ପୂଜକଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟାକଲେ ଦୁର୍ବୃତ୍ତ, ଭୟରେ ଏଣେତେଣେ ଦୌଡିଲେ ଶ୍ରଦ୍ଧାଳୁ

Published By : Prameya-News7 Bureau | October 11, 2020 IST

ଚେନ୍ନାଇ,୧୧|୧୦:  ତାମିଲନାଡୁର ପ୍ରସିଦ୍ଧ ପଣ୍ଡିତ ମୁସନୀଶ୍ୱର ମନ୍ଦିରର ଜଣେ ପୂଜକଙ୍କୁ ଶନିବାର ସନ୍ଧ୍ୟାରେ ହତ୍ୟା କରାଯାଇଛି । କିଛି ଦୁର୍ବୃତ୍ତ ପୂଜକଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା କରିଛନ୍ତି । ମନ୍ଦିର ପରିସରରେ ପଶି ତାଙ୍କୁ ହତ୍ୟା କରାଯିବା ଘଟଣା ଚର୍ଚ୍ଚାର ବିଷୟବସ୍ତୁ ପାଲଟିଛି ।

ପୋଲିସର କହିବାନୁସାରେ, ମୃତକ ପୂଜାରୀ ହେଲେ ଜି. ମଥୁରାଜା । ସେ ଅନ୍ଧାରୀକୋଟମର ହେମଲେଟରେ ରହୁଥିଲେ । ଶନିବାର ସନ୍ଧ୍ୟାରେ କିଛି ଅଜଣା ଆତତାୟୀ ମନ୍ଦିରରେ ପଶି ପୂଜକଙ୍କୁ ଠେଙ୍ଗାରେ ନିସ୍ତୁକ ମାଡ ମାରିଥିଲେ । ଏଥିରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।

ଶନିବାର ସନ୍ଧ୍ୟାରେ ମନ୍ଦିରର ଗହଳି ଚହଳି ଲାଗିଥିଲା । ତେବେ ପୂଜକଙ୍କ ହତ୍ୟାକାଣ୍ଡ ଦେଖିବା ପରେ ଶ୍ରଦ୍ଧାଳୁମାନେ ଏଣେତେଣେ ହୋଇ ସୁରକ୍ଷିତ ସ୍ଥାନକୁ ପଳାଇଥିଲେ । ଦୁର୍ବୃତ୍ତମାନେ ନୃଶଂସ ଭାବେ ହତ୍ୟା କରିବା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ।

ଘଟଣା ବାବଦରେ ଖବର ପାଇବା ପରେ ପୋଲିସ ଅଧିକ୍ଷକ ଆର, ଶିବ ପ୍ରସାଦ ମନ୍ଦିରରେ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି । ଏହାସହ ପଚରାଉଚରା ଆରମ୍ଭ ହୋଇଯାଇଛି । ମୃତଦେହର ପୋଷ୍ଟମଟର୍ମ ପାଇଁ ରାଜାଜୀ ହସ୍ପିଟାଲକୁ ପଠାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.