ବାଧିଲା ଲୋକଙ୍କ ଟାହିଟାପରା , ଜୀବନ ହାରିଦେଲେ ଚେନ୍ନାଇ ଫେରନ୍ତା ଯୁବକ : ଆତ୍ମହତ୍ୟା ପୂର୍ବରୁ କାନ୍ଥରେ ଲେଖିଥିଲେ କାରଣ
14/04/2020 at 3:36 PM

ଯାଜପୁର ୧୪।୦୪: ଲୋକଙ୍କ ଟାହିଟାପରା ଜଣେ ଚେନ୍ନାଇ ଫେରନ୍ତାଙ୍କ ଜୀବନ ନେଇଛି । କରୋନା ଆକ୍ରାନ୍ତ ବୋଲି ବାରମ୍ବାର ଟାହିଟାପରା କରିବା ପରେ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ମୃତ ଯୁବକ ଧର୍ମଶାଳା ବ୍ଲକ୍ ଦେଓଦା ପଞ୍ଚାୟତ ଦେଓଦା ଗ୍ରାମର ସୁରେଶ ସାହୁ (୪୦) ବୋଲି ଜଣାପଡ଼ିଛି । ଜୀବନ ହାରିବା ପୂର୍ବରୁ ସୁରେଶ କାନ୍ଥରେ ଆତ୍ମହତ୍ୟାର କାରଣ ମଧ୍ୟ ଲେଖିଛନ୍ତି । ତେବେ ସୁରେଶଙ୍କୁ ଗ୍ରାମର କିଛି ବ୍ୟକ୍ତି ହତ୍ୟା କରି ଗଛରେ ଟାଙ୍ଗି ଦେଇଥିବା ତାଙ୍କ ପତ୍ନୀ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଏକ ମାମଲା ରୁଜୁ କରି ୧୦ଜଣଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି ।

ସୁରେଶ ଚେନ୍ନାଇର ଏକ ହୋଟେଲ୍ରେ ରୋଷେୟା ଭାବେ କାମ କରୁଥିଲେ । କରୋନା ସଂକ୍ରମଣ ସାରା ବିଶ୍ୱରେ ଆତଙ୍କ ଖେଳାଇବା ପରେ ସେ ମାର୍ଚ୍ଚ ୧୮ ତାରିଖ ଦିନ ଗାଁକୁ ପଳାଇ ଆସିଥିଲେ । ଓଡ଼ିଶାରେ କରୋନାକୁ ନେଇ ଲୋକ ଭୟଭୀତ ଥିବାରୁ ସୁରେଶ ଗାଁରେ ପହଞ୍ଚିବା ପରେ ନିଜ ପକ୍ଷରୁ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇ ଡାକ୍ତରଙ୍କ ପରାମର୍ଶକ୍ରମେ ୧୪ଦିନ ହୋମ କ୍ୱାରେଣ୍ଟାଇନରେ ରହିଥିଲେ । ୧୪ଦିନ ପରେ ସୁରେଶ ବଜାରକୁ ସଉଦା କିଣିବାକୁ ବାହାରିଥିବା ବେଳେ ଗ୍ରାମର କିଛି ବ୍ୟକ୍ତି ତାଙ୍କୁ ବିରୋଧ କରିଥିଲେ । ଗତ ୧୦ ତାରିଖରେ ସୁରେଶ ସ୍ଥାନୀୟ ସରପଞ୍ଚଙ୍କୁ ଘଟଣା ସଂପର୍କରେ ଜଣାଇଥିଲେ । ସରପଞ୍ଚ ମଧ୍ୟ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସହ ଯୋଗାଯୋଗ କରିଥିଲେ । ମେଡିକାଲ ପକ୍ଷରୁ ଏକ ଆମ୍ବୁଲାନ୍ସ ଆସିଥିଲେ ହେଁ ଗାଁ ଲୋକ ବିରୋଧ କରିଥିଲେ । ତେଣୁ ସୁରେଶ ଚାଲିଚାଲି ଯାଜପୁର ମୁଖ୍ୟ ଚିକିତ୍ସାଳକୁ ଯାଇ ଡାକ୍ତରଙ୍କ ସହ ପରାମର୍ଶ କରିଥିଲେ । ପରୀକ୍ଷା କରି ଡାକ୍ତର ତାଙ୍କର ପରିସ୍ରା ସଂକ୍ରମଣ ହୋଇଥିବା କହିବା ସହିତ ଔଷଧ ସେବନ କରିବାକୁ ଦେଇଥିଲେ ।
