ଯୁବକଙ୍କୁ ଚାପୁଡ଼ା ମାରି ହଟିଲେ ଡିଏମ, ନିଯୁକ୍ତ ହେଲେ ୨୦୧୩ ବ୍ୟାଚ୍‌ର IAS ଅଧିକାରୀ, ନୂଆ ଜିଲ୍ଲାପାଳଙ୍କୁ ନେଇ ଚର୍ଚ୍ଚା ଜୋର

Published By : Prameya-News7 Bureau | May 23, 2021 IST

ହରଦୋଇ ୨୩/୫: ଛତିଶଗଡ଼ ସୁରଜପୁର କଲେକ୍ଟର ଜଣେ ଯୁବକଙ୍କୁ ଚାପୁଡ଼ା ମାରିବା ସହ ମୋବାଇଲ କଚାଡ଼ି ଭାଙ୍ଗିବା ଘଟଣା ଭାଇରାଲ ହେବା ପରେ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଜିଲ୍ଲାପାଳ ରଣବୀର ଶର୍ମାଙ୍କୁ ହଟାଇବାକୁ ନିର୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଏହା ପରେ ଆଇଏଏସ୍‌ ଗୌରବ କୁମାର ସିଂହଙ୍କୁ ନୂଆ ଜିଲ୍ଲାପାଳ ଭାବେ ନିଯୁକ୍ତ କରାଯାଇଛି। ସେପଟେ ରଣବୀର ସିଂହଙ୍କ କାର୍ଯ୍ୟକୁ ଘୋର ନିନ୍ଦା କରିଛି ଆଇଏଏସ ସଂଘ। ତାଙ୍କର ବ୍ୟବହାର ଶିଷ୍ଟାଚାର ବିରୋଧୀ ବୋଲି ସଂଘ କହିଛି।

ତେବେ ନୂଆ ଡିଏମ ଗୌରବ ସିଂହଙ୍କୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି। ନବନିଯୁକ୍ତ କଲେକ୍ଟର ଗୌରବ ସିଂହ ଉତ୍ତରପ୍ରଦେଶର ହରଦୋଇ ଜିଲ୍ଲାର ବାସିନ୍ଦା। ଦେବମନପୁର ଗାଁରେ ଜନ୍ମ ହୋଇଥିବା ଗୌରବ ପିଲାଟି ବେଳୁ ପାଠରେ ନିପୁଣ ଥିଲେ। ତାଙ୍କ ବାପା ଜଣେ ଅବସରପ୍ରାପ୍ତ ପ୍ରିନ୍ସିପାଲ । ଗୌରବଙ୍କର ୨ ଭାଇ ଏବଂ ୪ ଭଉଣୀ ଅଛନ୍ତି। ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରୁ ପାଠ ପଢ଼ା ଆରମ୍ଭ କରିଥିବା ଗୌରବ ଆଇଆଇଟି ଦିଲ୍ଲୀରୁ ପିଏଚଡି କରିଛନ୍ତି।

ଗୌରବ ୨୦୧୩ ବ୍ୟାଚ୍‌ର ଆଇଏଏସ୍‌ ଅଧିକାରୀ। ସେ ପ୍ରଥମ ଥର ପାଇଁ କଲେକ୍ଟର ଭାବେ ଦାୟିତ୍ବ ପାଇଛନ୍ତି। ଏହା ପୂର୍ବରୁ ରାଇପୁର ଜିଲ୍ଲା ପଞ୍ଚାୟତର ମୁଖ୍ୟ କାର୍ଯ୍ୟପାଳନ ଅଧିକାରୀ ଥିଲେ। ଗୌରବ ସିଂହଙ୍କ ବଡ଼ ଭାଇ  ବିଜେପି ନେତା ହୋଇଥିବା ବେଳେ ସେ ବିଲଗ୍ରାମ-ମାଲାଓ୍ବାନର  ବିଧାୟକ ଅଛନ୍ତି।

ଛତିଶଗଡ଼ର ସୁରଜପୁରରେ ବହୁ ଚର୍ଚ୍ଚିତ ଘଟଣାରେ ପଦବୀରୁ ହଟିଥିବା ଡିଏମଙ୍କ ସ୍ଥାନରେ ଗୌରବ ଆସିବା ପରେ ସାଧାରଣରେ ଖୁସି ପ୍ରକାଶ ପାଇଛି। ଜଣେ ମଧ୍ୟବିତ୍ତ ପରିବାରର ପିଲା ଜିଲ୍ଲାପାଳ ଦାୟିତ୍ବ ସୂଚାରୁ ରୂପେ ତୁଲାଇବେ ବୋଲି ଲୋ​‌କେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.