Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

‘ସିନ୍ଧିଆ ଗଣତନ୍ତ୍ରର ଗଦ୍ଦାର’ : ଛତିଶଗଡ଼ କଂଗ୍ରେସର ଟ୍ୱିଟ୍‌କୁ ନେଇ ଝଡ

30/06/2020 at 3:10 PM

ରାୟପୁର ୩୦/୦୬ : କରୋନା ମହାମାରୀ ସହ ଲଢେଇ ମଧ୍ୟରେ ରାଜନୈତିକ ଦଳମାନଙ୍କ ମଧ୍ୟରେ ବୟାନବାଜି ମଧ୍ୟ ଜୋର ଧରିଛି | ମଙ୍ଗଳବାର ଦିନ ଛତିଶଗଡ଼ କଂଗ୍ରେସ ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଟାର୍ଗେଟ କରିଛି | ଛତିଶଗଡ଼ କଂଗ୍ରେସର ଅଫିସିଆଲ ଟ୍ୱିଟର ଆକାଉଣ୍ଟ ଜରିଆରେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ନେଇ ବିବାଦୀୟ ଟ୍ୱିଟ କରାଯାଇଛି | ଟ୍ୱିଟ ଜରିଆରେ କଂଗ୍ରେସ ସିନ୍ଧିଆଙ୍କୁ ‘ଗଣତନ୍ତ୍ରର ଗଦ୍ଦାର’ ବୋଲି କହିଛି | କଂଗ୍ରେସ ଦଳର ଏହି ଟ୍ୱିଟକୁ ନେଇ ବର୍ତ୍ତମାନ ରାଜନୀତିରେ ଝଡ ସୃଷ୍ଟି ହୋଇଛି | ମଧ୍ୟ ପ୍ରଦେଶରେ କିଛି ଦିନ ପରେ ବିଧାନସଭା ଉପ-ନିର୍ବାଚନ ହେବାକୁ ଅଛି | ଏପଟେ ଛତିଶଗଡ଼ କଂଗ୍ରେସ ସିନ୍ଧିଆଙ୍କୁ ନେଇ ଗୋଟିଏ ପରେ ଗୋଟିଏ ବିବାଦୀୟ ଟ୍ୱିଟ କରି ତାଙ୍କୁ ହମଲା କରୁଛି |

ଛତିଶଗଡ଼ କଂଗ୍ରେସ ମଧ୍ୟପ୍ରଦେଶର ବରିଷ୍ଠ ନେତା ତଥା ନିକଟରେ କଂଗ୍ରେସରୁ ବିଜେପିରେ ସାମିଲ ହୋଇଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ନେଇ ଅନେକ ଟ୍ୱିଟ କରିଛନ୍ତି | ପ୍ରଦେଶ କଂଗ୍ରେସର ଅଫିସିଆଲ ଟ୍ୱିଟର ହ୍ୟାଣ୍ଡଲରୁ ଯେଉଁ ପ୍ରଥମ ବିବାଦୀୟ ଟ୍ୱିଟ କରାଯାଇଛି ସେଥିରେ ସିନ୍ଧିଆଙ୍କୁ ଆକ୍ଷେପ କରି ଗଣତନ୍ତ୍ରର ଗଦ୍ଦାର ବୋଲି କୁହାଯାଇଛି | ଏହି ଟ୍ୱିଟକୁ ନେଇ ରାଜନୀତିରେ ଖୁବ ଶୀଘ୍ର ଝଡ ସୃଷ୍ଟି ହେବାର ସମ୍ଭାବନା ରହିଛି | ଆଉ ଏକ ଟ୍ୱିଟରେ ଗ୍ୱାଲିୟର ମହାରାଜା ସିନ୍ଧିଆଙ୍କ ଉପରେ ‘ସଂଘୀୟ’ ହେବାର ଆରୋପ ଲଗାଇଛନ୍ତି | କଂଗ୍ରେସ ସିନ୍ଧିଆଙ୍କ ଅଳରେ ବିଜେପିକୁ ମଧ୍ୟ ଟାର୍ଗେଟ କରିଛି |

କରୋନା ସଙ୍କଟ ମଧ୍ୟରେ ରାଜନୈତିକ ଦଳ ନେତାଙ୍କୁ ଜନତାଙ୍କ ପାଖକୁ ଯିବା ମୁସ୍କିଲ ହୋଇଯାଇଥିବା ବେଳେ ସୋସିଆଲ ମିଡ଼ିଆ ବର୍ତ୍ତମାନ ବୟାନବାଜି, ଆରୋପ-ପ୍ରତ୍ୟାରୋପ ପାଇଁ ଏକ ପ୍ଲାଟଫର୍ମ ସାଜିଛି | ସେଥିପାଇଁ ମଧ୍ୟ ପ୍ରଦେଶରେ ୨୪ ଆସନ ପାଇଁ ହେବାକୁ ଥିବା ବିଧାନସଭା ଉପ ନିର୍ବାଚନ ପୂର୍ବରୁ ଛତିଶଗଡ଼ କଂଗ୍ରେସ ଟ୍ୱିଟର ଆକାଉଣ୍ଟରୁ ଲଗାତାର ଏହି ପ୍ରସଙ୍ଗରେ ଟ୍ୱିଟ କରାଯାଉଛି | ମଙ୍ଗଳବାର ସକାଳୁ ମଧ୍ୟ ଏହି ଟ୍ୱିଟର ଆକାଉଣ୍ଟରୁ ମଧ୍ୟ ପ୍ରଦେଶରେ ପୁଣିଥରେ କଂଗ୍ରେସ ସରକାର ଗଠନ ସମ୍ଭାବନା ନେଇ ଟ୍ୱିଟ କରାଯାଇଥିଲା | ଏଥିରେ କୁହାଯାଇଥିଲା ଯେ କମଲନାଥ ପୁଣି ମୁଖ୍ୟମନ୍ତ୍ରୀ ହେବେ |

   Related Posts