ଚେନ୍ନାଇର କ୍ରମାଗତ ୫ମ ବିଜୟ: ଋତୁରାଜ ଓ ଡୁପ୍ଲେସିସ୍‌ ଦମଦାର ଅର୍ଦ୍ଧଶତକ, ହାଇଦ୍ରାବାଦକୁ ୭ ଓ୍ଵିକେଟ୍‌ରେ ହରାଇଲା ସିଏସକେ

Published By : Prameya-News7 Bureau | April 28, 2021 IST

ନୂଆଦିଲ୍ଲୀ ୨୮।୦୪: ଗତ ସିଜିନ୍‌ରେ ନିମ୍ନ ସ୍ଥାନରେ ଥିବା ଚେନ୍ନାଇ ସୁପର କିଙ୍ଗ୍ସ ଚଳିତ ଆଇପିଏଲ୍‌ରେ ନିଜର ବିଜୟଯାତ୍ରା ଅବ୍ୟାହତ ରଖିଛି। ଓପନର ଋତୁରାଜ ଗାଏକଓ୍ଵାର୍ଡ ଓ ଫାଫ୍ ଡୁ ପ୍ଲେସିସ୍‌ଙ୍କ ଦମଦାର ଅର୍ଦ୍ଧଶତକ ବଳରେ ଚେନ୍ନାଇ ସନରାଇଜର୍ସ ହାଇଦ୍ରାବାଦକୁ ୭ ଓ୍ଵିକେଟ୍‌ରେ ପରାସ୍ତ କରି ସହଜ ବିଜୟ ହାସଲ କରିଛି। ଏଥିସହ ଚେନ୍ନାଇ ୧୪ଶ ସଂସ୍କରଣରେ କ୍ରମାଗତ ୫ଟି ମ୍ୟାଚ୍‌ରେ ବିଜୟୀ ହୋଇ ପଏଣ୍ଟ ଟେବୁଲ୍‌ର ଶୀର୍ଷକୁ ଉଠିଛି। ଅନ୍ୟପଟେ ସନରାଇଜର୍ସ ହାଇଦ୍ରାବାଦର ନିରାଶଜନକ ପ୍ରଦର୍ଶନ ଜାରି ରହିଛି। ଷଷ୍ଠ ମ୍ୟାଚ୍‌ରୁ ପଞ୍ଚମ ପରାଜୟ ଭୋଗି ପଏଣ୍ଟ ତାଲିକାର ନିମ୍ନରେ ରହିଛି।

ପ୍ରଥମେ ବ୍ୟାଟିଂ କରି ସନରାଇଜର୍ସ  ହାଇଦ୍ରାବାଦ ଡେଭିଡ୍ ଓ୍ଵାର୍ଣ୍ଣରଙ୍କ ୫୭ ରନ ଓ ମନିଷ ପାଣ୍ଡେଙ୍କ ୬୧ ରନ ସହାୟତାରେ ୩ ଓ୍ଵିକେଟ୍ ହରାଇ ୧୭୧ ରନ କରିଥିଲା। ଜବାବରେ ଦୁଇ ଓପନର ଋତୁରାଜ ଗାଏକଓ୍ଵାଡଙ୍କ ୭୫ ରନ ଏବଂ ଫାଫ୍ ଡୁପ୍ଲେସିସ୍‌ଙ୍କ ୫୬ ରନ ଦମ୍‌ରେ ସିଏସକେ ୧୮.୩ ଓଭରରେ ୩ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ପ୍ରଥମ ଓ୍ଵିକେଟ୍‌ରେ ୧୨୯ ରନ ଯୋଡି ଋତୁରାଜ ଓ ଡୁପ୍ଲେସିସ୍‌ ଦଳକୁ ସହଜ ବିଜୟ ଦେଇଛନ୍ତି।

୧୭୨ ରନର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ଚେନ୍ନାଇର ଦୁଇ ଓପନର ଋତୁରାଜ ଓ ଡୁପ୍ଲେସିସ୍‌ ଦମଦାର ଆରମ୍ଭ ଦେଇଥିଲେ। ଦୁଇ ବ୍ୟାଟସମ୍ୟାନ ବିସ୍ଫୋରକ ବ୍ୟାଟିଂ କରି ହାଇଦ୍ରାବାଦ ବୋଲରଙ୍କୁ କୌଣସି ସୁଯୋଗ ଦେଇନଥିଲେ। ଋତୁରାଜ ଓ ଡୁପ୍ଲେସିସ୍‌ ନିଜ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ୧୩ ଓଭରରେ ୧୨୯ ରନ ଯୋଡି ଦଳ ବିଜୟ ସୁନିଶ୍ଚିତ କରିଥିଲେ। ଗାଏକଓ୍ଵାଡ ୪୪ ବଲ୍‌ରୁ ୧୨ ଚୌକା ସହ ୭୫ ରନ କରି ଆଉଟ୍ ହୋଇଥିଲେ। ରଶିଦ ଖାନ ଦଳକୁ ପ୍ରଥମ ସଫଳତା ଦେଇଥିଲେ।

ଏହା ପରେ ଦଳ ଶୀଘ୍ର ଦୁଇଟି ଓ୍ଵିକେଟ୍ ହରାଇଥିଲା। ରଶିଦ ମୋଇନ ଅଲ୍ଲୀ(୧୫) ଓ ଡୁପ୍ଲେସିସ୍‌ଙ୍କୁ ଆଉଟ୍ କରି ମ୍ୟାଚ୍‌ରେ ରୋମାଞ୍ଚ ଭରିଥିଲେ। ହେଲେ ସେତେବେଳକୁ ବହୁ ବିଳମ୍ବ ହୋଇ ସାରିଥିଲା। ଡୁପ୍ଲେସିସ୍‌ ୩୮ ବଲ୍‌ରୁ ୬ ଚୌକା ଓ ୧ ଛକା ସହ ୫୬ ରନ କରି ପାଭିଲିୟନ ଫେରିଥିଲେ। ବିଜୟର ଔପଚାରିକତା ରବୀନ୍ଦ୍ର ଜାଡେଜା(୭) ଓ ସୁରେଶ ରୈନା(୧୭) ପୂରା କରିଥିଲେ। ଚେନ୍ନାଇ ୧୮.୩ ଓଭରରେ ୩ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.