'ମୋଦିଙ୍କ ଆର୍ଥିକ ପ୍ୟାକେଜ୍ କରୋନା କ୍ଷତକୁ ଭରି ପାରିବ ନାହିଁ, ସରକାର ଏହାର ପୁନର୍ବିଚାର କରନ୍ତୁ' : ଚିଦାମ୍ବରମ୍

Published By : Prameya-News7 Bureau | May 18, 2020 IST

ନୂଆଦିଲ୍ଲୀ ୧୮/୦୫ : କରୋନା ମହାମାରୀକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅନ୍ତିମ ଆର୍ଥିକ ପ୍ୟାକେଜ ଘୋଷଣା ହେବାପରେ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ ମୋଦି ସରକାରଙ୍କ ୨୦ ଲକ୍ଷ କୋଟି ଟଙ୍କାର ରିଲିଫ ପ୍ୟାକେଜକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି | ପ୍ରୋତ୍ସାହନ ପ୍ୟାକେଜ ଉପରେ ସରକାର ପୁନର୍ବିଚାର କରିବାକୁ ସେ ଅନୁରୋଧ କରିଛନ୍ତି | ଚିଦାମ୍ବରମ କହିଛନ୍ତି ଯେ, ରାଜକୋଷର ପ୍ରୋତ୍ସାହନ ପ୍ୟାକେଜରେ ଅନେକ ବର୍ଗର ଲୋକଙ୍କୁ ଅସହାୟ ଭାବେ ଛାଡି ଦିଆଯାଇଛି ଯେଉଁଥିପାଇଁ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି |

ପି.ଚିଦାମ୍ବରମ ଏ ସମ୍ପର୍କରେ ଆଲୋଚନା କରି କହିଛନ୍ତି ଯେ, ରାଜକୋଷ ପ୍ରୋତ୍ସାହନ ଜିଡିପିର ୦.୯୧ ପ୍ରତିଶତ ରାଶି ୧୮୬୬୫୦ କୋଟି ଟଙ୍କା | ଆର୍ଥିକ ସଙ୍କଟର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଏହା ସମ୍ପୂର୍ଣ ଅପର୍ଯ୍ୟାପ୍ତ | ସରକାର ଜିଡିପିର ୧୦ ପ୍ରତିଶତ ବାସ୍ତବରେ ଅତିରିକ୍ତ ବ୍ୟୟରେ ୧୦ ଲକ୍ଷ ଟଙ୍କାରୁ କମ ନ କରି ବ୍ୟାପକ ରାଜକୋଷ ପ୍ରୋତ୍ସାହନ ଘୋଷଣା କରନ୍ତୁ | ସଂସଦରେ ସରକାରଙ୍କ ଏହି ଘୋଷଣାକୁ ବିରୋଧ କରାଯିବ ବୋଲି ଚିଦମ୍ବରମ କହିଛନ୍ତି | କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇ ଚିଦାମ୍ବରମ କହିଛନ୍ତି ଯେ, ସରକାର ଅଧିକ ଋଣ ନିଅନ୍ତୁ ଏବଂ ଅର୍ଥ ବ୍ୟବସ୍ଥାକୁ ପ୍ରୋତ୍ସାହନ କରିବା ପାଇଁ ଅଧକ ଖର୍ଚ୍ଚ କରନ୍ତୁ |

ପି.ଚିଦମ୍ବରମ ଆହୁରି କହିଛନ୍ତି ଯେ, ସେ ଅର୍ଥମନ୍ତ୍ରୀଙ୍କ ଘୋଷଣା କରିଥିବା ପ୍ୟାକେଜକୁ ଭଲ ଭାବେ ବିଶ୍ଳେଷଣ କରିଛନ୍ତି | ଏନେଇ ଅର୍ଥଶାସ୍ତ୍ର ବିଶେଷଜ୍ଞଙ୍କ ସହ ଆଲୋଚନା କରିଛନ୍ତି | ଏହା କେବଳ ୧୮୬୬୫୦ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ | ଚିଦାମ୍ବରମଙ୍କ ଅନୁଯାୟୀ, ଆର୍ଥିକ ବଜେଟର ଶେଷ ରାଶି ଅନେକ ବଜେଟର ଅଂଶ ଏବଂ ଘୋଷଣା ହୋଇଥିବା ଅନେକ ଋଣ ବ୍ୟବସ୍ଥାର ଅଂଶ | ସେ ଅଭିଯୋଗ କରିଛନ୍ତି ଯେ, ସରକାରଙ୍କ ଆର୍ଥିକ ପ୍ୟାକେଜରୁ ୧୩ କୋଟି ଦୁର୍ବଳ ବର୍ଗ ପରିବାର, ଚାଷୀ, ଶ୍ରମିକ ଏବଂ ବେକାର ହୋଇଯାଇଥିବା ଲୋକ ବଞ୍ଚିତ ହୋଇଗଲେ |

କଂଗ୍ରେସ ପ୍ରବକ୍ତା ସୁପ୍ରିୟା ଶ୍ରୀନେତ ଅଭିଯୋଗ କରିଛନ୍ତି ଯେ, ଅର୍ଥମନ୍ତ୍ରୀଙ୍କ ୫ ଦିନିଆ ଧାରାବାହିକ ପରେ ଦେଶର ଗରିବ, ଚାଷୀ, ଶ୍ରମିକ ଏବଂ ମଧ୍ୟବିତ୍ତ ବର୍ଗ ପରିବାରଙ୍କୁ କିଛି ହାସଲ ହୋଇନାହିଁ, କେବଳ ନିରାଶ ହିଁ ମିଳିଛି | ସରକାରଙ୍କ ଏହି ପ୍ୟାକେଜକୁ ସେ 'ଜୁମଲା ପ୍ୟାକେଜ' ବୋଲି କହିଛନ୍ତି | ଅର୍ଥମନ୍ତ୍ରୀ ୫ ଦିନ ଧରି ଯେଉଁ ଧାରାବାହିକ ଦେଖାଇଲେ ସେଥିରେ ପ୍ରମାଣିତ ହୋଇଛି ଯେ ସରକାର ଗରିବଙ୍କ ପାଇଁ ବିଲକୁଲ ଚିନ୍ତିତ ନୁହନ୍ତି | ସରକାର ଲୋକଙ୍କ ପୀଡାକୁ ଅଣଦେଖା କରିଛନ୍ତି | ପ୍ରଧାନମନ୍ତ୍ରୀ ସଂସଦରେ ମନରେଗା ଯୋଜନାକୁ ଅଟ୍ଟହାସ୍ୟ କରିଥିଲେ | କିନ୍ତୁ ମନରେଗା ଯୋଜନା ଦେଶର ଗ୍ରାମୀଣ ଅଞ୍ଚଳରେ ସଂଜୀବନୀ ଭଳି କାମ କରିଛି ବୋଲି ସୁପ୍ରିୟୋ କହିଛନ୍ତି | 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.