ସେଠାରୁ ସୁରେଶ ଗ୍ରାମକୁ ଫେରିଥିଲେ । ସେପଟେ କରୋନା ପାଇଁ କାମଧନ୍ଦା ନଥିବାରୁ ଗାଁର କିଛି ଲୋକ ସୁରେଶଙ୍କ ଠାରୁ ଧାର ସୂତ୍ରରୁ ଟଙ୍କା ନେଇଥିଲେ । ସୁରେଶ ସେମାନଙ୍କୁ ଟଙ୍କା ଫେରସ୍ତ ମାଗିବାରୁ ସମ୍ପୃକ୍ତ ବ୍ୟକ୍ତିମାନେ ସୁରେଶଙ୍କୁ କରୋନା ଆକ୍ରାନ୍ତ କହି ଟାହିଟାପରା କରିଥିଲେ । ଟାହିଟାପରା ଅସହ୍ୟ ହୋଇପଡ଼ିଥିବା ସେ ପତ୍ନୀ ବନ୍ଦନାଙ୍କ ଆଗରେ ପ୍ରକାଶ କରିଥିଲେ । ଏହାକୁ ନେଇ ସେ ମାନସିକ ଚାପରେ ମଧ୍ୟ ଥିଲେ । ଗତକାଲି ରାତିରେ ସୁରେଶ ପତ୍ନୀ ବନ୍ଦନା, ଝିଅ ଓ ପୁଅ ସହ ଖାଇସାରି ଶୋଇବାକୁ ଯାଇଥିଲେ। ଭୋର୍ ସମୟରେ ବନ୍ଦନା ସୁରେଶଙ୍କୁ ନ ପାଇ ଖୋଜାଖୋଜି କରିଥିଲେ । ସୁରେଶ ଘର ଠାରୁ ୫ଶହ ମିଟର ଦୂରରେ ଥିବା ଏକ ପଣସ ଗଛରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଦେଖିବାକୁ ପାଇଥିଲେ । ଆତ୍ମହତ୍ୟା କରିବା ପୂର୍ବରୁ ସୁରେଶ ଘର କାନ୍ଥରେ ତାଙ୍କ ଆତ୍ମହତ୍ୟାର କାହାଣୀ ଲେଖି ଯାଇଥିଲେ ।
ଆଜି ସକାଳେ ଖବରପାଇ ଧର୍ମଶାଳା ଥାନାଧିକାରୀ ସରୋଜ କୁମାର ସାହୁ, ଏସ୍ଆଇ ରାଜକିଶୋର ନାୟକ ଓ ବ୍ରହ୍ମବରଦା ଫାଣ୍ଡି ଅଧିକାରୀ ପରମାନନ୍ଦ ସେଠୀ ଘଟଣାସ୍ଥଳରେ ପହଞ୍ଚି ଥିଲେ । ସୁରେଶଙ୍କ ପତ୍ନୀ ବନ୍ଦନା ଗ୍ରାମର ୧୦ଜଣ ତାଙ୍କ ସ୍ୱାମୀଙ୍କୁ ହତ୍ୟା କରି ଟାଙ୍ଗି ଦେଇଥିବା ଅଭିଯୋଗ କରିଥିଲେ । ପୋଲିସ କେସ୍ ନଂ ୧୬୧/୨୦ରେ ଏକ ମାମଲା ରୁଜୁ କରିଥିଲା । ମୃତକଙ୍କ ପକେଟରୁ ଏକ ସୁଇସାଇଡ୍ ନୋଟ ଓ ଘଟଣାସ୍ଥଳରୁ ଏକ ବ୍ୟାଗ ଜବତ କରିଥିଲା । ଉକ୍ତ ବ୍ୟାଗରେ ସୁରେଶଙ୍କ ମୋବାଇଲ ଓ କିଛି ଅତ୍ୟାବଶ୍ୟକ ସାମଗ୍ରୀ ଥିଲା । ପୋଲିସ ଶବ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ଯାଜପୁର ମୁଖ୍ୟଚିକିତ୍ସାଳୟକୁ ପଠାଇ ଥିଲା । ଅନ୍ୟପଟେ ପୁଲିସ ୧୦ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ।