ବିଫଳ ହେଲେ ବ୍ୟାଟସମ୍ୟାନ, ୧୨୫ରେ ଅଟକିଲା ଚେନ୍ନାଇ ସ୍କୋର, ରାଜସ୍ଥାନକୁ ମିଳିଲା ସହଜ ବିଜୟ ଲକ୍ଷ୍ୟ

Published By : Prameya-News7 Bureau | October 19, 2020 IST

ଆବୁଧାବି ୧୯।୧୦: ବ୍ୟାଟସମ୍ୟାନଙ୍କ ବିଫଳତା କାରଣରୁ ଆଇପିଏଲର ୩୭ତମ ମ୍ୟାଚ୍‌ରେ ଚେନ୍ନାଇ ସୁପରକିଙ୍ଗ୍ସ ଚଳିତ ସଂସ୍କରଣରେ ସବୁଠୁ କମ ସ୍କୋର କରିଛି। ଦଳ ରାଜସ୍ଥାନ ରୟାଲ୍ସ ସମ୍ମୁଖରେ ନିର୍ଦ୍ଧାରିତ ଓଭରରେ ୫ ଓ୍ଵିକେଟ୍ ହରାଇ ୧୨୫ ରନ କରିଛି। ଦଳ ପକ୍ଷରୁ ରବୀନ୍ଦ୍ର ଜାଡଜୋ ସର୍ବାଧିକ ୩୫ ରନ କରିଥିବା ବେଳେ ଧୋନୀ ୨୮ ରନ କରିଛନ୍ତି। ରାଜସ୍ଥାନ ରୟାଲ୍ସକୁ ୧୨୬ ରନର ସହଜ ବିଜୟ ଲକ୍ଷ୍ୟ ମିଳିଛି। ଏହି ମ୍ୟାଚ୍‌ରେ ଯେଉଁ ଦଳ ପରାଜିତ ହେବ ସେ ଚଳିତ ସଂସ୍କରଣରେ ପ୍ଲେଅଫ ଦୌଡରୁ ବାଦ୍‌ ପଡିବ। ସେଥିପାଇଁ ଏହି ମ୍ୟାଚ୍ ଜିତିବା ରାଜସ୍ଥାନ ଓ ଚେନ୍ନାଇ ପାଇଁ ଜରୁରୀ ହୋଇ ପଡିଛି।

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇର ବ୍ୟାଟସମ୍ୟାନ ଆଜିର ମ୍ୟାଚ୍‌ରେ ରାଜସ୍ଥାନ ବୋଲିଂ ସାମ୍ନାରେ ହାତଖୋଲା ସଟ୍‌ ଖେଳିବାରେ ବିଫଳ ହୋଇଛନ୍ତି। ପ୍ରଥମରୁ ଦଳ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇବାରୁ ଦଳର ରନହାର ଧିମେଇ ଯାଇଥିଲା। ଦଳ ପକ୍ଷରୁ ଓପନର ସାମ କରନ ୨୨ ରନ କରିଥିଲେ। ୫୬ ରନରେ ୪ ଓ୍ଵିକେଟ୍ ହରାଇବା ପରେଳ ଧୋନୀ ଓ ରବିନ୍ଦ୍ର ଜାଡେଜା ପଞ୍ଚମ ଓ୍ଵିକେଟ୍‌ରେ ୫୧ ରନ ଯୋଡିଥିଲେ। ଧୋନୀ ୨୮ ରନ କରି ଆଉଟ୍ ହୋଇଥିଲେ। ଜାଡେଜା ୩୦ ବଲରୁ ୪ ଚୌକା ସହ ୩୫ ରନ କରିଥିଲେ। ଶେଷରେ ଦଳ ନିର୍ଦ୍ଧାରିତ ଓଭରରେ ୫ ଓ୍ଵିକେଟ୍ ହରାଇ ୧୨୫ ରନ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.