ବର୍ଷକୁ ୮.୫ କୋଟି ଟଙ୍କା ରୋଜଗାର କରନ୍ତି ପି.ଚିଦାମ୍ବରମ, ଜାଣନ୍ତୁ ତାଙ୍କ ସମ୍ପତ୍ତି ପୂରା ତାଲିକା…

Published By : Prameya-News7 Bureau | August 22, 2019 IST

ନୂଆଦିଲ୍ଲୀ ୨୨|୮: ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି,ଚିଦାମ୍ବରମଙ୍କ ଘୋଷିତ ସମ୍ପତ୍ତିର ମୂଲ୍ୟ  ପାଖାପାଖି ୧୭୫ କୋଟି ଟଙ୍କା । ତଦନ୍ତକାରୀ ଅଧକାରୀଙ୍କ କହିବା ମୁତାବବ, ତାଙ୍କର ବାସ୍ତବିକ ସମ୍ପତ୍ତି ଏହାଠାରୁ ବହୁ ଗୁଣା ଅଧିକ ହେବ।ଆଇଏନଏକ୍ସ ମିଡିଆକୁ ଫରେନ ଇଭେଷ୍ଟମେଣ୍ଟ ପ୍ରମୋସନ ବୋର୍ଡରୁ ​‌ବେଆଇନ ଭାବେ ସ୍ବୀକୃତି ଦେବା ପାଇଁ ଚିଦାମ୍ବରମ ଲାଞ୍ଚ ନେଇଥିବା ଅଭିଯୋଗ ହୋଇଥିଲା।୨୦୦୭ ମସିହାରେ ଚିତାମ୍ବରମ ଅର୍ଥମନ୍ତ୍ରୀ ଥିବା ସମୟରେ ଏହିଭଳି ସଂଗୀନ ଅଭିଯୋଗ ତାଙ୍କ ନାଁରେ ଆସିଥିଲା।

ରାଜ୍ୟସଭା ନିର୍ବାଚନରେ ଦାଖଲ ହୋଇଥିବା ସତ୍ୟପାଠ ଅନୁସାରେ, ଚିଦାମ୍ବରମ ଓ ତାଙ୍କ ପତ୍ନୀଙ୍କ ସମ୍ପତ୍ତିକୁ ମିଶାଇ ସମୁଦାୟ ୯୫.୬୬ କୋଟି ଟଙ୍କାର ସମ୍ପତ୍ତି ଥିବା କଥା ସେଥିରେ ଉଲ୍ଲେଖ କରାଯାଇଥିଲା।ସେହିପରି ତାଙ୍କ ପୁଅ କୀର୍ତ୍ତି ଚିଦାମ୍ବରମଙ୍କ ସମ୍ପତ୍ତିର ମୂଲ୍ୟ ୮୦ କୋଟି ବୋଲି ଦର୍ଶାଯାଇଛି। ତେବେ ବର୍ତ୍ତମାନ ସୁଦ୍ଧା ତାଙ୍କ ପରିବାର ପାଖରେ ଘୋଷିତ ସମ୍ପତ୍ତିର ମୂଲ୍ୟ ୧୭୫ କୋଟି ଟଙ୍କା ।

ତାମିଲନାଡୁର ଶିବଗଙ୍ଗା ଜିଲ୍ଲାରେ ଏକ ଧନୀ ପରିବାରରେ ପି ଚିଦାମ୍ବରମଙ୍କ ଜନ୍ମ ହୋଇଥିଲା।୨୦୧୪-୨୦୧୫ ମସିହାରେ ଚିଦାମ୍ବରମଙ୍କ ବାର୍ଷିକ ଆୟ ୮.୫ କୋଟି ଟଙ୍କା ହୋଇଥିବା ବେଳେ ତାଙ୍କ ପତ୍ନୀଙ୍କ ଆୟ ଥିଲା ୧.୨୫ କୋଟି ଟଙ୍କା ।

