ପ୍ରଧାନ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ରଙ୍କ ଆଜି ଶେଷ କାର୍ଯ୍ୟ ଦିବସ

Published By : Prameya-News7 Bureau | October 01, 2018 IST

ନୂଆଦିଲ୍ଲୀ ୧/୧୦: ସୁପ୍ରିମ କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ରଙ୍କର ଆଜି ଶେଷ କାର୍ଯ୍ୟ ଦିବସ ଏବଂ ସେ ଆସନ୍ତାକାଲି ଅର୍ଥାତ ଅକ୍ଟୋବର ୨ରେ ଅବସର ଗ୍ରହଣ କରିବେ। ଏହା ପରେ ତାଙ୍କ ସ୍ଥାନରେ ପ୍ରଧାନ ବିଚାରପତି ଭାବେ ଜଷ୍ଟିସ୍ ରଞ୍ଜନ ଗୋଗୋଇ ଶପଥ ଗ୍ରହଣ କରିବେ। ଜଷ୍ଟିସ୍ ଦୀପକଙ୍କ ଅବସର ପାଇଁ ଏକ ଭବ୍ୟ ବିଦାୟ ସମ୍ବର୍ଦ୍ଧନାର ଆୟୋଜନ ହୋଇଛି। ଅବସର ଗ୍ରହଣ କରିବା ଆଗରୁ ଜଷ୍ଟିସ୍ ଦୀପକ ମିଶ୍ର କେତେକ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି ଯାହା ସ୍ମରଣୀୟ ହୋଇ ରହିବ। ଓଡ଼ିଆର ପୁଅ ଜଷ୍ଟିସ୍ ଦୀପକ ମିଶ୍ର ଐତିହାସିକ କଟକ ସହରରେ ୧୯୫୩ମସିହା ଅକ୍ଟୋବର ୩ ତାରିଖରେ ଜନ୍ମଗ୍ରହଣ କରିଥିଲେ। କଟକ ମଧୁସୂଦନ ଆଇନ୍ ମହାବିଦ୍ୟାଳୟର ଛାତ୍ର ଜଷ୍ଟିସ୍ ଦୀପକ ମିଶ୍ର ସୁପ୍ରିମ କୋର୍ଟର ୪୫ତମ ପ୍ରଧାନ ବିଚାରପତି ଭାବେ ୨୦୧୭ ମସିହା  ଅଗଷ୍ଟ ୨୮ତାରିଖରେ ଶପଥ ଗ୍ରହଣ କରିଥିଲେ। ଏହା ପୂର୍ବରୁ ସେ ଦିଲ୍ଲୀ ହାଇକୋର୍ଟ ଏବଂ ପାଟଣା ହାଇକୋର୍ଟର ମୁଖ୍ୟ ବିଚାରପତି ଥିଲେ। ଜଷ୍ଟିସ୍ ଦୀପକ ମିଶ୍ର ପ୍ରଧାନ ବିଚାରପତି ଭାବେ ତାଙ୍କ କାର୍ଯ୍ୟକାଳରେ ଅନେକ ଗୁରୁତ୍ବପୂର୍ଣ୍ଣ ତଥା ଯୁଗାନ୍ତକାରୀ ରାୟ ଦେଇଛନ୍ତି। ଦେଶର ଆର୍ଥିକ,ଧାର୍ମିକ,ରାଜନୈତିକ ଏବଂ ସାମାଜିକ କ୍ଷେତ୍ରରେ ସେ ରାୟ ଦେଇ ଇତିହାସ ସୃଷ୍ଟି କରିଛନ୍ତି। ରେକର୍ଡ଼ ସଂଖ୍ୟକ ସମ୍ବିଧାନ ପୀଠର ନେତୃତ୍ବ ନେଇ ସେ ଆଉ ଏକ ବିରଳ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି। କାର୍ଯ୍ୟକାଳର ଅନ୍ତିମ ଦିନଗୁଡ଼ିକରେ ଜଷ୍ଟିସ୍ ମିଶ୍ର ନେଇଥିବା କିଛି ଗୁରୁତ୍ବପୂର୍ଣ୍ଣ ରାୟ ଗୁଡ଼ିକ ହେଲା: ୧.ସମଲିଙ୍ଗୀ ସମ୍ପର୍କ ଅପରାଧ ନୁହେଁ ୨.ଦାଗୀ ନେତାଙ୍କୁ କଟକଣା ନାହିଁ ୩.ସାଂସଦ,ବିଧାୟକ ଲଢ଼ିବେ ମାମଲା ୪.ଆଧାର ବୈଧ,ସୁରକ୍ଷିତ ୫.ଏସସି/ଏସଟି କର୍ମଚାରୀଙ୍କ ପଦୋନ୍ନତିରେ ସଂରକ୍ଷଣ ରାସ୍ତା ସଫା ୬.ଅଯୋଧ୍ୟା ମାମଲା ରାୟ ସଂରକ୍ଷିତ ୭.ସବରିମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶ କଟକଣା ହଟିଲା ୮.ପରକୀୟା ପ୍ରୀତି ଅପରାଧ ନୁହେଁ,ସ୍ତ୍ରୀର ମାଲିକ ନୁହେଁ ସ୍ବାମୀ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.