Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଵେଲ ବଜାଇ ଘରକୁ ଆସି ଘରୁ ଚାବି ନେଇ ବିଜେପି ବିଧାୟକଙ୍କ ଗାଡି ନେଇ ଫେରାର ହୋଇଗଲା ଯୁବକ : ସିସିଟିଭିରେ କଏଦ ଯୁବକ

27/04/2019 at 1:49 PM

ପଞ୍ଚକୁଲା ୨୭/୪ : ହରିୟାଣା ପଞ୍ଚକୁଲାରେ ଉତ୍ତର ପ୍ରଦେଶର ବିଜେପି ବିଧାୟକ ପ୍ରାର୍ଥୀଙ୍କ ଧଳା ରଙ୍ଗର ଫର୍ଚ୍ଚୟୁନର ଗାଡି ଘର ବାହାରୁ ଚୋରି ହୋଇଯାଇଛି | ଖବରପାଇ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି | ଚୋରି ଘଟଣା ସିସିଟିଭିରେ କଏଦ ହୋଇଥିବା ଜଣାପଡିଛି | ପୋଲିସ କାର ଏବଂ ଚୋରକୁ ଖୋଜାଖୋଜି କରୁଛି |


ବାଗପତ ଛପରୋୖଲିର ବିଜେପି ବିଧାୟକ ପ୍ରାର୍ଥୀ ସହେନ୍ଦ୍ର ସିଂହଙ୍କ ଗାଡି ଚୋରି ହୋଇଯାଇଛି | ସହେନ୍ଦ୍ରଙ୍କ ଗାଡି ସେକ୍ଟର ୪ ସ୍ଥିତ ୭୨ ନମ୍ବର ଘର ବାହାରେ ଛିଡା ହୋଇଥିଲା | ବରିଷ୍ଠ ପୋଲିସ ଅଧିକାରୀଙ୍କ ନିର୍ଦେଶରେ ଚଣ୍ଡୀଗଡ଼ ଓ ପଞ୍ଚକୁଲାର ସବୁ ରାସ୍ତାକୁ ବନ୍ଦ କରିଦିଆଯାଇଛି | ସହରର ସବୁ ରାସ୍ତାକୁ ବନ୍ଦ କରି ପୋଲିସ ସର୍ଚ୍ଚ ଅପରେସନ ଜାରି ରଖିଛି | ସେକ୍ଟର-୫ ପୋଲିସ ଅଜଣା ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜ୍ଜୁ କରି ତଦନ୍ତ କରୁଛି |


ବିଧାୟକ ପ୍ରାର୍ଥୀ ସହେନ୍ଦ୍ର ସିଂହ ପୋଲିସକୁ କହିଛନ୍ତି ଯେ, ତାଙ୍କ ପୁଅ ସେକ୍ଟର-୪ ସ୍ଥିତ ଘର ନମ୍ବର ୭୨ରେ ରୁହନ୍ତି | ପୁଅକୁ ଦେଖା କରିବା ପାଇଁ ସେ ବୁଧବାର ଦିନ ସେଠାକୁ ଯାଇଥିଲେ | ସେ ଆଜି ବାଗପତ ଫେରି ଯାଇଥାନ୍ତେ | ସେଥିପାଇଁ ତାଙ୍କର ଧଳା ରଙ୍ଗର ଫର୍ଚ୍ଚୟୁନର ଗାଡି (ସିଏଚ-୦୧-ବିଏମ-୦୦୪୨) ଘର ବାହାରେ ଛିଡା ହୋଇଥିଲା | ତାଙ୍କ ଗାଡିରେ ଏମଏଲଏ ଷ୍ଟିକର ମଧ୍ୟ ଲାଗିଥିଲା | ଗାଡିରେ ବିଧାୟକଙ୍କ କିଛି ଜରୁରୀ କାଗଜପତ୍ର ସହ ବିଧାନସଭା ସଦସ୍ୟତା କାର୍ଡ ମଧ୍ୟ ଥିଲା |


ବିଧାୟକ କହିଛନ୍ତି ଯେ, ଗାଡି ଚୋରି କରିଥିବା ଚୋରର ବହୁତ ସାହସ | ସକାଳ ପାଖାପାଖି ସାଢେ ୬ଟା ବେଳେ କଲିଙ୍ଗ ଵେଲ ବାଜିଥିଲା | ଘର ଚାକର କବାଟ ଖୋଲିବାରୁ ଜଣେ ଯୁବକ ବିଧାୟକଙ୍କ ପୁଅ ସମ୍ପର୍କରେ ପଚାରିଥିଲା | ଏହାପରେ ଯୁବକ ଘର ଭିତରକୁ ଆସି ବୈଠକ ଘରେ ବସିଲା ଏବଂ ଚାକରକୁ ପାଣି ମାଗିଲା | ପାଣି ଆଣିବାକୁ ଚାକର ରୋଷେଇ ଘରକୁ ଯିବାପରେ ଯୁବକ ସେହି ବୈଠକ ଘର ଟେବୁଲ ଉପରେ ରଖାଯାଇଥିବା ଗାଡି ଚାବି ଉଠାଇ ନେଇଥିଲା | ଚାକର ପାଣି ଆଣି ଆସିବ ପୂର୍ବରୁ ଯୁବକ ଗାଡି ନେଇ ସେଠାରୁ ଫେରାର ହୋଇଯାଇଥିଲା | ବିଧାୟକ ଅତ୍ୟନ୍ତ ଦୁଃଖିତ ହୋଇ କହିଛନ୍ତି ଯେ, ଚୋରଙ୍କ ବହୁତ ସାହସ ହୋଇଗଲାଣି | ଗାଡିରେ ବିଧାୟକ ଷ୍ଟିକର ଲାଗିଛି ତଥାପି ଚୋରକୁ ଟିକିଏ ଭୟ ନାହିଁ |


ମାମଲା ରୁଜ୍ଜୁ ପରେ ଘର ବାହାର ଲାଗିଥିବା ସିସିଟିଭି ଫୁଟେଜକୁ ଘଂଟିଥିଲା ପୋଲିସ | ଗାଡି ଚୋରି କରିଥିବା ଚୋର ସିସିଟିଭିରେ କଏଦ ହୋଇଥିବା ପୋଲିସ ଦେଖିଚି | ସିସିଟିଭି ଫୁଟେଜକୁ ପୋଲିସ ସମସ୍ତ ଥାନାକୁ ପଠାଇଦେଇଛି | ପୋଲିସ ସୂଚନା ଅନୁଯାୟୀ, ଚୋର ମୁହଁରେ ଅଳ୍ପ ଟିକେ ଦାଢ଼ି ଅଛି ଏବଂ ମୁଣ୍ଡରେ ଏକ ଟୋପି ପିନ୍ଧିଛି | ପୋଲିସ ପୁରା ଅଂଚଳକୁ ନାକାବନ୍ଦୀ କରି ଚୋରକୁ ଖୋଜୁଛି | ଖୁବ ଶୀଘ୍ର ଚୋରକୁ ଗିରଫ କରାଯିବ ବୋଲି ପୋଲିସ ଅଧିକାରୀ ଦୃଢୋକ୍ତି ପ୍ରକାଶ କରିଛନ୍ତି |

   Related Posts