 ପି ଚିଦାମ୍ବରମ ସମ୍ପତ୍ତି କଥା ଯଦି କହିବା  ତେବେ ତାଙ୍କ ପାଖରେ, ୫ ଲକ୍ଷ ଟଙ୍କା ନଗଦ କ୍ୟାସ ରହିଥିବାବେଳେ ବ୍ୟାଙ୍କ ଓ ଅନ୍ୟ ସଂସ୍ଥାରେ ୨୫ କୋଟି ଟଙ୍କା ଜମା ରହିଛି। ଶେୟାର ମାର୍କେଟରେ ୧୩.୪୭ କୋଟି ଟଙ୍କା ନିବେଶ କରାଯାଇଛି। ପୋଷ୍ଟ ଅଫିସ୍‌ରେ ୩୫ ଲକ୍ଷ ଟଙ୍କା  ଜମା ହୋଇଥିବାବେଳେ ୧୦ ଲକ୍ଷ ଟଙ୍କାର ବୀମା ରହିଛି। ୨୭ ଲକ୍ଷ ଟଙ୍କାର ଲଗଜରୀ କାର ଓ ୮୫ ଲକ୍ଷ ଟଙ୍କାର ଅଳଙ୍କାର ମଧ୍ୟ ତାଙ୍କ ମୂଳ ସମ୍ପତ୍ତିରେ ସାମିଲ ରହିଛି। ୨୦ କୋଟି ଟଙ୍କା ହେଉଛି ତାଙ୍କର ସବୁଠାରୁ ମୋଟା ଅଙ୍କର ଡିପୋଜିଟ। ଏଥିସହ ୭ କୋଟି ଟଙ୍କା ମୂଲ୍ୟର ଚାଷ ଜମି, ୪୫ ଲକ୍ଷ ଟଙ୍କାର ବିଲଡିଂ ମଧ୍ୟ ତାଙ୍କର ରହିଛି। ପି ଚିଦାମ୍ବରମ ରହୁଥିବା ଘର ଦାମ ହେଉଛି ୩୨ କୋଟି ଟଙ୍କା। ବ୍ରିଟେନରେ ଥିବା ୧.୫ କୋଟି ଟଙ୍କାର ସମ୍ପତ୍ତି ମଧ୍ୟ ଏଥିରେ ସାମିଲ ରହିଛି। 

୩ଟି ଦାମି କାରର ମାଲିକ ହେଉଛନ୍ତି  ପି ଚିଦାମ୍ବରମ। ହୋଣ୍ଡା, ଟୋୟୋଟା ଓ ଇନୋଭାର ତିନୋଟି କାର ତାଙ୍କ ପାଖରେ ଅଛି। ନିର୍ବାଚନରେ ଦାଖଲ କରିଥିବା ସତ୍ୟପାଠରେ ଦୁଇଟି କାର୍‌ ସେ ଉଲ୍ଲେଖ କରି ନଥିଲେ। ଯାହାର ମୂଲ୍ୟ ୨୭ ଲକ୍ଷରୁ ଅଧିକ ହେବ।

