Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ରକ୍ଷା ମନ୍ତ୍ରାଳୟରେ ଚୀନ ଗୁଇନ୍ଦା, ରାଜନାଥଙ୍କ ଇସ୍ତଫା ଲାଗି ରଚୁଛି ଷଡ଼ଯନ୍ତ୍ର !

7/08/2020 at 6:34 PM

ନୂଆଦିଲ୍ଲୀ ୭।୮:  କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରାଳୟରେ ଚୀନ୍‌ ଗୁପ୍ତଚର ଅନୁପ୍ରବେଶ କରିଛନ୍ତି। ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀଙ୍କ ମଧ୍ୟରେ ମତଭେଦ ଲାଗି ରିତିମତ ଷଡ଼ଯନ୍ତ୍ର ଚଳାଇଛନ୍ତି। ଏପରି ସନ୍ଦେହ ପ୍ରକଟ କରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି.ଚିଦାମ୍ବରମ। ଶୁକ୍ରବାର ଚିଦାମ୍ବରମ ଏକ ଟ୍ୱିଟ୍‌ରେ ଏପରି ସନ୍ଦେହ ପ୍ରକାଶ କରିଥିବା ବେଳେ ମୋଦି ସରକାର ଓ ରାଜନୈତିକ ଦଳରେ କମ୍ପନ ସୃଷ୍ଟି ହୋଇଛି।    

ଚିଦାମ୍ବରମଙ୍କ ଏହି ଟ୍ୱିଟ୍‌ ପରେ କଂଗ୍ରେସ ସକ୍ରିୟ ହୋଇଉଠିଥିବା ବେଳେ ତଥ୍ୟ ଆଧାରିତ ପ୍ରମାଣ ସହ ଚୀନ୍‌କୁ ନେଇ ମୋଦି ଓ ବିଜେପି ବିରୋଧରେ ଅଭିଯାନ ଆରମ୍ଭ କରିଦେଇଛି। ଚିଦାମ୍ବରମ ତାଙ୍କ ଟ୍ୱିଟ୍‌ରେ ‘କିଏ ତ ନିଶ୍ଚିତ ଅଛି, ଯିଏ ରାଜନାଥଙ୍କୁ ରକ୍ଷା ମନ୍ତ୍ରାଳୟରୁ ବାହାର କରିବାକୁ ଚାହୁଁଛି, ନହେଲେ ମନ୍ତ୍ରାଳୟ ୱେବ୍‌ସାଇଟ୍‌ରେ ଚୀନ୍‌ ଆକ୍ରୋଶ ଓ ଭାରତୀୟ ଅଞ୍ଚଳ ଉପରେ ଜବର ଦଖଲର ସତ୍ୟତା କାହିଁକି ଅପଲୋଡ ହୋଇଥାନ୍ତା? ’ ବୋଲି ଉଲ୍ଲେଖ କରିଛନ୍ତି। ଯାହାର ପ୍ରତିକୂଳ ପ୍ରଭାବ ଏବେ  ସିଧା ରାଜନାଥଙ୍କ ଉପରେ ପଡୁଥିବା ଚିଦାମ୍ବରମ କହିଛନ୍ତି।

ସେହିପରି ଚୀନ୍‌ ସହ ପ୍ରଧାନମନ୍ତ୍ରୀଙ୍କ ସମ୍ପର୍କର ପରଦା ମଧ୍ୟ ଏବେ ହଟୁଛି। ଯେଉଁଥିଲାଗି ମୋଦି ଏପର୍ଯ୍ୟନ୍ତ ଭାରତୀୟ ସୀମାକୁ ଚୀନ୍‌ ସେନାର ଅନୁପ୍ରବେଶ କଥାକୁ ଲୁଚାଉଛନ୍ତି। ଏଣୁ ଗୁପ୍ତଚରକୁ ଖୋଜି ରକ୍ଷାମନ୍ତ୍ରାଳୟରୁ ବାହାର କରିବା ଏବେ ସରକାରଙ୍କ ଲାଗି ଜରୁରି ବୋଲି ଚିଦାମ୍ବରମ ଉଲ୍ଲେଖ କରିଛନ୍ତି। ସେପଟେ କଂଗ୍ରେସ ଟ୍ୱିଟ୍‌କୁ ନେଇ ମୋଦିଙ୍କୁ ଟାର୍ଗେଟ୍ କରିଛି। ଚୀନ୍‌ ସହ ଆପଣଙ୍କ ସମ୍ପର୍କ କିପରି, ଯାହାକୁ ନେଇ ଆପଣ ଏତେ ଚାପରେ ଅଛନ୍ତି କାହିଁକି ବୋଲି ପ୍ରଶ୍ନ କରିଛି କଂଗ୍ରେସ।

ଚୀନ୍‌ ସରକାରଙ୍କ ପାଖରେ ଆପଣଙ୍କର ଏପରି କଣ ସୂଚନା ରହିଛି ଯାହା ଲାଗି ଆପଣ ଚୁପ୍‌ ରହିବାକୁ ବାଧ୍ୟ ହେଉଛନ୍ତି। ସେହିପରି ନିର୍ବାଚନରେ ଚୀନ୍‌ର ସହାୟତା କ’ଣ ପାଇଁ ନେଇଥିଲେ ଓ କାହିଁକି ଭାରତୀୟ ଭୋଟରଙ୍କ ଡାଟା ଚୀନ୍‌କୁ ଦେଇଥିଲେ ବୋଲି କଂଗ୍ରେସ ପ୍ରଶ୍ନ କରିଛି। କେବଳ ଏତିକି ନୁହେଁ କଂଗ୍ରେସ ମୁଖପାତ୍ର ପବନ ଖେରା ମଧ୍ୟ ସେହି ଦସ୍ତାବେଜ୍ ସାର୍ବଜନିକ କରିଦେଇଛନ୍ତି ଯେଉଁଥିରେ ମୋଦି ନିର୍ବାଚନ ବେଳେ ଚୀନ୍‌ କମ୍ପାନୀମାନଙ୍କଠାରୁ ବିପୁଳ ଟଙ୍କା ଚାନ୍ଦା ନେଇଥିଲେ। ଏହା ଛଡା ରାଜ୍ୟରେ ମୁଖ୍ୟମନ୍ତ୍ରୀ ଥିବା ବେଳେ ଏହି କମ୍ପାନୀମାନଙ୍କୁ ମୋଦି ସରକାର ଦେଇଥିବା ଫାଇଦାର ସୂଚୀ ମଧ୍ୟ ଉଜାଗର କରିଛନ୍ତି।  

   Related Posts