ମହିଳା ମାଓବାଦୀକୁ ଗିରଫ କଲା ଛତିଶଗଡ଼ ପୋଲିସ୍, ମୁଣ୍ଡ ଉପରେ ଥିଲା ୮ ଲକ୍ଷ ଟଙ୍କାର ପୁରସ୍କାର

Published By : Prameya-News7 Bureau | January 19, 2021 IST

ରାୟପୁର, ୧୯/୦୧: ଜଣେ ଦୁର୍ଦ୍ଦାନ୍ତ ମହିଳା ମାଓବାଦୀକୁ ଆଜି ଛତିଶଗଡ଼ ପୋଲିସ୍ ଗିରଫ କରିଛି । ତାଙ୍କ ନାମରେ ପୂର୍ବରୁ ୮ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ତାଙ୍କୁ ଛତିଶଗଡ଼ ବସ୍ତର ଜିଲ୍ଲାର ବିଜାପୁର ଗ୍ରାମରୁ ଗିରଫ କରାଯାଇଛି ।

ପୋଲିସ୍ ଏନେଇ କହିଛି ଯେ, କୋର୍ସା ମାସେ ନାମକ ଜଣେ ୨୪ ବର୍ଷୀୟ ମହିଳା ମାଓବାଦୀଙ୍କୁ ଗିରଫ କରାଯାଇଛି । ସେ ସକିନ୍ ପୁଜାରିପଡ଼ା ଅଞ୍ଚଳର ହୋଇଥିବା ବେଳେ ମାଓଇଷ୍ଟ କମ୍ପାନୀ ନମ୍ୱର-୧ର ସେ ସଦସ୍ୟ ଥିବା ପୋଲିସ୍ କହିଛି। କୋର୍ସା ସିପିଆଇର ମାଡ୍ ଡିଭିଜନ୍‌ରେ କାର୍ଯ୍ୟ କରୁଥିଲା । ସେ ଗତ ବର୍ଷ ଡିସେମ୍ୱର ମାସରେ ଗଙ୍ଗାଲୋର ଅଞ୍ଚଳରେ କ୍ୟାମ୍ପ ଖୋଲାଯିବାକୁ ବିରୋଧ କରି ଆଦିବାସୀଙ୍କୁ ରାଲିରେ ସାମିଲ୍ କରିବାରେ ଜଡ଼ିତ ଥିଲା । ଗତ ସୋମବାର ଜିଲ୍ଲା ରିଜର୍ଭ ଗାର୍ଡଙ୍କ ଦ୍ୱାରା ହୋଇଥିବା ଅପରେସନରେ କୋର୍ସାକୁ ଗିରଫ କରାଯାଇଥିଲା । ଏବେ ତାକୁ ପୋଲିସ୍ ରିମାଣ୍ଡରେ ନେବା ସହ ସେ ସଂପୃକ୍ତ ଥିବା ଘଟଣାର ତଦନ୍ତ ଜାରି ରଖିଥିବା ଜଣେ ପୋଲିସ୍ ଅଧିକାରୀ କହିଛନ୍ତି ।

ତେବେ ସୋମବାର ଅନ୍ୟ ଏକ ଅପରେସନରେ ବିଜାପୁର ପୋଲିସ୍ ପାମେଡ୍ ଅଞ୍ଚଳରେ ବୋମା ଫିଙ୍ଗାରେ ଜଡ଼ିତ ଥିବା ସୁନୀତା କରମଙ୍କୁ ଗିରଫ କରିଛି । ଏଥିସହିତ ଦାନ୍ତେୱାଡ଼ା ଜିଲ୍ଲା ପୋଲିସ୍ ନିକଟରେ ଆଠ ଜଣ ମାଓବାଦୀ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି । ସେମାନଙ୍କ ମଧ୍ୟରେ ଜଣେ ମହିଳା ମାଓବାଦୀ ରହିଥିବା ବେଳେ ୭ଜଣ ପୁରୁଷ ମାଓବାଦୀ ରହିଛନ୍ତି । ଆତ୍ମସମର୍ପଣ କରିଥିବା ସୁରେଶ ଓୟାମିଙ୍କ ନାମରେ ପୂର୍ବରୁ ୨ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଥିବା ପୋଲିସ୍ କହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.