ଲୋକଙ୍କ ଭିଡରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ଉପରେ କୋରଡ଼ା ମାଡ଼, video viral

Published By : Prameya-News7 Bureau | November 05, 2021 IST

ଦୁର୍ଗ ୫।୧୧:  ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ଉପରେ ଜନୈକ ବ୍ୟକ୍ତି ନିସ୍ତୁକ ସୋଟା ମାଡ଼ କରିଛନ୍ତି। ଘଟଣା ଦୂର୍ଗରେ ଏକ ଧାର୍ମିକ କାର୍ଯ୍ୟକ୍ରମରେ ହୋଇଛି। ଯେଉଁଥିରେ ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟର ମଙ୍ଗଳ ଲାଗି ବ୍ୟକ୍ତିଙ୍କ ଠାରୁ ବିନା ଓଜର ଆପତ୍ତିରେ କୋରଡ଼ା ମାଡ଼ ଖାଇବାକୁ ପଡିଛି। କାର୍ଯ୍ୟକ୍ରମ ପରେ ମୁଖ୍ୟମନ୍ତ୍ରୀ ଏ ନେଇ ଟ୍ୱିଟ୍‌ ମଧ୍ୟ କରିଛନ୍ତି। ଯେଉଁଥିରେ ରାଜ୍ୟର ଶୁଭ ମଙ୍ଗଳ ଲାଗି ଆଜି ଜଞ୍ଜଗିରିରେ ସୋଟା ମାଡ଼ ଖାଇବାକୁ ପଡିଥିବା ଉଲ୍ଲେଖ କରିଛନ୍ତି।

ଉଲ୍ଲେଖଯୋଗ୍ୟଯେ ଦୀପାବଳି ଅବସରରେ ଗୋବର୍ଦ୍ଧନ ପୂଜାରେ ମୁଖ୍ୟମନ୍ତ୍ରୀ ସାମିଲ ହୋଇଥିଲେ। ଏଥିରେ ଗୌରା-ଗୌରୀ ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କୁ କୋରଡ଼ା ମାଡ ହୋଇଛି। ଏହା ଉତ୍ସବର ଏକ ପରମ୍ପରା। ଯେଉଁଥିରେ ଭକ୍ତ ନିଜ ପରିବାରକୁ ଅନିଷ୍ଠରୁ ରକ୍ଷା କରିବା ଲାଗି ସୋଟା ମାଡ ଖାଇଥାନ୍ତି। ଅନ୍ୟମାନଙ୍କ ପରି ମୁଖ୍ୟମନ୍ତ୍ରୀ ମଧ୍ୟ ଉତ୍ସବରେ ସାଧାରଣ ଭକ୍ତ ଭାବେ ସାମିଲ ହୋଇ ରାଜ୍ୟର ମଙ୍ଗଳ ଲାଗି ସୋଟା ମାଡ ଖାଇଛନ୍ତି। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ଉପରେ କୋରଡ଼ା ବର୍ଷା କରିଥିବା ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀ କୁଣ୍ଢେଇ ଗୋବର୍ଦ୍ଧନ ପୂଜାର ଶୁଭକାମନା ଜଣାଇଛନ୍ତି।

wp:embed {"url":"https://twitter.com/bhupeshbaghel/status/1456470596670275584","type":"rich","providerNameSlug":"twitter","responsive":true}
https://twitter.com/bhupeshbaghel/status/1456470596670275584
/wp:embed

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଗୋବର୍ଦ୍ଧନ ପୂଜା ଗୋ ବଂଶ ପ୍ରତି ଆମର କୃତଜ୍ଞତାର ପ୍ରତୀକ ବୋଲି କହିଛନ୍ତି। ଆମ ପୂର୍ବଜମାନେ ଏହି ପରି ଅନେକ ଛୋଟ ଛୋଟ ପରମ୍ପରା ସୃଷ୍ଟି କରିଯାଇଛନ୍ତି। ଏହି ସବୁ ପରମ୍ପରା ଆମ ଜୀବନକୁ ଆନନ୍ଦ ଉଲ୍ଲାସରେ ଭରି ଦେଉଛି। କାର୍ଯ୍ୟକ୍ରମରେ ପ୍ରଫୁଲ୍ଲିତ ଲୋକଙ୍କୁ ଦେଖି ମୋର ମନ ମଧ୍ୟ ବେଶ ପ୍ରଫୁଲ୍ଲିତ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଗୋବର୍ଦ୍ଧ ପୂଜା ଓ ଗୌରା-ଗୌରୀ ପୂଜନ ମାଟି ପ୍ରତି ଆମମାନଙ୍କ ଗଭିର ଅନୁରାଗର ଉତ୍ସବ। ଏଣୁ ମାଟିର ସମ୍ବର୍ଦ୍ଧନା ଆମମାନଙ୍କ ପ୍ରଥମ କର୍ତ୍ତବ୍ୟ ବୋଲି ସେ କହିଛନ୍ତି।

ଛତିଶଗଡରେ ଗୌରା-ଗୌରୀ ପୂଜନ ଧୁମଧାମରେ ପାଳିତ ହୋଇଥାଏ। ଏହି ପର୍ବ ଶିବ (ଗୌରା) ଓ ମାତା ପାର୍ବତୀ (ଗୌରୀ)ଙ୍କ ଉଦ୍ଦେଶ୍ୟରେ ସମର୍ପିତ। ଦେଶ ଗଣପର୍ବ ଦୀପାବଳି ଅବଧିରେ ଏହି ଉତ୍ସବ ପାଳନ ହୋଇଥାଏ। ଏହି ଅବସରରେ ଶିବ ପାର୍ବତୀଙ୍କ ମେଢ ବାହାର କରିବାର ପରମ୍ପରା ରହିଛି। ଏଥିରେ ଭକ୍ତଙ୍କୁ କୋରଡା ମାଡର ବିଧାନ ରହିଛି। କୁହାଯାଏ ଯେଉଁ ବ୍ୟକ୍ତି ଠାକୁରଙ୍କ କୋରଡା ମାଡ ଖାଏ ତା ପରିବାରର ବିଘ୍ନ ସମାପ୍ତ ହୋଇଯାଏ। ରାଜ୍ୟର ଶୁଭ କାମନାରେ ମୁଖ୍ୟମନ୍ତ୍ରୀଙ୍କ କୋରଡା ମାଡ଼ ଖାଇବା ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.