ବିଷ୍ଣୁ ଦାସଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଏବଂ ​କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ

Published By : Prameya-News7 Bureau | July 06, 2020 IST

ଭୁବନେଶ୍ବର୬/୬: ତିର୍ତ୍ତୋଲ ବିଧାନସଭାରୁ ପ୍ରତିନିଧିତ୍ଵ କରୁଥିବା ବରିଷ୍ଠ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ବିଷ୍ଣୁ ଦାସଙ୍କ ପରଲୋକ। ବିଷ୍ଣୁ ଦାସଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକ ବ୍ୟକ୍ତ କରିବା ସହ ତାଙ୍କ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ସେହିପରି ତାଙ୍କ ବିୟୋଗରେ ବହୁ ବରିଷ୍ଠ ନେତା ଓ ମନ୍ତ୍ରୀଙ୍କ ଶୋକ ବ୍ୟକ୍ତ କରିଛନ୍ତି। ତାଙ୍କ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି  ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ। ବିଷ୍ଣୁ ଥିଲେ ବିଜେଡିର ଜଣେ ଟାଣୁଆ ନେତା। ତାଙ୍କ ବିୟୋଗରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା , ବିଧାୟକ ସୁଧୀର ସାମଲ, ମନ୍ତ୍ରୀ ବିକ୍ରମ ଆରୁଖ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ, ସଞ୍ଜୟ ଦାସବର୍ମା, ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ, ମନ୍ତ୍ରୀ ରଘୁନନ୍ଦନ ଦାସ, ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ପିସିସି ସଭାପତି ଏବଂ ବାଚସ୍ପତି ଶୋକ ବ୍ୟକ୍ତ କରିଛନ୍ତି।

ବିଧାୟକ ବିଷ୍ଣୁ ଦାସ ୨୦୧୯ ନିର୍ବାଚନରେ ତିର୍ତ୍ତୋଲ ସଂରକ୍ଷିତ ନିର୍ବାଚନ ମଣ୍ଡଳିରୁ ବିଜେଡି ପ୍ରାର୍ଥୀ ଭାବେ ବିଜୟୀ ହୋଇଥିଲେ। ତେବେ ୨୦୧୪ରେ ପରାଜିତ ହୋଇଥିବା  ବିଷ୍ଣୁ ଦାସ ତା ପୂର୍ବରୁ ଲଗାତାର ପାଞ୍ଚ ଥର ଜଗତିସିଂହପୁର ବିଧାନସଭା ଆସନରୁ ଜିତିଥିଲେ। ସେ ମଧ୍ୟ କିଛି ଦିନ ରାଜ୍ୟସଭା ସଦସ୍ୟ ଏବଂ ଯୋଜନା ବୋର୍ଡ ଉପାଧ୍ୟକ୍ଷ ରହିଥିଲେ। ଅନୁସୂଚିତ ବର୍ଗର ହୋଇଥିଲେ ମଧ୍ୟ ସେ ଜଗତସିଂହପୁର ଜିଲ୍ଲାରେ ଜଣେ ପ୍ରଭାବଶାଳୀ  ବିଜେଡି ନେତା ଭାବେ ପରିଚିତ।

ଛାତ୍ର ରାଜନୀତିରୁ ସକ୍ରିୟ ରାଜନୀତିକୁ ଆସିଥିବା ବିଷ୍ଣୁ ଦାସ ଜନନାୟକ ବିଜୁ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ଥିଲେ। ସେ ନବୀନ  ପଟ୍ଟନାୟକଙ୍କ ସରକାରରେ କିଛି ଦିନ ମନ୍ତ୍ରୀ ପଦ ମଧ୍ୟ ସମ୍ଭାଳିଛନ୍ତି। ଏହା ବ୍ୟତୀତ ଦଳର ସାଙ୍ଗଠନିକ ପଦ ସମ୍ଭାଳି ଜଗତସିଂହପୁର ଜିଲ୍ଲା ବିଜୁ ଜନତା ଦଳର ସଭାପତି ଥିଲେ। ଏହାସହ ମନ୍ତ୍ରିମଣ୍ଡଳର ଗୁରୁତ୍ବପୂର୍ଣ୍ଣ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଥିଲେ। ସେ ୨୦୧୬ ମସିହାରେ ରାଜ୍ୟସଭାକୁ ନିର୍ବାଚିତ  ହୋଇଥିଲେ। ତେବେ ୨୦୧୭ରେ ରାଜ୍ୟସଭାରୁ ଇସ୍ତଫା ଦେଇ ସେ ଯୋଜନା ବୋର୍ଡ ଉପାଧ୍ୟକ୍ଷ  ପଦ ଗ୍ରହଣ କରିଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.