ଧରା ପଡିଲା ଛତିଶଗଡ଼ର ଚାଲବାଜି: ଶିଳ୍ପକୁ ପାଣି ବିକୁଥିଲା, କରୋନାରେ ସବୁ ବନ୍ଦ ଥିବାରୁ ଏଥର ହୀରାକୁଦକୁ ଜଳ ଛାଡିବାକୁ ବାଧ୍ୟ ହୋଇଛି

Published By : Prameya-News7 Bureau | September 20, 2020 IST

ଭୁବନେଶ୍ଵର ୨୦।୦୯: ଧରା ପଡ଼ିଯାଇଛି ଛତିଶଗଡ଼ର ଚାଲବାଜି । ଚଳିତବର୍ଷ ହୀରାକୁଦକୁ ସର୍ବାଧିକ ଜଳ ପ୍ରବେଶ କରିଛି ବୋଲି କେନ୍ଦ୍ର ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀଙ୍କ ସୂଚନା ପରେ ଛତିଶଗଡ଼ ବେଆଇନ୍ ଭାବେ ମହାନଦୀ ପାଣିକୁ ଅଟକାଇ କିଭଳି ଶିଳ୍ପସଂସ୍ଥାଗୁଡ଼ିକୁ ଦେଉଥିଲା ତାହା ସ୍ପଷ୍ଟ ହୋଇଛି । କରୋନା ଲକ୍‌ଡାଉନ୍‌ ଯୋଗୁଁ ଶିଳ୍ପସଂସ୍ଥାଗୁଡ଼ିକ ବନ୍ଦ ଥିବାରୁ ଏଥର ଅଧିକ ପାଣି ଛାଡ଼ିବାକୁ ବାଧ୍ୟ ହୋଇଛି ଛତିଶଗଡ଼ । ଏହାକୁ ନେଇ ରାଜ୍ୟ କଂଗ୍ରେସ ନେତା କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଥିବା ବେଳେ ଜବାବ୍ ରଖିଛି ବିଜେପି।

ସୂଚନା ଅନୁଯାୟୀ  ଚଳିତବର୍ଷ ହୀରାକୁଦକୁ ସର୍ବାଧିକ ଜଳ ପ୍ରବେଶ କରିଛି ବୋଲି କେନ୍ଦ୍ର ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ସୂଚନା ଦେଇଛନ୍ତି । ଚଳିତ ବର୍ଷ ମାର୍ଚ୍ଚରେ ହୀରାକୁଦ ଡ୍ୟାମକୁ ୦.୪୦୪ ମିଲିଅନ ଏକର ଫୁଟ୍ ଜଳ ପ୍ରବେଶ କରିଛି । ଏପ୍ରିଲରେ ୦.୧୫୧, ମେରେ ୦.୧୯୯ ଏମ ଏଏଫ,  ଜୁନରେ ୨.୨୬୩,  ଜୁଲାଇ ମାସରେ ୪.୧୬୩ ଏମ ଏଏଫ ଏବଂ ଅଗଷ୍ଟରେ ୧୪.୯୨୧ ମିଲିଅନ ଏକର ଫୁଟ ଜଳ ମହାନଦୀକୁ ପ୍ରବେଶ କରିଛି ଯାହା ଗଲା ୨ ବର୍ଷ ତୁଳନାରେ ଢେର ଅଧିକ । ହେଲେ ଏହି ତଥ୍ୟ ଛତିଶଗଡ଼ର ଚାଲାକିକୁ ଧରା ପକାଇଦେଇଛି । ଚଳିତବର୍ଷ କୋଭିଡ୍ କଟକଣା ଲାଗି ଶିଳ୍ପସଂସ୍ଥାଗୁଡ଼ିକ ବନ୍ଦ ଥିବାରୁ ଛତିଶଗଡ଼ ଅଧିକ ପାଣି ଛାଡ଼ିବାକୁ ବାଧ୍ୟ ହୋଇଛି । ଏହି ତଥ୍ୟକୁ ନେଇ ରାଜ୍ୟ ସରକାର କୋର୍ଟରେ ଯୁକ୍ତି ରଖିବେ ବୋଲି ବିଜେଡି କହିଛି ।

ମହାନଦୀର ଉପରମୁଣ୍ଡରେ ଛତିଶଗଡ ସରକାର ବେଆଇନ ବ୍ୟାରେଜ ଓ ଆନିକଟ ନିର୍ମାଣ କରି ଶିଳ୍ପକୁ ପାଣି ବିକୁଛନ୍ତି । ଫଳରେ ମହାନଦୀରେ ଓଡ଼ିଶାକୁ ଜଳ ପ୍ରବାହ କମିଛି । ଛତିଶଗଡ ସରକାର କିନ୍ତୁ ଏହାକୁ ମାନିବାକୁ ନାରାଜ୍ । ମାମଲା ଏବେ କୋର୍ଟରେ ଥିବାବେଳେ ଛତିଶଗଡର ଚୋରି ଧରାପଡିଛି ବୋଲି କଂଗ୍ରେସ କହିଛି । ଏହି ଆଳରେ କେନ୍ଦ୍ରକୁ ମଧ୍ୟ ଟାର୍ଗେଟ୍ କରିଛି ଦଳ । ସେ ପଟେ ରାଜ୍ୟ ବିଜେପି ନେତାଙ୍କ କହିବା କଥା ସମୁଦ୍ରକୁ ବୋହି ଯାଉଥିବା ପାଣିକୁ ଅଟକାଇ ରଖିବାକୁ ରାଜ୍ୟ ସରକାର ବ୍ୟବସ୍ଥା କରିବା ଦରକାର ।  

ଓଡ଼ିଶା ଓ ଛତିଶଗଡ଼ ଭିତରେ ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲରେ ନ୍ୟାୟିକ ଲଢ଼େଇ ଜାରି ରହିଥିବା ବେଳେ କେନ୍ଦ୍ର ଜଳ ଆୟୋଗଙ୍କ ସଦ୍ୟତମ ତଥ୍ୟ ଏହି ବିବାଦକୁ ଆଗକୁ ନୂଆ ମୋଡ଼ ଦେବ ନିଶ୍ଚୟ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.