 କୀର୍ତ୍ତି ଚିତାମ୍ବରମଙ୍କ ସଂପତ୍ତିର ମୂଲ୍ୟ ୮୦ କୋଟି ଟଙ୍କା । ତାମିଲନାଡ଼ୁର ଶିବଗଙ୍ଗା ଲୋକସଭା ଆସନର ସାଂସଦ ହେଉଛନ୍ତି କୀର୍ତ୍ତି। ଗତ ନିର୍ବାଚନରେ ସେ ଦାଖଲ କରିଥିବା ସତ୍ୟପାଠ ମୁତାବକ, କୀର୍ତ୍ତି ଓ ତାଙ୍କ ପତ୍ନୀଙ୍କ ସମ୍ପତ୍ତିର ମୂଲ୍ୟ ସମୁଦାୟ ୮୦ କୋଟି ଟଙ୍କା। ପାଖାପାଖି ୧୬ କୋଟି ଟଙ୍କା କରଜ​‌ ଏଥିରେ ସାମିଲ ଅଛି। ୩୪ କୋଟି ଟଙ୍କା ଅସ୍ଥାବର ସମ୍ପତ୍ତି ତାଙ୍କ ପାଖରେ ରହିଛି। ସେଥିମଧ୍ୟରୁ ୬ ଲକ୍ଷ ଟଙ୍କା ନଗଦ, ୧୬ ଲକ୍ଷ ଟଙ୍କା ଏଫଡି, ୨୫ ଲକ୍ଷ ଟଙ୍କା ବ୍ୟାଙ୍କ ଡିପୋଜିଟ୍ ଓ ୧୭ ଲକ୍ଷ ଟଙ୍କା ଶେୟାର ମାର୍କେଟରେ ନିବେଶ କରାଯାଇଛି। ୧.୫ କୋଟି ଟଙ୍କା ଏନଏସସି ଓ ବୀମାରେ ରହିଛି। ୭୭ ଲକ୍ଷ ଟଙ୍କା ଅଳଙ୍କାର ମୂଳ ସମ୍ପତ୍ତିରେ ସାମିଲ ରହିଛି। ୪୬ କୋଟି ଟଙ୍କାର ୧୦୦ ଏକର ଚାଷ ଜମି କୀର୍ତ୍ତିଙ୍କ ନାଁରେ ରହିଛି।ବ୍ୟବସାୟ ପାଇଁ ୯୫  ଲକ୍ଷ ଟଙ୍କାର ବିଲଡିଂ ମଧ୍ୟ ସେ ତିଆରି କରିଛନ୍ତି। ଦିଲ୍ଲୀରେ ପାଖାପାଖି ୧୯ କୋଟି ଟଙ୍କାର ଘର କୀର୍ତ୍ତିଙ୍କ ପାଖରେ ରହିଛି। ବ୍ରିଟେନରେ ମଧ୍ୟ ୪.୫ କୋଟି ଟଙ୍କାର ସମ୍ପତ୍ତି କୀର୍ତ୍ତିଙ୍କ ନାଁରେ ଅଛି। ସେହିପରି ଚେନ୍ନାଇରେ ୩.୫ କୋଟି ଟଙ୍କାର ଘର କୀର୍ତ୍ତି ତିଆରି କରିଛନ୍ତି। ବିଦେଶରେ ୨୫ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ପି ଚିଦାମ୍ବର ଓ ତାଙ୍କ ପୁଅ କାର୍ତ୍ତିଙ୍କ ନାଁରେ ରହିଥିବା କଥା ସିବିଆଇ ସୁପ୍ରିମ କୋର୍ଟରେ କହିଛି। ସେଲ କମ୍ପାନୀ ନାଁରେ କୀର୍ତ୍ତି  ସମ୍ପତ୍ତି କିଣୁଥିଲେ ବୋଲି ସିବିଆଇଙ୍କ ଓକିଲ କହିଛନ୍ତି।  

ତଦନ୍ତ ଅଧିକାରୀଙ୍କ କହିବା ଅନୁସାରେ ଚିଦାମ୍ବରଙ୍କ ଘୋଷିତ ସମ୍ପତ୍ତିଠାରୁ ବାସ୍ତବିକ ସମ୍ପତ୍ତି ବହୁ ଗୁଣା ଅଧିକ ହେବ। ସ୍ପେନର ଏକ ଟେନିସ କ୍ଲବ ଓ ବ୍ରିଟେନର  ଏକ କଟେଜ ୨୩ କୋଟି ଟଙ୍କା ଦେଇ କୀର୍ତ୍ତି କିଣିଛନ୍ତି ବୋଲି ପ୍ରବର୍ତ୍ତନ ନିର୍ଦେଶାଳୟ କହିଛି।

୫୪ କୋଟି ଟଙ୍କାର ସମ୍ପତ୍ତି ପ୍ରବର୍ତ୍ତନ ନିର୍ଦେଶାଳୟ ଜବତ କରିଛି। ଏଥିରେ ଭାରତ, ବ୍ରିଟେନ, ସ୍ପେନରେ ସମ୍ପତ୍ତି ରହିଛି।

ତାମିଲନାଡୁରେ ଶହ ଶହ ଏକରର ଚାଷ ଜମି , ଦକ୍ଷିଣ ଦିଲ୍ଲୀରେ କୀର୍ତ୍ତି ଓ ତାଙ୍କ ମାଆଙ୍କ ନାଁରେ ଥିବା ୧୬ କୋଟି ଟଙ୍କାର ବଙ୍ଗଳା । ବ୍ରିଟେନରେ ଥିବା ୮.୬୭ କୋଟି ଟଙ୍କାର କଟେଜ ଓ ଘର ,  ସ୍ପେନରେ ଥିବା ୧୪.୫ କୋଟି ଟଙ୍କାର ଟେନିସ୍ କ୍ଲବ,  ଚେନ୍ନାଇର ଏକ ବ୍ୟାଙ୍କରେ ଥିବା ୯୦ ଲକ୍ଷ ଟଙ୍କାର ପିକ୍ସଡ ଡିପୋଜିଟ୍ ଅନ୍ତର୍ଭୁକ୍ତ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.