ଟିମ୍‌ ଇଣ୍ଡିଆରେ ସାମିଲ ହେବା ପରେ ଭାବୁକ ହୋଇପଡ଼ିଲେ ଚେତନ ସକାରିଆ, କହିଲେ- ଆଜି ଯଦି ବାପା ବଞ୍ଚିଥାନ୍ତେ…

Published By : Prameya-News7 Bureau | June 11, 2021 IST

ନୂଆଦିଲ୍ଲୀ ୧୧/୬: ଜୁଲାଇରେ ଶ୍ରୀଲଙ୍କା ବିପକ୍ଷ ସୀମିତ ଓଭଳ ସିରିଜ୍‌ ପାଇଁ ବିସିସିଆଇ ଗୁରୁବାର ଭାରତୀୟ ଟିମ୍‌ ଘୋଷଣା କରିଛି। ବିରାଟ କୋହଲି, ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ଶିଖର ଧଓ୍ବନଙ୍କୁ ଅଧିନାୟିକ ଦାୟିତ୍ବ ଦିଆଯାଇଛି। ଅନ୍ୟପଟେ ଦ୍ରୁତ ବୋଲର ଭୁବନେଶ୍ବର କୁମାରଙ୍କୁ ଉପଅଧିନାୟକ ଚୟନ କରାଯାଇଛି। ଆଇପିଏଲରେ ଦମଦାର ପ୍ରଦର୍ଶନ କରିଥିବା ଅନେକ ଯୁବ ଖେଳାଳିଙ୍କୁ ଏହି ସିରିଜ୍‌ରେ ମଉକା ମିଳିଛି। ଏଥିରେ ଚେତନ ସକାରିଆଙ୍କୁ ସାମିଲ୍‌ କରାଯିବା ଖେଳପ୍ରେମୀଙ୍କୁ ଆଶ୍ଚର୍ଯ୍ୟ କରିଛି। ସେ ୨୦୨୧ ଆଇପିଏଲ୍‌ରେ ଡେବ୍ୟୁ କରିଥିଲେ। ଟିମ୍‌ ଇଣ୍ଡିଆରେ ସ୍ଥାନ ପାଇବା ପ​ରେ ଚେତନ ଭାବୁକ ହୋଇପଡ଼ିଥିବା ବେଳେ ବାପାଙ୍କୁ ମିସ୍‌ କରୁଥିବା ଜଣାପଡ଼ିଛି।

ଭାରତ ପାଇଁ ଖେଳିବା ବାପାଙ୍କ ସ୍ବପ୍ନ  ଥିଲା ବୋଲି ସେ କହିଛନ୍ତି। ଇଣ୍ଡିଆନ ଏକ୍ସପ୍ରେସ୍‌କୁ ଦେଇଥିବା ପ୍ରତିକ୍ରିୟାରେ ଚେତନ କହିଛନ୍ତି, ‘ମୋ ଇଚ୍ଛା ଥିଲା ଏସବୁ ଦେଖିବା ପାଇଁ ମୋ ବାପା ଜୀବିତ ଥିଲେ ବହୁତ ଭଲ ହୋଇଥାନ୍ତା। ଭାରତ ପାଇଁ ମୁଁ ଖେ​‌​‌ଳେ ବୋଲି ସେ ଚାହୁଁଥିଲେ। ଖେଳିବା ବେଳେ ସେ ଦେଖିବାକୁ ଚାହୁଁଥିଲେ। ଆଜି ତାଙ୍କୁ ବହୁତ ଅଧିକ ମିସ୍‌ କରୁଛି। ଗୋଟିଏ ବର୍ଷ ମଧ୍ୟରେ ଭଗବାନ ମୋର ଅନେକ ପରୀକ୍ଷା ନେଇଛନ୍ତି। ଏବେ ଯାଏ ଏହା ଏକ ବଡ଼ ଇମୋସନାଲ୍‌ ରାଇଡ୍‌ ରହିଛି। ମୁଁ ମୋ ଭାଇଙ୍କୁ ହରାଇଥିଲି । ଏହାର ଗୋଟିଏ ମାସ ପରେ ଆଇପିଏଲ୍‌ କଣ୍ଟ୍ରାକ୍ଟ ମିଳିଥିଲା। ଗତ ମାସରେ ମୁଁ ବାପାଙ୍କୁ ହରାଇଲି। ଏବେ ଭଗବାନ ମୋତେ ଟିମ୍‌ ଇଣ୍ଡିଆରେ ଖେଳିବାକୁ ସୁଯୋଗ ଦେଇଛନ୍ତି। ମୁଁ ୭ ଦିନ ହସ୍ପିଟାଲରେ ଥିଲି ବାପାଙ୍କ ସହ। କିନ୍ତୁ ବାପାଙ୍କ ମୃତ୍ୟୁ ହୋଇଥିଲା। ଏହି କ୍ଷତିକୁ କେହି ଭରଣା କରିପାରିବେ ନାହିଁ। ଏହା ମୋର ସ୍ବର୍ଗୀୟ ବାପା ଏବଂ ମାଙ୍କ ପାଇଁ। ସେମାନେ ମୋତେ କ୍ରିକେଟ ଖେଳିବାକୁ ଅନୁମତି ଦେଇଥିଲେ।’

 ଚେତନ ସକାରିଆ ୨୦୨୧ ଆଇପିଏଲରେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳିଥିଲେ। ଚେତନ ୭ଟି ମ୍ୟାଚ୍‌ରେ ୭ ଓ୍ବିକେଟ ନେଇଥିଲେ। ସେତେବେଳେ ତାଙ୍କର ଇକୋନୋମି ୮.୨୨ ଥିଲା। ମହେନ୍ଦ୍ର ସିଂହ ଧୋନୀଙ୍କ ଭଳି ବ୍ୟାଟ୍ସମ୍ୟାନଙ୍କୁ ମଧ୍ୟ ସେ ଆଉଟ୍‌ କରିଥିଲେ। ସକାରିଆଙ୍କ ବ୍ୟତୀତ ନୀତିଶ ରାଣା, ଋତୁରାଜ ଗାୟକଓ୍ବାଡ, ଦେବଦତ୍ତ ପଡିକଲଙ୍କୁ ବି ଟିମ୍‌ ଇଣ୍ଡିଆରେ ସାମିଲ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.