରାଜ୍ୟ ସରକାର ଘୋଷଣା କରିଛନ୍ତି ପୁରସ୍କାର । ପ୍ରତି ଖେଳାଳୀଙ୍କୁ କୋଟିଏ ଟଙ୍କା ଲେଖାଏଁ ମିଳିବ । ପୂର୍ବରୁ ଦୂତୀଙ୍କୁ ରାଜ୍ୟ ସରକାର ୩ କୋଟି ଟଙ୍କା ପୁରସ୍କାର ଦେଇଛନ୍ତି ।ସେପେଟ ଏସୀୟ କ୍ରୀଡାରେ ଭାରତକୁ ଆଜି ଆଉ ୨ଟି ସ୍ବର୍ଣ୍ଣ ପଦକ ମିଳିବା ପରେ ସ୍ବର୍ଣ୍ଣ ପଦକ ସଂଖ୍ୟା ୧୫ ରେ ପହଞ୍ଚିଛି।
୪ ଓଡିଆ ମହିଳା ହକି ଖେଳାଳୀ ହେଲେ ସୁନିତା ଲାକ୍ରା, ନମିତା ଟପ୍ପୋ, ନୀଳିମା ମିଞ୍ଜ ଓ ଦୀପଗ୍ରେସ୍ ଏକ୍କା । ଦୂତୀଙ୍କ ପରେ ରୌପ୍ୟ ଜିତି ଦେଶ ତଥା ଓଡିଶା ପାଇଁ ଗୌରବ ଆଣିଛନ୍ତି ଏହି ୪ ଓଡିଆ ଝିଅ । ରାଜ୍ୟ ସରକାରଙ୍କ କ୍ରୀଡା ନୀତି ଅନୁସାରେ ଏମାନଙ୍କୁ ଏହି ଅର୍ଥ ରାଶି ମିଳିବ ।ପୂର୍ବରୁ ଶହେ ଓ ୨ଶହ ମିଟରରେ ଦୁଇଟି ରୌପ୍ୟ ଜିତିଥିବା ଦୂତୀ ଚାନ୍ଦଙ୍କୁ ସରକାର ୩ କୋଟି ଟଙ୍କା ପୁରସ୍କାର ଦେଇଛନ୍ତି ।
ସେପଟେ ଏସୀୟ କ୍ରୀଡା ରେ ଭାରତକୁ ଆଜି ଦୁଇଟି ସ୍ବର୍ଣ୍ଣ ମିଳିଛି । ବକ୍ସିଂ ୪୯ କିଲୋଗ୍ରାମ ବର୍ଗରେ ଅମିତ୍ ପଂଘଲ ସ୍ବର୍ଣ୍ଣ ଜିତିଛନ୍ତି । ଅମିତ ଅଲମ୍ପିକ୍ ଚାମ୍ପିଅନ୍ ଉଜବେକିସ୍ତାନର ହାସନବୟ ଦୁସ୍ ମାତୋଭ୍ ଙ୍କୁ ହରାଇ ଭାରତ ପାଇଁ ବକ୍ସିଂରେ ପ୍ରଥମ ସ୍ବର୍ଣ୍ଣ ଆଣିଛନ୍ତି ।ସେହିଭଳି ବ୍ରିଜ୍ରେ ଭାରତ ପାଇଁ ୬୦ ବର୍ଷୀୟ ପ୍ରଣବ ବର୍ଦ୍ଧନ ଏବଂ ୫୬ ବର୍ଷୀୟ ଶିବନାଥ ସରକାର ଯୋଡି ସ୍ବର୍ଣ୍ଣ ପଦକ ଜିତିଛନ୍ତି ।ଏମାନେ ଚାଇନିଜ୍ ଜୋଡିଙ୍କୁ ପରାସ୍ତ କରିଥିଲେ । ଏହି ଦୁଇ ପଦକ ସହ ଭାରତ ଏବେ ସୁଦ୍ଧା ୧୫ଟି ସ୍ବର୍ଣ୍ଣ ହାତେଇଛି । ସେହିଭଲି ଭାରତୀୟ ମହିଳା ଟିମ୍ ସ୍କ୍ବାସ୍ରେ ହଂକଂ ଠାରୁ ହାରି ରୌପ୍ୟ ପଦକ ପାଇଛନ୍ତି ।
ଏବେ ସୁଦ୍ଧା ଚାଇନା ପଦକ ତାଲିକାରେ ସବୁଠୁ ଆଗରେ ଥିବା ବେଳେ ଜାପାନ ଦ୍ବିତୀୟ, ରପବ୍ଲିକ ଅଫ୍ କୋରିଆ ତୃତୀୟ ସ୍ଥାନରେ ଅଛନ୍ତି । ଏବେ ସୁଦ୍ଧା ଭାରତ ଅଷ୍ଟମ ସ୍ଥାନରେ ରହିଛି ।