ଦଶହରାରେ ବନ୍ଦ, କୁମାରପୂର୍ଣ୍ଣିମାରେ ଶ୍ରୀମନ୍ଦିର ଖୋଲା ରହିବ : ହବିଷ୍ୟାଳିଙ୍କୁ ପୁରୀ ନଆସିବାକୁ ପ୍ରଶାସନର ଅନୁରୋଧ

Published By : Prameya-News7 Bureau | October 11, 2021 IST

ପୁରୀ ୧୧।୧୦: ଶ୍ରୀମନ୍ଦିର ନିଳାଦ୍ରି ଭକ୍ତ ନିବାସଠାରେ ନୀତି ଓ ଅର୍ଥ ସବ୍ କମିଟିର ବୈଠକ ପରେ ବସିଥିଲା ଛତିଶା ନିଯୋଗ ବୈଠକ। ଅର୍ଥ ସବ୍ କମିଟି ବୈଠକରେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ୧୯୦ କୋଟି ୨୬ ଲକ୍ଷ ୫ ହଜାର ୩ ଶହ ୬ଟଙ୍କାର ବଜେଟ୍ ଆଗତ କରାଯାଇଛି। ଏବର୍ଷ ଖଣି, ସୈରାତ ଓ ରାଜସ୍ବ ଆଦାୟ ଅଧିକ ରହିଛି। ରାଜସ୍ବ ଆଦାୟ ଅର୍ଥ, ରଥଯାତ୍ରା, ମହାପ୍ରଭୁଙ୍କ ନୀତିକାନ୍ତି, ସେବାୟତଙ୍କ ସ୍ବାସ୍ଥ୍ୟ, ଶିକ୍ଷା ଓ ସାମାଜିକ ଉନ୍ନୟନ ପାଇଁ ଖର୍ଚ୍ଚ କରାଯିବ। ଚଳିତ ମାସ ୧୬ ତାରିଖରୁ ନଭେମ୍ବର ୧୯ ତାରିଖ ପର୍ଯ୍ୟନ୍ତ ମହାଧାର୍ମିକ କାର୍ତ୍ତିକ ମାସ ପାଇଁ ନୀତିନିର୍ଘଣ୍ଟ ଚୂଡାନ୍ତ ହୋଇଛି। ଚଳିତ ମାସ ୧୫ ତାରିଖରେ ପଡୁଥିବା ଦଶହରାରେ ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ରହିବ। ତେବେ ୨୦ ତାରିଖରେ ପଡୁଥିବା କୁମାର ପୂର୍ଣ୍ଣିମାରେ ଖୋଲା ରହିବ ମନ୍ଦିର। ଆସନ୍ତା ଦିନେ ଦୁଇ ଦିନ ମଧ୍ୟରେ ସଂଶୋଧିତ ଏସଓପି ଜାରି କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି। 

ସେପଟେ କାର୍ତ୍ତିକ ମାସରେ ହବିଷ୍ୟାଳିମାନେ ଶ୍ରୀମନ୍ଦିର ନଆସିବା ପାଇଁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି। ତେବେ ଦର୍ଶନ ପାଇଁ କୌଣସି କଟକଣା ନାହିଁ। କାର୍ତ୍ତିକ ମାସ ଅର୍ଥାତ୍ ନଭେମ୍ବରରେ ତିନି ଦିନ ଶ୍ରୀମନ୍ଦିର ବନ୍ଦ ରହିବ। ନଭେମ୍ବର ୪ ତାରିଖରେ ଦିପାବଳୀ, ୧୫ ରେ ଏକାଦଶୀ ଓ ୧୯ରେ କାର୍ତ୍ତିକ ପୂର୍ଣ୍ଣିମାରେ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିବ। ତେବେ ପଞ୍ଚୁକ ପାଞ୍ଚ ଦିନ ମଧ୍ୟରୁ ତିନି ଦିନ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲା ରହିବ।

ଚଳିତ ମାସ ୧୮ ତାରିଖରେ ଶ୍ରୀମନ୍ଦିର ଦୋଳବେଦୀ କୋଣ ନିକଟ ଐଶାନ୍ୟ କୋଣରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପ ଅନ୍ତର୍ଗତ ଯାତ୍ରୀ ପରିକ୍ରମା ମାର୍ଗ ପ୍ରକଳ୍ପର ଶୁଭାରମ୍ଭ ହେବ। ଏଥିପାଇଁ ଏନଏମଏ ସମେତ ବିଭିନ୍ନ ବିଭାଗର ଅନୁମତି ମିଳିସାରିଛି। କୁମାରପୂର୍ଣ୍ଣିମା ପରଠାରୁ ସେବାୟତମାନେ ପର୍ଯ୍ୟାୟ କ୍ରମେ ପାରମ୍ପରିକ ବେଶ ପୋଷାକ ପିନ୍ଧି ପୋଖରିଆ ଓ ଗର୍ଭଗୃହକୁ ପ୍ରବେଶ କରିବା ପାଇଁ ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ନିଆଯାଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.