ଆଇପିଏଲ୍ ୨୦୨୧ ପାଇଁ ସୁରେଶ ରୈନାକୁ ରିଟେନ୍ କଲା CSK, ଅଧିନାୟକ ଦାୟିତ୍ଵ ସମ୍ଭାଳିବେ ମାହି
20/01/2021 at 6:24 PM

ନୂଆଦିଲ୍ଲୀ ୨୦।୦୧: ତିନି ଥର ଆଇପିଏଲ ଚମ୍ପିଆନ ଚେନ୍ନାଇ ସୁପର କିଙ୍ଗ୍ସ ବଡ ନିଷ୍ପତ୍ତି ନେଇ ଦଳର ବରିଷ୍ଠ ତଥା ଗୁରୁତ୍ଵପୂର୍ଣ୍ଣ ଖେଳାଳି ସୁରେଶ ରୈନାଙ୍କୁ ଚଳିତ ବର୍ଷ ଇଣ୍ଡିଆନ ପ୍ରିମିୟର ଲିଗ୍ ପାଇଁ ରିଟେନ୍ କରିଛି। ରୈନା ଲିଗ୍ର ୧୩ତମ ସଂସ୍କରଣରେ ଦଳ ସହିତ ୟୁଏଇ ଗସ୍ତ କରିଥିଲେ, ମାତ୍ର ବ୍ୟକ୍ତିଗତ କାରଣ ଦର୍ଶାଇ ବିନା କୌଣସି ମ୍ୟାଚ୍ ଖେଳି ସ୍ଵଦେଶ ଫେରି ଆସିଥିଲେ। ରୈନାଙ୍କ ଏହି ନିଷ୍ପତ୍ତି ପରେ ତାଙ୍କ ଏବଂ ଦଳ ପ୍ରବନ୍ଧକଙ୍କ ମଧ୍ୟରେ କିଛି ମତଭେଦ ଖବର ସାମ୍ନାକୁ ଆସିଥିଲା। ଏହି ବାମହାତୀ ବ୍ୟାଟସମ୍ୟାନ ଗତ ବର୍ଷ ଅଗଷ୍ଟ ୧୫ରେ ମହେନ୍ଦ୍ର ସିଂହ ଧୋନୀଙ୍କ ଅବସର ନେବାର କିଛି ସମୟ ପରେ ହିଁ ନିଜର ସନ୍ନ୍ୟାସ ଘୋଷଣା କରି ସମସ୍ତଙ୍କୁ ଚକିତ କରିଥିଲେ।
ସିଏସକେର ଜୈନକ ଅଧିକାରୀ କହିଛନ୍ତି ଯେ, ଆମେ ସୁରେଶ ରୈନାଙ୍କୁ ଚଳିତ ସଂସ୍କରଣ ପାଇଁ ଦଳରେ ରଖୁଛୁ। ଦଳର ଅଧିନାୟକ ଭାର ମହେନ୍ଦ୍ର ସିଂହ ଧୋନୀ ସମ୍ଭାଳିବେ। ଦଳ ବରିଷ୍ଠ ସ୍ପିନର ହରଭଜନ ସିଂହଙ୍କ କଣ୍ଟ୍ରାକ୍ଟ ଆଗକୁ ବଢାଇ ନାହିଁ। ହରଭଜନ ଟ୍ଵିଟ୍ କରି ସିଏସକେକୁ ଅଲବିଦା କରୁଥିବା ସୂଚନା ଦେଇଥିଲେ।
ଏହା ବ୍ୟତୀତ କିଛି ରିପୋର୍ଟରେ ଏହା ମଧ୍ୟ ଦାବି କରାଯାଇଛି ଯେ, ଚେନ୍ନାଇ ସୁପର କିଙ୍ଗ୍ସ ଲେଗ ସ୍ପିନର ପିୟୂଷ ଚାଓ୍ଵାଲା ଓ ଓପନର ମୂଲରୀ ବିଜୟଙ୍କୁ ଆଗାମୀ ନିଲାମୀ ପାଇଁ ଦଳରୁ ରିଲିଜ୍ କରିଛି। ଚାଓ୍ଵାଲଙ୍କୁ ୨୦୧୯ରେ ଦଳ ୬ କୋଟି ୭୫ ଲକ୍ଷ ଟଙ୍କା ଦେଇ କିଣିଥିଲା। ହେଲେ ତାଙ୍କର ପ୍ରଦର୍ଶନ ଟିମ୍ ମ୍ୟାନେଜମେଣ୍ଟକୁ ନିରାଶ କରିଥିଲା। ଦଳ ୟୁଏଇରେ ଖେଳାଳିଙ୍କ ନିମ୍ନମାନର ପ୍ରଦର୍ଶନ ଯୋଗୁଁ ପ୍ଲେ ଅଫ୍ରେ ମଧ୍ୟ ପହଞ୍ଚି ପାରିନଥିଲା।