ଛତ୍ରପୁର SDPO ଏବଂ IICଙ୍କୁ କରୋନା, ଜିଲ୍ଲାରେ ୬୭୮ ଛୁଇଁଲା ସଂକ୍ରମିତଙ୍କ ସଂଖ୍ୟା
13/06/2020 at 12:06 PM

ବ୍ରହ୍ମପୁର ୧୩।୬: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ଭାବେ ବଢୁଛି । ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୨୨୫ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରୁ ୨୦ ଜଣ ରହିଛନ୍ତି । ଗଞ୍ଜାମ ଜିଲ୍ଲାରୁ ଚିହ୍ନଟ ହୋଇଥିବା ୨୦ ସଂକ୍ରମିତଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାର ଦୁଇ ପୋଲିସ ସଂକ୍ରମିତ ହୋଇଛନ୍ତି ।
ଗଞ୍ଜାମ ପୋଲିସ ଜିଲ୍ଲାର ଦୁଇ ଜଣ ପୋଲିସ ଅଧିକାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଛତ୍ରପୁର ଏସଡିପିଓ ଏବଂ ଛତ୍ରପୁର ଥାନା ଅଧିକାରୀ ଉଭୟ କରୋନା ଦ୍ବାରା ସଂକ୍ରମିତ ହୋଇଛନ୍ତି । ଏ ନେଇ ଟ୍ବିଟ୍ ଯୋଗେ ଗଞ୍ଜାମ ଏସପି ବ୍ରିଜେଶ୍ ରାଏ ସୂଚନା ପ୍ରଦାନ କରିଛନ୍ତି । ସଂକ୍ରମିତ ଅଧିକାରୀଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି ଏସପି ।
୨୦ ସଂକ୍ରମିତଙ୍କୁ ମିଶାଇ ଗଞ୍ଜାମ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୬୭୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୧୨୮ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୫୪୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ଏପର୍ଯ୍ୟନ୍ତ ୫ ଜଣ ପ୍ରାଣ ହରାଇସାରିଲେଣି ।
ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩୭୨୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୧୨୩୬ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୨୪୭୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ୧୦ ଜଣଙ୍କର ମୃତ୍ୟୁ କରୋନାଜନିତ ହୋଇଥିବା ବେଳେ ୩ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି ।
In the line of duty our two covid warriors SDPO Chatrapur & IIC Chatrapur tested covid positive.We wish speedy recovery of them. Inspiring by their services we take this fight against covid with great zeal to save our citizens from this disease.@CMO_Odisha @DGPOdisha
— SP GANJAM (@sp_ganjam) June 13, 2020